Onn 3

ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ, କାଗଜ କଲମରେ ସୀମିତ ଭିନ୍ନକ୍ଷମ ଦିବସ

State

ଆଗରପଡ଼ା:୧୯୯୨ ମସିହା ଠାରୁ ସାରା ବିଶ୍ୱରେ ଡିସେସ୍ୱର ମାସ ୩ତାରିଖକୁ ଭିନ୍ନକ୍ଷମ ଦିବସ ରୂପେ ପାଳନ କରାଯାଉଛି । ସରକାରୀ ତଥା ବେସରକାରୀ ଭାବେ ଏହି ଦିବସ ପାଳନ କରାଯାଇ ଭିନ୍ନକ୍ଷମ ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଯାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି । ଏପରି ସ୍ଥଳେ ବିଭିନ୍ନ ଆକଳନକୁ ନଜୀରକୁ ଦିବ୍ୟାଙ୍ଗଙ୍କ ବିକାଶ କେବଳ କାଗଜ କଲମରେ ରହିଯାଇଛି । ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଅନେକ ଦିବ୍ୟାଙ୍ଗ ରହିଛନ୍ତି । କିଏ ବାପା ଉପରେ ତ ପୁଣି କିଏ ମାଆ ଓ ଭାଇ ଉପରେ ନିର୍ଭର କରି ଚଳୁଛନ୍ତି । ମାତ୍ର ସେମାନଙ୍କ ପାଇଁ ଆଜି ବି ସରକାରୀ ସହାୟତା ଅପହଞ୍ଚ ପାଲିଟିଛି । ଭତ୍ତା ହେଉବା ଟ୍ରାଇସାଇକେଲ୍ ଅବା ପକ୍କାଘର କାହାକୁ ମିଳୁଛି ତ ପୁଣି କାହାକୁ ନାହିଁ । ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ପାନପଦୀ ଗ୍ରାମରେ ଏକ ବଧିର ବ୍ରାହ୍ମଣ ପରିବାର ଯାହାର ସମସ୍ତେ ବଧିର । ପୁରୋହିତ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ସୁରେଶଙ୍କ ବଡ଼ ପୁଅ ବଜ୍ରାଘାତରେ ମୃତ୍ୟୁ ବରଣ କରିଥିଲେ । ତାଙ୍କ ମୃତ୍ୟୁ ପରେ ପରିବାର ସମ୍ପୁର୍ଣ୍ଣ ରୋଜଗାର ଶୂନ୍ୟ ହୋଇପଡ଼ିଥିଲା । ସାନ ପୁଅଟି ମଧ୍ୟ ମଧୁମେୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରିଥିଲା । ସୁରେଶଙ୍କ ଅନ୍ୟତମ ପୁଅ ବିକାଶ ଗ୍ରାଜୁଏସନ ସାରି ଓଡ଼ିଶା ସରକାରଙ୍କ ଦ୍ୱାରା ଭିନ୍ନକ୍ଷମଙ୍କ ପାଇଁ ପ୍ରଦତ୍ତ ଦକ୍ଷତା ଭିତ୍ତିକ ତାଲିମ କମ୍ପ୍ୟୁଟର ଉପରେ ସାରିବା ପରେ ସରକାରୀ ସି.