Onn 3

ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ, ଉନ୍ନୟନମୂଳକ କାର୍ଯ୍ୟରେ ବାଧା

State

ଆଗରପଡ଼ା: ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟାଳୟକୁ ନବକଳେବର କରାଯାଉଛି । ଯଦ୍ୱାରା ବାହ୍ୟ ରୂପରେଖରେ ପରିବର୍ତ୍ତନ ଆସୁଛି । କିନ୍ତୁ କାର୍ଯ୍ୟାଳୟ ଗୁଡ଼ିକରେ କର୍ମଚାରୀଙ୍କ ଅଭାବ ଲାଗି ରହିଥିବାରୁ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଆଗରପଡ଼ା ଅଂଚଳରେ ଥିବା ବିଭିନ୍ନ କାର୍ଯ୍ୟାଳଳରେ । ଶାଳପଡ଼ା ଡ଼ିଭିଜନ ଅଧିନରେ ଆଗରପଡ଼ା ଜଳସେଚନ କାର୍ଯ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ଏହାର ୨ଟି ସେକ୍ସନ ଯଥା ୩ନଂ ଓ ୪ନଂ ସେକ୍ସନ ଅଧିନରେ ୨୮ଟି ମାଇନର ଓ ୨ଟି ସବମାଇନର କାର୍ଯ୍ୟ କରୁଛି । ଏହିପରି ସ୍ଥଳେ କେବଳ ଜଣେ ମାତ୍ର ସହକାରୀ ଯନ୍ତ୍ରୀଙ୍କୁ ନେଇ ଚାଲିଛି ଏହି କାର୍ଯ୍ୟାଳୟ । କାର୍ଯ୍ୟରତ ସମସ୍ତ କର୍ମଚାରୀ ବର୍ତ୍ତମାନ ଅବସର ନେଇ ସାରିଥିବା ବେଳେ କୌଣସି ନୂତନ କର୍ମଚାରୀଙ୍କୁ ନିଯୁକ୍ତି ମିଳିନାହିଁ । ଆବଶ୍ୟକ ସ୍ଥଳେ ଅବସର ପ୍ରାପ୍ତ କର୍ମଚାରୀଙ୍କ ସହାୟତାର ବିଭିନ୍ନ କାର୍ଯ୍ୟ ସଂପାଦନା ହେଉଥିବା ଜଣାପଡ଼ିଛି । ପାଣି ପଂଚାୟତ ମାଧ୍ୟମରେ ଚେକ୍ ଡ଼୍ୟାମ,ରାସ୍ତା,କଲଭର୍ଟ,ପ୍ରୋଟେକ୍‌ସନ ୱାଲ ଆଦି ନିର୍ମାଣ ହେଉଥିବା ବେଳେ କର୍ମଚାରୀ ଅଭାବାରୁ ଏହାର ମଧ୍ୟ ତଦାରଖ ସଠିକ ଭାବେ ହୋଇପାରୁନଥିବାରୁ ଚାଷ ସମୟରେ ଚାଷ ପାଇଁ ଚାଷୀମାନଙ୍କ ସମସ୍ୟା ଦ୍ୱିଗୁଣିତ ହୋଇପଡ଼ୁଛି । ଉକ୍ତ କାର୍ଯ୍ୟାଳୟରେ ୨ଟି ସେକ୍ସନ ପାଇଁ ୧୭ ଜଣ କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ଜଣେ ଯନ୍ତ୍ରୀଙ୍କୁ ନେଇ କାର୍ଯ୍ୟଳୟ ଚାଲିଥିବା ବେଳେ ବନ୍ତ ତହସିଲ ଅଧିନ ଆଗରପଡ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିନରେ ପୁରୁଷଣ୍ଢ, ଗୋପିନାଥପୁର, ବିଟିପୁର, ବଡ଼ମହିଷଁଗୋଠ,ମହାନ୍ତିପଡ଼ା ଓ ଆଡ଼ିଆ ଏହିପରି ୬ ଗୋଟି ପଚାୟତର ପ୍ରାୟ ୪୭ ଗୋଟି ମୌଜା ରହିଥିବା ସ୍ଥଳେ ଜଣେ କର୍ମଚାରୀ ନିଯୁକ୍ତି ପାଇଛନ୍ତି ।

