ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଶୁକ୍ରବାର ମଧ୍ୟରାତ୍ରରେ ପଶ୍ଚିମ-ଉତ୍ତର-ପଶ୍ଚିମ ପ୍ରାନ୍ତକୁ ଗତିଶୀଳ ହୋଇ ଏକ ଗଭୀର ଅବପାତରେ ପରିଣତ ହୋଇଛି। ଡିସେମ୍ବର ୩ ତାରିଖ ସୁଦ୍ଧା ଏହା ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍’ ପାଲଟିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହା ପ୍ରଭାବରେ ଘଣ୍ଟା ପ୍ରତି ୮୦ରୁ ୯୦ କିଲୋମିଟର୍ ବେଗରେ ପବନ ବହିବ ଓ ପ୍ରବଳ ବର୍ଷା ହେବ। ଡିସେମ୍ବର ୫ ତାରିଖ ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍’ ଆନ୍ଧ୍ରପ୍ରଦେଶର ଉପକୂବର୍ତ୍ତୀ ଅଞ୍ଚଳ ନେଲୁର୍ ଓ ମଛଲିପଟ୍ଟନମ୍ ମଧ୍ୟରେ ସ୍ଥଳଭାଗକୁ ପ୍ରବେଶ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି।
ଏହା ପୂର୍ବରୁ ଅର୍ଥାତ୍ ଡିସେମ୍ବର ୪ ତାରିଖ ପୂର୍ବାହ୍ନ ସୁଦ୍ଧା ଗଭୀର ଅବପାତ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ତତ୍ସଂଲଗ୍ନ ଉତ୍ତର ତାମିଲନାଡୁ ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚିଯାଇଥିବ। ତା’ପରେ ଏହା ସାମୁଦ୍ରିକ ବାତ୍ୟା ‘ମିଚୌଙ୍ଗ୍’ ରୂପ ନେଇ ଘଣ୍ଟାପ୍ରତି ୧୦୦ କିଲୋମିଟର୍ ପବନ ଝଟକା ସହିତ ଆସିବ। ଡିସେମ୍ବର ୫ ତାରିଖ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳ ନେଲୁର୍ ଓ ମଛଲିପଟ୍ଟନମ୍ ମଧ୍ୟରେ ‘ଲ୍ୟାଣ୍ଡ୍ଫଲ୍’ କରିବ।
ଗଭୀର ଅବପାତ ଓ ବାତ୍ୟା ପ୍ରଭାବରେ ଦକ୍ଷିଣ ଓ ପୂର୍ବ ଭାରତର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ମଧ୍ୟ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ପାଣିପାଗ ବିଭାଗ ଜାରି କରିଥିବା ସତର୍କ ସୂଚନା ଅନୁଯାୟୀ, ଡିସେମ୍ବର ୪ ତାରିଖ ଦିନ ଦକ୍ଷିଣ ଉପକୂଳ ଓ ତତ୍ସଂଲଗ୍ନ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି, ଡିସେମ୍ବର ୫ ତାରିଖରେ ମଧ୍ୟ ଉପରୋକ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
୪ ତାରିଖରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
୫ ତାରଖରେ ରାଜ୍ୟର ଅନେକ ସ୍ଥାନରେ ବଜ୍ରପାତ ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, ନବରଙ୍ଗପୁର ଓ କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
୬ ତାରଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶା, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବାକି ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ, ଉତ୍ତର ଉପକୂଳ ଓଡ଼ିଶା ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ର ଜିଲ୍ଲାଗୁଡିକର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
୭ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାର ଜିଲ୍ଲା ଏବଂ ଅବଶିଷ୍ଟ କେନ୍ଦୁଝର ଜିଲ୍ଲାର ଅନେକ ସ୍ଥାନରେ, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳକୁ ନଯିବାକୁ ପରାମର୍ଶ ଦିଆଯାଇଛି।