ଟି ସହ ଓଟିଇଟି ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କା ଶିକ୍ଷାଗତ ଯୋଗ୍ୟତା ଓ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ୧୧ ବର୍ଷ ବିତିଯାଇଥିଲେ ସୁଦ୍ଧା ସେ ଏଯାବତ କୌଣସି ଠାରେ ଥଇଥାନ ହୋଇପାରି ନାହାଁନ୍ତି । ଅପରପକ୍ଷରେ ବିକାଶଙ୍କ ସ୍ତ୍ରୀ ମେନକା ଯିଏକି ପିଲାଟିଦିନରୁ ବଧିର । ସେ ରାଉଲକେଲା ଏସକେଡ଼ିଏଭି ଓମେନ ପଲିଟେକ୍ନିକରୁ ଉନଫରମେସନ ଟେକ୍ନୋଲୋଜିରେ ଡ଼ିପ୍ଲୋମା, ଭୁବନେଶ୍ୱର ଲଳିତକଳା ଏକାଡ଼େମୀରୁ ଡ଼ିଗ୍ରୀ ଓ ଭୁବନେଶ୍ୱର ସ୍କିଲ ଡ଼େବଲ୍ୱମେଣ୍ଟରେ ଟ୍ରେନିଙ୍ଗ ପାଇବା ସହ କୋଲକାତା, ଚେନ୍ନାଇ, ଦିଲ୍ଲି, ମୁମ୍ବାଇ ପରି ମେଟ୍ରୋ ସିଟିରେ ଆୟୋଜିତ ପ୍ରଦର୍ଶନୀରେ ତାଙ୍କ ଚିତ୍ରକଳା ମଧ୍ୟ ସ୍ଥାନିତ ହୋଇଛି । ସେ ଓଡ଼ଶୀ ନୃତ୍ୟରେ ମଧ୍ୟ ନିଜର ପାରଦର୍ଶିତା ଲାଭ କରିବା ସହ କୁନିକୁନି ପିଲାଙ୍କୁ ଓଡ଼ଶୀ ନୃତ୍ୟ ସହ ଚିତ୍ର କଳାର ଶିକ୍ଷା ଦାନ କରୁଥିଲେ ସୁଦ୍ଧା ସରକାରୀ ସ୍ତରରେ କୈାଣସି ଚାକିରୀ ପାଇପାରି ନାହାଁନ୍ତି । କିଛି ମାସ ତଳେ ମୋନିକା ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିତ୍ର ଆଙ୍କି ଉଭୟଙ୍କ ପଟୋଚିତ୍ର ସହ ନିଜ ପରିବାରର ଦୁଃଖକୁ ପତ୍ର ମାଧ୍ୟମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଙ୍କୁ ଜଣାଇ ତାଙ୍କୁ ଓ ତାଙ୍କ ଦିବ୍ୟାଙ୍ଗ ସ୍ୱାମୀଙ୍କୁ ସରକାରୀ ଚାକିରୀଟିଏ ପ୍ରଦାନ କରିବାକୁ ପ୍ରାର୍ଥନା ମଧ୍ୟ କରିଥିବା ଜଣାପଡ଼ିଛି । ସେହିପରି ଉକ୍ତ ପଞ୍ଚାୟତ ଅର୍ନ୍ତଗତ ରାମଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣିମା ନାୟକ ୧୯ ବର୍ଷ ଧରି କେବଳ ଶୋଇ ରହୁଛନ୍ତି । କିନ୍ତୁ ଏପରି ସ୍ଥଳେ ସରକାରୀ ସ୍ତରରେ ସେ କେବଳ ମାସିକ ୫୦୦ଟଙ୍କା ଉତ୍ତା ପାଉଛନ୍ତି । ସ୍ୱାମୀ ସ୍ତ୍ରୀଙ୍କ ସଂପର୍କ ଠିକ୍ ନରହିବାରୁ ସେ ବିବାହର ବର୍ଷେ ପରେ ଆସି ନିଜ ବାପଘରେ ରହୁଛନ୍ତି । ତାଙ୍କ ଭାଇ ତାଙ୍କ ସେବା ଶୂଶୃଷା କରୁଛନ୍ତି । ୨୦୦୩ ମସିହାରେ ପୂର୍ଣ୍ଣିମାଙ୍କ ଆଣ୍ଠୁ ଗଣ୍ଠି ଧରିଲା । ଆସ୍ତେ ଆସ୍ତେ ସେ ଆଉ ଚଲାବୁଲା କରି ପାରିଲେ ନାହିଁ । ଆର୍ଥିକ ଅନାଟନ ଚିକିତ୍ସାରେ ଅନ୍ତରାୟ ସୃଷ୍ଟି କଲା ।

