Onn 3

ଅବଧି ପରେବି ଅଧପନ୍ତରିଆ ପ୍ରକଳ୍ପ, ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ପ୍ରକଳ୍ପ ନିର୍ମାଣ

State

ଆଗରପଡ଼ା: ସରକାର ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ନିର୍ମାଣ କରୁଛନ୍ତି ଓ ଏଥି ବାବଦରେ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଏବଂ କାର୍ଯ୍ୟନିର୍ବାହ କରୁଥିବା ଠିକାଦାର ଓ ତଦାରଖ ଦାଇତ୍ୱରେ ଥିବା ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅବଧି ସରିବା ପରେ ମଧ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି ପ୍ରକଳ୍ପ । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ବୋଡ଼କମହାଜିବ ଠାରେ ନିର୍ମାଣାଧିନ ପାନୀୟ ଜଳଯୋଗାଣ ପ୍ରକଳ୍ପ ଠାରେ । ସରକାର ବର୍ଷ ୨୦୨୪ ରେ ଗ୍ରାମାଚଂଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନା ମାଧ୍ୟମରେ ଉକ୍ଷ୍ୟ ରଖି ଏହାର କାର୍ଯ୍ୟକୁ ତ୍ୱରାନ୍ନିତ କରୁଥିବା ବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କାର୍ଯ୍ୟସ୍ଥଳୀ ନିକଟରେ ସ୍ଥାଣିତ ସୂଚନା ଫଳକରେ ଲିପିବଦ୍ଧ ସୂଚନା ଅନୁଯାୟୀ ରାଜ୍ୟ ସରକାରଙ୍କ ପଂଚାୟତରାଜ ଓ ପାନୀୟ ଜଳଯୋଗାଣ ବିଭାଗ ଆନୁକୁଲ୍ୟରେ ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତର ବୋଡ଼କମହାଜିବ ଓ ବୋଡ଼କପାଟଣା ଗ୍ରାମବାସୀଙ୍କ ନିମନ୍ତେ ବୋଡ଼କମହାଜିବ ଠାରେ ୨୦୨୨-୨୩ ଆର୍ଥକ ବର୍ଷରେ ୧କୋଟି ୫୮ଲକ୍ଷ ୨୯ହଜାର୨୯୩ଟଙ୍କା ଅଟକଳ ମୂଲ୍ୟରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ମଂଜୁରୀ ପ୍ରଦାନ କରାଯାଇଥିଲା । ଏହାର ନିର୍ମାଣ କାର୍ଯ୍ୟ ୨୦୨୨ ଅଗଷ୍ଟ ମାସ ୩ ତାରିଖରେ ଆରମ୍ଭ ହୋଇ ୨୦୨୩ ଜୁଲାଇ ମାସ ୩ ତାରିଖରେ ଶେଷ ହେବା କଥା ।

କିନ୍ତୁ ଇତି ମଧ୍ୟରେ ଅବଧି ସରିବାର ୫ମାସ ବିତିବାକୁ ବସିଥିଲେ ସୁଦ୍ଧା ଏଠାରେ ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । କାଁ ଭାଁ କିଛି ଜାଗାକୁ ଛାଡ଼ି ପାଇପ ପିଛାଇବା କାର୍ଯ୍ୟ ଅଦ୍ୟାବଧି ସରିଯାଇଥିବା ବେଳେ ଗୃହ ନିର୍ମାଣ ଓ ଟାଙ୍କି ନିର୍ମାଣ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି । ତେଣୁ ସରକାରଙ୍କ ଧାର୍ଯ୍ୟ ସମୟରେ ଏହା କାର୍ଯ୍ୟକ୍ଷମ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଠାରେ ପ୍ରକାଶ ଥାଉକି;ଉକ୍ତ ପଂଚାୟତ ଅନ୍ତର୍ଗତ ବୋଡ଼କପାଟଣା ଠାରେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭାଗ ତରଫରୁ ୨୦୧୬-୧୭ ଆର୍ଥିକ ବର୍ଷରେ ଅର୍ଥ ମଂଜୁର ହୋଇ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲା । ବସୁଧା ଯୋଜନାରେ ଜଳଯୋଗାଣ ପ୍ରକ୍ରିୟା କାର୍ଯ୍ୟ ଆରମ୍ଭ ହେବା ଦିନ ଠାରୁ ଏଠାରେ ଉକ୍ତ ପ୍ରକଳ୍ପଟି ସଂପୂର୍ଣ୍ଣ ଫେଲ ମାରିବା ସହ ପାନୀୟ ଜଳଯୋଗାଣ ଠପ୍ ହୋଇପଡ଼ିଛି । କର୍ପୂର ଉଡ଼ିଯାଇଛି କିନ୍ତୁ ଏଠାରେ କନା ପଡ଼ିରହିଛି କାରଣ ପ୍ରକଳ୍ପ ନିର୍ମାଣ ସମୟରେ ପାଖାପାଖି ୩୫ଟି ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ସମସ୍ତ ପୋଷ୍ଟ ଅକାମୀ ହୋଇ ପଡ଼ିଛି । କାହାର ଟ୍ୟାପ୍ ନାହିଁତ କେଉଁଠି ପାଇପ୍ ମଧ୍ୟ ନାହିଁ । ଏଥିରେ ଜଳ ଯୋଗାଣବି ସଂପୂର୍ଣ୍ଣ ବନ୍ଦ ରହିଛି । ସରକାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବିଭାଗ ଦ୍ୱାରା ତାର ତତ୍ୱାବଧାନ ଠିକ୍ ଭାବେ ହେଉନଥିବାରୁ ଏହା ନିର୍ମାଣର ଅଳ୍ପ ଦିନ ମଧ୍ୟରେ ଅଚଳ ହୋଇପଡ଼ୁଥିବାର ଜଣାପଡ଼ୁଛି । ତେଣୁ କୋଟିକୋଟି ଟଙ୍କାରେ ନିର୍ମିତ ପ୍ରକଳ୍ପକୁ ଦୀର୍ଘ ସ୍ଥାୟୀ କରିବା ଓ ସମୟ ଅବଧି ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।