Onn 3

କ୍ରୀଡ଼ା କ୍ଷେତ୍ରରେ କୁଳିଆ କେଏମ୍ ବିଦ୍ୟାପୀଠ ଛାତ୍ରୀଙ୍କ କୃତିତ୍ୱ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ କୁଳିଆ ସ୍ଥିତ କାଶିପୁର,ମୁକ୍ତେଶ୍ୱର ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାପୀଠର ଚାରି ଜଣ ଛାତ୍ରୀ ଚଳିତ ବର୍ଷ କ୍ରୀଡ଼ା କ୍ଷେତ୍ରରେ ବେଶ ସଫଳତା ଲାଭ କରିଛନ୍ତି । ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ଲୀନା ରାଉତଙ୍କ ସଠିକ୍ ତାଲିମ ଏବଂ ଛାତ୍ରୀମାନଙ୍କର ଉପଯୁକ୍ତ ଅଭ୍ୟାସ ବଳରେ ଏହି କୃତିତ୍ୱ ସମ୍ଭବପର ହୋଇଛି । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ସପ୍ତମ ଶ୍ରେଣୀ ଛାତ୍ରୀ ଶ୍ରିୟାଶ୍ରୀ ବେହେରା ରାଜ୍ୟ ସ୍ତରୀୟ ଖୋ ଖୋ ଏବଂ ୧୭ବର୍ଷରୁ କମ୍ ରାଜ୍ୟ ସ୍ତରୀୟ ଫୁଟବଲ ଖେଳ ପ୍ରତିଯୋଗିତାରେ ଉତ୍ତମ ଖେଳ ପ୍ରଦର୍ଶନ କରି ବ୍ଲକ ,ଜିଲ୍ଲା ଓ ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି ।

ସେହିପରି ଦଶମ ଶ୍ରେଣୀର ଛାତ୍ରୀ ବିଷ୍ଣୁପ୍ରିୟା କାଣ୍ଡି ଖୋ ଖୋ ଖେଳରେ ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କରିଥିବାବେଳେ ନବମ ଶ୍ରେଣୀ ଛାତ୍ରୀ ଅର୍ମିତା ସାହୁ କବାଡ଼ି ଖେଳରେ ମଧ୍ୟ ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କରିଛନ୍ତି । ଅପରପକ୍ଷରେ ଦଶମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ କାଣ୍ଡି ଜିଲ୍ଲା ସ୍ତରୀୟ ଖୋ ଖୋ ଖେଳରେ କୃତିତ୍ୱ ଲାଭ ମଧ୍ୟ କରିଛନ୍ତି । ଏହି ୪ଜଣ ଛାତ୍ରୀଙ୍କ ମଧ୍ୟରୁ ୩ଜଣ ରାଜ୍ୟ ସ୍ତରରେ ଓ ଜଣେ ଜିଲ୍ଲା ସ୍ତରରେ କୃତିତ୍ୱ ଲାଭ କରି ନିଜ ବିଦ୍ୟାଳୟ ଏବଂ ବ୍ଲକର ଗୌରବ ବଢାଇଥିବାରୁ ସେମାନଙ୍କୁ ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା, ପ୍ରଧାନଶିକ୍ଷୟିତ୍ରୀ ପ୍ରଭାତୀ ମିଶ୍ର, ସ୍କୁଲ ପରିଚାଳନା କମିଟି ସଭାପତି ପ୍ରଶାନ୍ତ କୁମାର ବାରିକ, ସରପଞ୍ଚ ଗୋପବନ୍ଧୁ ସେଠୀଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱାଗତ ଶୁଭେଚ୍ଛା ଜଣାଇଥିବା ବେଳେ ସେମାନଙ୍କୁ ତାଲିମ ପ୍ରଦାନ କରିଥିବା ଶାରିରୀକ ଶିକ୍ଷା ଶିକ୍ଷକ ଲୀନା ରାଉତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।