Photo of Sumitra Photo of Prunima

ପ୍ରାଥମିକ ଚିକିତ୍ସା ପରେ ସେ ୧୯ ବର୍ଷ ଧରି ଶଯ୍ୟାରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି । ସରକାରୀ ସ୍ତରରେ ପ୍ରଶାସନ ତରଫରୁ ୧୯ ବର୍ଷ ପରେ ମଧ୍ୟ ଟ୍ରାଇସାଇକଲଟିଏ ଯୋଗାଇ ଦିଆଯାଇପାରିନଥିଲା ଯଦ୍ୱାରା ସେ ତାଙ୍କ ପ୍ରତିଦିନର ନିତ୍ୟକର୍ମ ମଧ୍ୟ ସେହି ବିଛଣାରେ କରୁଥିଲେ । କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ନିମଗଢିଆ ଗ୍ରାମର ଭିନ୍ନକ୍ଷମ ଅଭିମନ୍ୟୁ ଯେନା । ଯାହାଙ୍କ ସ୍ତ୍ରୀ ମଧ୍ୟ ଜଣେ ଭିନ୍ନକ୍ଷମ । ଉଭୟ ଭିନ୍ନକ୍ଷମ ହୋଇଥିବା ବେଳେ ଅଭିମନ୍ୟୁ କୌଣସି କାମଧନ୍ଦା କରିପାରୁନଥିବାରୁ ୨ନାବାଳକ ପୁଅ ଅର୍ଥାଭାବରୁ ପଢାପଢି ମଧ୍ୟ କରିପାରୁନାହାନ୍ତି । ଦିନକୁଦିନ ବିଭିନ୍ନ ପ୍ରକାର ରୋଗ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କୁ ଆକ୍ରାନ୍ତ କରୁଥିବା ବେଳେ ଅର୍ଥାଭାବରୁ ଚିକିତ୍ସିତ ମଧ୍ୟ ହୋଇପାରୁନାହାନ୍ତି । ଏହିପରି ଅବସ୍ଥାରେ ଆର୍ଥିକ ସମ୍ବଳ ନଥିବାରୁ ରହୁଥିବା ଏକ ଛୋଟ ଜାଗାରେ ଥିବା ଭଙ୍ଗା ଦଦରାଘରେ ଜୀବନ ବିତାଇବା ସହ ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ କାର୍ଯ୍ୟ ସମ୍ପାଦନା କରୁଛନ୍ତି । ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଗୁହାରୀ କରି ମଧ୍ୟ ସେ ଖଣ୍ଡେ ଆବାସ ପାଇବାରୁ ବଂଚିତ । ଆଡ଼ିଆ ପଂଚାୟତ ଅର୍ନ୍ତଗତ ଆଡ଼ିଆ ଗ୍ରାମର ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ସୁମିତ୍ରା ବିଭାଗୀୟ ଅଧିକାରୀଙ୍କ ଭୁଲ ବିବରଣୀ ଯୋଗୁଁ ଗତ ପ୍ରାୟ ୭ମାସ ହେବ ପ୍ରକୃତ ଭତ୍ତା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ସେହିପରି ଆଗରପଡ଼ାରେ ବସବାସ କରୁଥିବା ବାରିଗାଁର ବିବେକ ଓ ମାତୃପ୍ରସାଦ ୨ ଭାଇଦିବ୍ୟାଙ୍ଗ ଓ ମେଧାବୀ ଛାତ୍ର । ପାଠପଢା କୁ ଛାଡ଼ି ଦେଲେ ଅନ୍ୟାନ୍ୟ କାର୍ଯ୍ୟ ନିଜେ କିଛି କରିପାରନ୍ତି ନାହିଁ । ତାଙ୍କ ବାପା ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ ପୁଅ ୨ ଜଣ ଙ୍କ ପାଇଁ ଦୁଃଖ କେବେ ବି ପ୍ରକାଶ କରନ୍ତି ନାହିଁ ବରଂ ଏହା ଭଗବାନଙ୍କ ଦାନ ବୋଲି କହିଥାନ୍ତି । ଏହିପରି ଅନେକ ଭିନ୍ନକ୍ଷମଙ୍କ ଜୀବନ ଦୁର୍ବିସହ ପ୍ରାୟ । ସମସ୍ତେ ଗରୀବ ଶ୍ରେଣୀୟ ପରିବାର ସଦସ୍ୟ । ଆର୍ଥିକ ଅନାଟନ ସାଙ୍ଗକୁ ଦିବ୍ୟାଙ୍ଗମାନେ ପରିବାରର ବୋଝ ହୋଇପଡ଼ିଛନ୍ତି । ସରକାରୀ ସାହାର୍ଯ୍ୟ ସହଯୋଗ ଆଜିଯାଏ ଅନେକଙ୍କୁ ମିଳି ପାରି ନାହିଁ । କିଏ ଭତ୍ତା ପାଇଁ ତ ପୁଣି କିଏ ଟ୍ରାଇସାଇକେଲ ପାଇବା ପାଇଁ ବ୍ଲକ୍ ତଥା ରାଜନେତାଙ୍କ ଦୁଆରକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।

Photo of Badhira Family