ଉକ୍ତ କର୍ମଚାରୀ ଜଣଙ୍କ ଖୋଦ ରାଜସ୍ୱ ନିରୀକ୍ଷକ । ଯିଏ ଏକାକି ଉକ୍ତ କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସଂପାଦନ କରୁଛନ୍ତି । ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ନା ଅଛନ୍ତି ଅମିନ ନା ପିଅନ । କେହି ଅନ୍ୟ କର୍ମଚାରୀ ନଥିବାରୁ କୌଣସି ସରକାରୀ କାର୍ଯ୍ୟରେ ନିରୀକ୍ଷକ ଜଣଙ୍କ ନିୟୋଜିତ ରହିଲେ କାର୍ଯ୍ୟାଳୟ ବନ୍ଦ ରହୁଥିବାର ଜଣାପଡ଼ିଛି । ଯଦ୍ୱାରା ଜମିଜମା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା, ଖଜଣା, ସାର୍ଟିଫିକେଟ ଆଦି ପାଇବାକୁ ଏଠାକୁ ଆସିଲେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ନିରାଶ ହୋଇ ଫେରୁଛନ୍ତି । ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନଙ୍କ ନାମଲେଖା ପାଇଁ ଆବଶ୍ୟକ ହେଉଥିବା ଆୟ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର ଆଦି ଠିକ୍ ସମୟରେ ମିଳି ପାରୁନଥିବା ଅଭିଯୋଗ ହେଉଛି । ସେହିପରି ବନ୍ତ ବ୍ଲକ ଏକ କୃଷି ପ୍ରଧାନ୍ୟ ଅଂଚଳ ହୋଇଥିବା ବେଳେ ଆଗରପଡ଼ାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ତେଣୁ ଚାଷୀଙ୍କ ବୃହତ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାରଙ୍କ ତରଫରୁ ଏଠାରେ ଏକ କୃଷି କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ଓ ଏହାର ଦାଇତ୍ୱ ସହ କୃଷି ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ଇତି ମଧ୍ୟରେ ଉକ୍ତ କୃଷି କାର୍ଯ୍ୟାଳୟ ପ୍ରତିଷ୍ଠାକୁ ୫୦ରୁ ଅଧିକ ବର୍ଷ ବିତି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ଏହା ଚାଷୀଙ୍କ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହେବା ସହ ନିଜ ପରିଚୟ ଖୋଜିବାରେ ଲାଗିଛି । ଉକ୍ତ କୃଷି କାର୍ଯ୍ୟାଳୟ ଉପରେ ଆଗରପଡ଼ା ଅଂଚଳର ୧୩ ଗୋଟି ଗ୍ରାମପଞ୍ଚାୟତର ଚାଷୀ ନିର୍ଭରଶୀଳ । ସେମାନେ ଖରିଫ ଋତୁ ଏବଂ ରବି ଋତୁରେ ଉକ୍ତ କାର୍ଯ୍ୟାଳୟରୁ ସମସ୍ତ ପ୍ରକାର ଚାଷ ଉପକରଣ ସାମଗ୍ରୀ ଯେପରିକି ଟ୍ରାକ୍ଟର, ପାୱାର ଟିଲର, ବିଷପକା ମେସିନ ଓ କୃଷି ଯନ୍ତ୍ରପାତି ସମେତ ଧାନ, ମୁଗ, ବିରି, ବାଦାମ, ସୂର୍ଯ୍ୟମୁଖୀ, ସୋରିଷ, ଗହମ ବିହନ ଇତ୍ୟାଦି ସରକାରଙ୍କ ଦ୍ୱାରା ପ୍ରଦତ୍ତ ରିହାତି ମୂଲ୍ୟରେ କ୍ରୟ କରିଥାନ୍ତି ।

Photo for the News of Staff Problem(Agriculture Office) (1)

କିନ୍ତୁ କିଛି ବର୍ଷ ହେବ ଉକ୍ତ କାର୍ଯ୍ୟାଳୟଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏହାର ପାରିପାଶ୍ୱିର୍କ ପରିସ୍ଥିତିରେ କୌଣସି ଉନ୍ନତି ହେଉନଥିବାରୁ ନା ସହକାରୀ କୃଷି ଅଧିକାରୀ ନା କର୍ମଚାରୀ କେହିବି ଏଠାକୁ ଆସୁଛନ୍ତି । ଜଣେ ମାତ୍ର କର୍ମଚାରୀ (ଡ଼ାଟା ଏଣ୍ଟ୍ରି ଅପରେଟର)ରେ ଉକ୍ତ କାର୍ଯ୍ୟାଳୟ ଚାଲିଛି । ତେଣୁ ଚାଷୀ ତାର ମୌଳିକ ସୁବିଧା ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇ ବ୍ଲକ କାର୍ଯ୍ୟାଳୟ ଉପରେ ନିର୍ଭର କରୁଛି । ଏବଂ ଅଧିକାଂଶ ସମୟରେ ମୌଳିକ ସୁବିଧାରୁ ବଂଚିତ ମଧ୍ୟ ହେଉଛି । ସେମାନଙ୍କ ମୌଳିକ ସୁବିଧାକୁ ଯୋଗାଇବା ଉଦ୍ଦେଶ୍ୟରେ ଉକ୍ତ କାର୍ଯ୍ୟାଳୟର ନବକଳେବର ପାଇଁ ବନ୍ତ ବ୍ଲକ ପକ୍ଷରୁ ପ୍ରାୟ ୪୫ ଲକ୍ଷ ଟଙ୍କାର ଯୋଜନା ଅଟକଳ କରାଯାଇ ସ୍ଥାନୀୟ ବିଧାୟକଙ୍କୁ ପ୍ରଦାନ କରାଯାଇ ଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ତେଣୁ ଆଗରପଡ଼ା ଅଂଚଳରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାୟଳରେ ଆବଶ୍ୟକୀୟ କର୍ମଚାରୀ ଯୋଗାଇ ଦେବା ପାଇଁ ବିଭାଗୀୟ ଉଚ୍ଛ ପଦସ୍ଥ ଅଧିକାରୀ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।

Photo for the News of Staff Problem(Irrigation Office)