Onn 3

ମୟୂରଭଞ୍ଜ ରେ ଅନୁଷ୍ଠିତ ହେଲା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସରଗୀ ଫୁଲ

State

ବାରିପଦା: ସାରା ଓଡ଼ିଶାରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ରାଜ୍ୟ ଶିକ୍ଷା ବିଭାଗର ଅନନ୍ୟ ପ୍ରୟାସ – ଶିଶୁ ମହୋତ୍ସବ ସରଗୀ ଫୁଲ। ସେହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ର ସଦର ମହକୁମା ବାରିପଦା ଠାରେ ବୁଧବାର ଦିନ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ତଥା ବିଜ୍ଞାନ ମେଳା ଏବଂ ଭଲ୍ଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ବାରିପଦା ସ୍ଥିତ ରାଣିଭୋଳ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହି ମହୋତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ଅପରାଂହ ରେ ଏହାର ଉଦଯାପନୀ କର୍ଯ୍ୟକ୍ରମ ସମ୍ପାଦିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ସ୍ଵତନ୍ତ୍ର ଅତିଥି ଭାବେ ପି. ଏ. ଆଇଟିଡିଏ, ବାରିପଦା ରାମଚନ୍ଦ୍ର ସୋରେନ୍ , ପି. ଏ. ଆଇଟିଡିଏ, କପ୍ତିପଦା, ନରେନ୍ଦ୍ର ଖମାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ, ପ୍ରଦ୍ୟୁମ୍ନ କୁମାର ଦାଶ, ମୁଖ୍ୟ ବକ୍ତା ଭାବେ, ଜିଲ୍ଲା ଶିକ୍ଷା ଅଧିକାରୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ନିରୀକ୍ଷକ ମାନସ ରଞ୍ଜନ ତ୍ରିପାଠୀ ଯୋଗ ଦେଇ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ସୂଚନା ଯୋଗ୍ୟ ଯେ ଏହି ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ୨୦ ଗୋଟି ପ୍ରକଳ୍ପ, ଭଲ୍ଲିବଲ୍ ପ୍ରତିଯୋଗିତା ଏବଂ ସରଗି ଫୁଲ କାର୍ଯ୍ୟକ୍ରମରେ ଜିଲ୍ଲାର ୪ ଗୋଟି ଉପଖଣ୍ଡରୁ ମନୋନୀତ ହୋଇ ସର୍ବମୋଟ୍ ୩୬୪ ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇ ବିଭିନ୍ନ ସୃଜନତ୍ମକ ପ୍ରତିଯୋଗିତାରେ ପ୍ରୁରସ୍କୃତ ହୋଇଥିଲେ। ଏହି ଅବସରରେ ସନ୍ଧ୍ୟା ରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ନେତ୍ରାନନ୍ଦ ମଲ୍ଲିକ, ଜିଲ୍ଲା ମଙ୍ଗଳ ଅଧିକାରୀ, ସଭାପତି ଭାବେ ପ୍ରଦ୍ୟୁମ୍ନ କୁମାର ଦାଶ, ଏବଂ ସମ୍ମାନିତ ଅତିଥି ଭାବେ ପି. ଏ. ଆଇଟିଡିଏ, ରାଇରଙ୍ଗପୁର ପରୀକ୍ଷିତ ଦାଶ ଯୋଗ ଦେଇଥିଲେ। ଏହି ସାନ୍ଧ୍ୟ ଅଧିବେଶନରେ ଜିଲ୍ଲା ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଶ୍ରୀ ମଲ୍ଲିକ ଏବଂ ସଭାପତି ପୁରସ୍କୃତ କରିଥିବା ବେଳେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହେମନ୍ତ କୁମାର କର ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଇତ୍ୟବସରରେ ଜିଲ୍ଲାର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାପାଇଁ ସହଯୋଗ କରିଥିବା ତଥ୍ୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।