Onn 3

ଡିସେମ୍ବର ୧ ରୁ ୭ ମୟୂରଭଞ୍ଜରେ ପାଳନ ହେବ ସଡକ ସୁରକ୍ଷା ତଥା ଜିରୋ ଫାଟାଲିଟି ସପ୍ତାହ

State

ବାରିପଦା: ଡିସେମ୍ବର ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜିରୋ ଫାଟାଲିଟି ସପ୍ତାହ ପାଳନ ହେବାକୁ ଥିବା ବେଳେ ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲା ସଡକ ସୁରକ୍ଷା କମିଟି ଦ୍ୱାରା ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାଇ, ଏହି ବୈଠକରେ ରାଜ୍ୟ ପ୍ରଶାସନିକ ମୁଖ୍ୟାଳୟ ଭୁବନେଶ୍ୱରରୁ ଆଭାସୀ ମାଧ୍ୟମରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ପ୍ରଦୀପ କୁମାର ଜେନା ଏହି ବୈଠକରେ ସବାହପତିତ୍ବ କରିଥିବା ବେଳେ, ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜ କଲେକଟରେଟ ପରିସର ସ୍ଥିତ ଓସୱାନ ହଲରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧକାରୀ ଙ୍କ ଉପସ୍ଥିତିରେ ଏହି ବୈଠକର ସଭାପତିତ୍ୱ କରିଥିଲେ। ଏହି ପରିପ୍ରେକ୍ଷୀରେ, ସମସ୍ତ ଜିଲ୍ଲାରେ କିପରି ଏହି ଜିରୋ ଫାଟାଲିଟି ସପ୍ତାହ ପାଳନ ସଠିକ ବ୍ୟବସ୍ଥିତ ଉପାୟରେ ହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଆରମ୍ଭରେ ଏହି ସମୀକ୍ଷା ବୈଠକରେ ମୁଖ୍ୟ ସଚିବ, ବାଣିଜ୍ଯ ଓ ପରିବହନ ବିଭାଗ, ଓଡିଶା ସରକାର, ଶ୍ରୀମତୀ ଉଷା ପାଢ଼ୀ ଏବଂ ଜଳ ସମ୍ପଦ ବିକାଶ କମିଶନର କମ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମତୀ ଅନୁ ଗର୍ଗ ଏହି ରାଜ୍ୟବ୍ୟାପୀ ସପ୍ତାହ ପାଳନ ର ଆଭିମୁଖ୍ୟ ଏବଂ ବିଗତ ସମୟରେ ଏହି ରାଜ୍ୟବ୍ୟାପୀ ଜିରୋ ଫାଟାଲିଟି ସପ୍ତାହ ପାଳନ ଦ୍ୱାରା ହୋଇଥିବା ରାଜ୍ୟବ୍ୟାପୀ ପରିସଂଖ୍ୟାନକୁ ଉପସ୍ଥାପନା କରିଥିଲେ। ସୂଚନା ଥାଉକି, ସମଗ୍ର ରାଜ୍ୟରେ ୨୦୨୨ ବର୍ଷ ରେ ୮୯୩୯ ସଂଖ୍ୟକ ସଡକ ଦୁର୍ଘଟଣା ହୋଇତିବା ବେଳେ, ୪୧୭୮ ସଂଖ୍ୟକ ମୃତ୍ୟୁ ଏବଂ ୭୮୯୮ ସଂଖ୍ୟକ ଆହତ ହୋଇଛନ୍ତି। ତେଣୁ ଏହି ମୃତ୍ୟୁ ସଂଖ୍ୟାକୁ କମାଇବା ପାଇଁ, ଏହି ସପ୍ତାହ ପାଳନ କରାଯିବ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସମସ୍ତ ଜିଲ୍ଲାରେ ଥିବା ପରିବହନ ବିଭାଗର କାର୍ଯ୍ୟାଳୟ ଦ୍ୱାରା ଦକ୍ଷତା ବୃଦ୍ଧି ନିମନ୍ତେ ଆଦେଶ ଦିଆଯାଇଥିଲା।

ବିଶେଷ କରି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ, ମୟୂରଭଞ୍ଜରେ ଜିରୋ ଫାଟାଲିଟି ସପ୍ତାହ ପାଳନ ପାଇଁ ଜିଲ୍ଲା ସ୍ଥିତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ଵରାଜ ବେହେରା ଏବଂ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଥିବା ଆରକ୍ଷୀ ଅଧିକ୍ଷକଙ୍କୁ ବିଭିନ୍ନ ପଦକ୍ଷେପ ଯେପରି, ମଦ୍ୟପାନକରି ଗାଡି ଚଳାଇବା କାର୍ଯ୍ୟକୁ ତଦାରଖ ତଥା କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଦ୍ରୁତ ଗତିରେ ଯାଉଥିବା ଗାଡି ମାନଙ୍କ ବେଗ ନିୟନ୍ତ୍ରଣ କରିବା ନେଇ ପଦକ୍ଷେପ, ଯାନବାହାନ ମାନଙ୍କର ଫିଟ୍ନେସ, ବିନା ହେଲ୍ମେଟ ପିନ୍ଧି ଗାଡି ଚାଲାଣ ଆଦିକୁ ଆଖି ଆଗରେ ରଖି କାର୍ଯ୍ୟାନୁଷ୍ଠାନ କଡାକଡି କରିବା ନେଇ ଆଲୋଚନା କରିଥିଲେ। ଏଥି ସହିତ, ସାମାଜିକ ସଚେତନତା ବାର୍ତ୍ତା, ପବ୍ଲିକ ମିଟିଂ, ସ୍କୁଲ ଏବଂ କଲେଜରେ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇବା ନେଇ ସମସ୍ତ ଆୟୋଜନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ପରାମର୍ଶ ଦେଇଥିଲେ। ମୁଖ୍ୟତଃ, ମୟୂରଭଞ୍ଜ ଏକ ପର୍ଯ୍ୟଟନ କେନ୍ଦ୍ରସ୍ଥଳି ହୋଇଥିବା ବେଳେ, ଏହି ଶୀତକାଳୀନ ପିକନିକ ଆୟୋଜନ ସମୟରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକ ଆସିଥାନ୍ତି ଏବଂ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଅନେକ ସଡକ ଦୁର୍ଘଟଣା ଦେଖିବାକୁ ମିଳେ। ତେଣୁ ଏହି ଜନଗହଳି ସ୍ଥାନ ମାନ ତଥା ପିକନିକ ସ୍ପଟ ମାନଙ୍କରେ କିଭଳି ଅଧିକରୁ ଅଧିକ ସଚେତନଧର୍ମୀ ବାର୍ତ୍ତା ପ୍ରେରଣା କରାଯିବ ସେ ପରିପ୍ରେକ୍ଷୀରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବେହେରା ଏହି ଜିରୋ ଫାଟାଲିଟି ସପ୍ତାହ ପାଳନ ପାଇଁ ବିଭିନ୍ନ ପଦକ୍ଷେପ ମାନ ବିଷୟରେ କମିଟିରେ ଥିବା ସମସ୍ତ ସଦସ୍ୟଙ୍କୁ ଅବଗତ କରାଇଥିଲେ।

ଏଥି ସହିତ ଏହି ଜିରୋ ଫାଟାଲିଟି ସପ୍ତାହ ପାଳନକୁ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଏବଂ ପଂଚାୟତ ପର୍ଯ୍ୟନ୍ତ ପହଞ୍ଚାଇବାକୁ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଠାରୁ ପରାମର୍ଶ ନେଇଥିଲେ। ଏହି ଆଭାସୀ ବୈଠକରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁନୀଲ ବଂଶଲ କହିଥିଲେ ଯେ ବିଗତ ଜିରୋ ଫାଟାଲିଟି ସପ୍ତାହ ପାଳନ ଯୋଗୁଁ ରାଜ୍ୟରେ ୪୦% ଦୁର୍ଘଟଣା କମି ଯାଇଛି ଏବଂ ଆଗକୁ ଏହି ସପ୍ତାହ ପାଳନ ପାଇଁ ଅଧିକ କାର୍ଯ୍ୟକାରିତା ବୃଦ୍ଧି ନେଇ ସମସ୍ତ ଅଧିକାରୀ ମାନଙ୍କ ସହଯୋଗ ଆବଶ୍ୟକ। ଏହି ବୈଠକରେ ମୟୂରଭଞ୍ଜ ଜିଲ୍ଲା ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଦୀପକ କୁମାର ଗୋଚ୍ଛାୟତ, ଅଧୀକ୍ଷକ ଯନ୍ତ୍ରୀ (R&B), ଡିଭିଜନ୍, ରାଇରଙ୍ଗପୁର, ଶ୍ରୀ ହେମନ୍ତ ନାୟକ, ଆଞ୍ଚଳିକ ପରିବହନ ସହକାରୀ ମୋଟର ଯାନ ଇନ୍ସପେକ୍ଟର, ଶ୍ରୀମତୀ ଚିନ୍ମୟୀ ମହାନ୍ତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଏବଂ ଅନ୍ୟାନ୍ୟ ଜିଲ୍ଲା ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଏହି ରାଜ୍ୟବ୍ୟାପୀ ସଡକ ସୁରକ୍ଷା ତଥା ଜିରୋ ଫାଟାଲିଟି ସପ୍ତାହ ପାଳନକୁ ସଫଳ କରିବା ପାଇଁ ବିଭିନ୍ନ ପଦକ୍ଷେପ ମାନ ବିଷୟରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ।