Onn 3

୨୦ ତାରିଖ ସୁଦ୍ଧା ପୂର୍ବ ଭାରତରେ ପହଞ୍ଚିବ ମୌସୁମୀ, ୨୧ରୁ ଓଡ଼ିଶାରେ ବର୍ଷା ସମ୍ଭାବନା

National & International

ଭୁବନେଶ୍ବର : ଜୁନ୍ ଅଧା ବିତିଯାଇଥିଲେ ମଧ୍ୟ ମୌସୁମୀ ନିର୍ଦ୍ଧାରିତ ସମୟଠାରୁ ବହୁ ବିଳମ୍ବରେ ଚାଲିଛି। ଜୁନ୍ ୧୫ ସୁଦ୍ଧା ମୌସୁମୀ ସମଗ୍ର ଦକ୍ଷିଣ ଉପଦ୍ୱୀପ, ବିହାର, ଝାଡ଼ଖଣ୍ଡର କିଛି ଅଂଶ, ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼ର ଅଧିକାଂଶ ଅଞ୍ଚଳକୁ ଅତିକ୍ରମ କରି ଗୁଜରାଟର ଦକ୍ଷିଣ ଭାଗରେ ପହଞ୍ଚିଥାଏ। କିନ୍ତୁ ଏବର୍ଷ ପଛୁଆ ଚାଲିଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ଏହି କାରଣରୁ ଓଡ଼ିଶା ସମେତ ଦେଶରେ ଅନେକ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି ।
କିନ୍ତୁ ଆଗାମୀ କିଛି ଦିନ ମଧ୍ୟରେ ସ୍ଥିତିରେ ଉନ୍ନତି ଆସିବାର ସମ୍ଭାବନା ରହିଛି । ପୂର୍ବ ଭାରତରେ ମୌସୁମୀର ଆଗମନ ପାଇଁ ଏବେ ସ୍ଥିତି ଅନୁକୂଳ ହେବାରେ ଲାଗିଛି । ଆରବ ସାଗରରେ ସୃଷ୍ଟି ହୋଇ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି କରିଥିବା ବିପର୍ଯ୍ୟୟ ବାତ୍ୟା ଧୀରେ ଧୀରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି ଓ ଉତ୍ତରପ୍ରଦେଶ ଆଡ଼କୁ ଗତି କରୁଛି । ଏହି ଲଘୁଚାପ ପ୍ରଭାବରୁ ପୂର୍ବ ଭାରତରେ ମୌସୁମୀର ଅଗ୍ରଗତି ପାଇଁ ସ୍ଥିତି ଅନୁକୂଳ ହୋଇଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ।
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବ। ବର୍ଷା ବଢ଼ିବା ସହ ଏହି ସବୁ ରାଜ୍ୟରେ ମୌସୁମୀର ପ୍ରବେଶ ହେବ। ଦେଶର ପୂର୍ବାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଖୁବ୍ ଶୀଘ୍ର ହ୍ରାସ ପାଇବ ।
ଅନ୍ୟପକ୍ଷରେ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୦ ତାରିଖ ପରଠାରୁ ରାଜ୍ୟରେ ତାତି କମିବ । ଏହା ସହିତ ୨୧ ପରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢିବ ।