Onn 3

ସରକାରୀ ସ୍କୁଲ୍‌ରେ ବ୍ରାହ୍ମଣଘର ଝିଅକୁ ଜବରଦସ୍ତି ଅଣ୍ଡା ଖୁଆଇଲେ ଶିକ୍ଷକ; ତଦନ୍ତ ପାଇଁ ଆଦେଶ

National & International

 

eggs

ଶିବମୋଗ୍ଗା: ଶିକ୍ଷକ ଜବରଦସ୍ତି ଅଣ୍ଡା ଖୁଆଇଛନ୍ତି ବୋଲି କର୍ଣ୍ଣାଟକର ଶିବମୋଗ୍ଗା ଜିଲ୍ଲାର ଏକ ସରକାରୀ ସ୍କୁଲ୍‌ରେ ୨ୟ ଶ୍ରେଣୀରେ ପଢୁଥିବା ଜଣେ ବ୍ରାହ୍ମଣଘର ଝିଅ ଅଭିଯୋଗ କରିଛି।

ସେହି ସରକାରୀ ସ୍କୁଲ୍‌ରେ ଶିକ୍ଷକତା କରୁଥିବା ସେ ଝିଅର ବାପା ଭି. ଶ୍ରୀକାନ୍ତଙ୍କ ଅଭିଯୋଗକ୍ରମେ ଶିକ୍ଷା ବିଭାଗର ଅଧିକାରୀମାନେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଶିବମୋଗ୍ଗା ଜିଲ୍ଲା ଅନ୍ତର୍ଗତ ଗାର୍ତିକେରେ ନିକଟବର୍ତ୍ତୀ କାମ୍ମାଚି ଗ୍ରାମରେ ଥିବା କର୍ଣ୍ଣାଟକ ପବ୍ଲିକ୍‌ ସ୍କୁଲ୍‌ରେ ସେ ଝିଅଟି ୨ୟ ଶ୍ରେଣୀରେ ପଢ଼େ। ତା’ର ବାପା ଶ୍ରୀକାନ୍ତ ସେହି ସ୍କୁଲ୍‌ର ହାଇସ୍କୁଲ୍‌ରେ ଶିକ୍ଷକତା କରନ୍ତି।

୭ ବର୍ଷୀୟ ଝିଅ ତାଙ୍କ ନିକଟରେ ଅଭିଯୋଗ କରିଛି ଯେ, ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ଅଣ୍ଡା ଅପରିହାର୍ଯ୍ୟ। ତେଣୁ, ଅତିରିକ୍ତ ପୋଷକତତ୍ତ୍ବ ଭାବେ ପିଲାମାନଙ୍କୁ ଅଣ୍ଡା ପରିବେଷଣ କରାଯାଉଛି ବୋଲି ଶିକ୍ଷକ ତାକୁ କହିଛନ୍ତି।

ସୂଚନାଯୋଗ୍ୟ, ସେ ସ୍କୁଲ୍‌ର ଦ୍ବିତୀୟ ଶ୍ରେଣୀରେ ୨୬ଜଣ ପିଲା ପଢ଼ନ୍ତି। ସେମାନଙ୍କ ମଧ୍ୟରୁ ୧୦ଜଣ ନିରାମିଷାଶୀ।

ଝିଅ କଥା ଶୁଣି ବାପା ଶ୍ରୀକାନ୍ତ ଶିବମୋଗ୍ଗା ‘ଡିଡିପିଆଇ’ ସି.ଆର୍‌. ପରମେଶ୍ବରପ୍ପାଙ୍କ ନିକଟରେ ସେ ସ୍କୁଲ୍‌ର ସହକାରୀ ଶିକ୍ଷକ ପୁଟ୍ଟାସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ।  ଅଭିଯୋଗ ପତ୍ରରେ ସେ ଲେଖିଛନ୍ତି, ଅଣ୍ଡା ପରିବର୍ତ୍ତେ ‘ଚିକ୍କି’ ଦେବାକୁ ଝିଅ କହିଥିଲା। କିନ୍ତୁ, ଅଣ୍ଡା ସ୍ବାସ୍ଥ୍ୟ ପାଇଁ ଭଲ ବୋଲି ପୁଟ୍ଟାସ୍ବାମୀ କହିଲେ। ଅଣ୍ଡା ଖାଇ ମୋ ଝିଅ ଶାରୀରିକ ଓ ମାନସିକ ଅସୁସ୍ଥତା ବୋଧ କରୁଛି।

ଘଟଣାର ତଦନ୍ତ କରିବାକୁ ‘ଡିଡିପିଆଇ’ ସେଠାକାର ‘ବିଇଓ’ଙ୍କୁ ନିର୍ଦେଶ ଦେଇଛନ୍ତି।

ଗଣମାଧ୍ୟମକୁ ଶ୍ରୀକାନ୍ତ କହିଛନ୍ତି, ତାଙ୍କ ଝିଅ କେବେ ଆମିଷ ଆହାର କରି ନ ଥିଲା, କିନ୍ତୁ ଦୁଇ ଦିନ ତଳେ ତାକୁ ଜବରଦସ୍ତି ଅଣ୍ଡା ଖୁଆଯାଇଛି।