Onn 3

କେନ୍ଦ୍ରାପଡ଼ା, ଯାଜପୁରରେ ଗ୍ରିନ୍‌ ଆମୋନିଆ କାରଖାନା

State

dgsgsffg-750x430

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩୩ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ୮୪,୯୧୮.୭୫ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୪୨,୨୮୧ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଓଡ଼ିଶାକୁ ଗ୍ରିନ୍ ହାଇଡ୍ରୋଜେନ୍ ହବ୍‌ରେ ପରିଣତ ଲାଗି ଏହି କ୍ଷେତ୍ରରେ ୪ଟି ପ୍ରକଳ୍ପ (କେନ୍ଦ୍ରାପଡ଼ା, ଯାଜପୁର, ରାୟଗଡ଼ା ଓ ମାଲକାନଗିରି)କୁ ମଞ୍ଜୁର କରାଯାଇଛି।
ସୂଚନା ଅନୁସାରେ, ୱେଲ୍‌ସ୍ପନ୍ ନିଉ ଏନର୍ଜି କେନ୍ଦ୍ରାପଡ଼ାରେ ୧୩,୮୬୦ କୋଟି ଟଙ୍କା ନିବେଶ କରି ୦.୭ ଏମଏମ୍‌ଟିପିଏର ଏକ ଗ୍ରିନ୍ ଆମୋନିଆ ଉତ୍ପାଦନ କାରଖାନା ବସାଇବ। ସେମ୍ବକର୍ପ ଗ୍ରିନ୍ ହା‌ଇଡ୍ରୋଜେନ୍‌ ଇଣ୍ଡିଆ ୧୩,୦୦୦ କୋଟି ଟଙ୍କା ନିବେଶରେ ଗଞ୍ଜାମର ଗୋପାଳପୁରରେ ଥିବା ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ରେ ୦.୭୨ ଏମ୍ଏମ୍‌ଟିପିଏର ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ କରିବ। ରିନିଉ ଇ-ଫୁଏଲ୍‌ସ ପକ୍ଷରୁ ମାଲକାନାଗିରିରେ ୧୦,୦୦୫ କୋଟି ଟଙ୍କା ନିବେଶରେ ଏକ ଗ୍ରିନ୍ ହାଇଡ୍ରୋଜେନ୍‌ ଓ ଗ୍ରିନ୍ ମିଥାନଲ୍‌ କାରଖାନା ସ୍ଥାପନ ହେବ। ସେହି କଂପାନି ରାୟଗଡ଼ାରେ ମଧ୍ୟ ୯୦୦୦ କୋଟି ଟଙ୍କା ନିବେଶ କରି ଏକ ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ଗ୍ରିନ୍ ମିଥାନଲ୍‌ କାରଖାନା ସ୍ଥାପନ କରିବ।
ଇସ୍ପାତ କ୍ଷେତ୍ରରେ ମଧ୍ୟ ଚାରିଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଟାଟା ଷ୍ଟିଲ୍‌ ଢେଙ୍କାନାଳରେ ଏଚ୍‌ଆର୍‌ ଓ ସିଆର୍‌ କଏଲ୍‌ ଉତ୍ପାଦନ ଲାଗି ୧୦,୩୫୧.୧୧ କୋଟି ଟଙ୍କା ନିବେଶ କରିବ। ଓଡ଼ିଶା ମେଟାଲର୍ଜିକାଲ୍‌ ଇଣ୍ଡଷ୍ଟ୍ରି ଝାରସୁଗୁଡ଼ାରେ ୫୨୦୦ କୋଟି ଟଙ୍କା ନିବେଶ କରି ଏକ ୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ବସାଇବ। ଆନୁଷଙ୍ଗିକ ଇସ୍ପାତ କ୍ଷେତ୍ରରେ ୱେଲ୍‌ସ୍ପନ୍ କର୍ପ ସମ୍ବଲପୁରରେ ୩୧୩୭ କୋଟି ଟଙ୍କା ନିବେଶ କରି ଏକ ଇଆର୍‌ଡବ୍ଲୁ ପାଇପ୍‌, ଡିଆଇ ପାଇପ୍ ନିର୍ମାଣ କାରଖାନା ସ୍ଥାପନ କରିବ। ବିଏମ୍‌ଡବ୍ଲୁ ଇଣ୍ଡଷ୍ଟ୍ରିଜ୍ ଯାଜପୁରର କଳିଙ୍ଗନଗରରେ ୧୦୯୪.୮୨ କୋଟି ଟଙ୍କା ନିବେଶରେ ଏକ ଇଆର୍‌ଡବ୍ଲୁ ପାଇପ୍, ଟିଏମ୍‌ଟି ବାର୍ କାରଖାନା ସ୍ଥାପନ କରିବ। ଶକ୍ତି ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ସୁନ୍ଦରଗଡ଼ରେ ଏନ୍‌ଟିପିସି ପକ୍ଷରୁ ୯,୨୦୮ କୋଟି ଟଙ୍କା ନିବେଶରେ ୮୦୦ ମେଗାୱାଟ୍‌ର ଥର୍ମାଲ ପାୱାର ପ୍ଲାଣ୍ଟ ସ୍ଥାପନ କରାଯିବ। ସେହିପରି ଇଣ୍ଡ ବରାଥ ଏନର୍ଜି ଉତ୍କଳ ୬୦୧୨.୪୬ କୋଟି ଟଙ୍କା ନିବେଶରେ ଝାରସୁଗୁଡ଼ାରେ ଏକ ୮୦୦ ମେଗାୱାଟର ସୁପର କ୍ରିଟିକାଲ୍ ଥର୍ମାଲ୍‌ ପାୱାର୍‌ ପ୍ଲାଣ୍ଟ ବସାଇବ। ଅନ୍ୟପକ୍ଷରେ, ୱେଲ୍‌ସ୍ପନ୍‌ ଲିଭିଂ ପକ୍ଷରୁ କଟକରେ ୩୦୫୦ କୋଟି ଟଙ୍କା ନିବେଶରେ ଏକ ବୟନ କାରଖାନା ସହ ଲଜିଷ୍ଟିକ୍ ପାର୍କ କରାଯିବ। ଗଞ୍ଜାମରେ ଏଜିସ୍ ଭୋପାକ୍ ତରଫରୁ ୧୦୦୦ କୋଟି ଟଙ୍କା ନିବେଶରେ ଏକ ତରଳ ଆମୋନିଆ ରଖିବା ଲାଗି ଟାଙ୍କି ସଂରକ୍ଷଣ ବ୍ୟବସ୍ଥା ସ୍ଥାପନ କରାଯିବ।