Onn 3

ଆରମ୍ଭ ହେବାକୁ ଯାଉଛି ବିଦ୍ୟାଳୟ ରୂପାନ୍ତକରଣ କାର୍ଯ୍ୟ

State

ଆଗରପଡ଼ା:ଗତ ୨୨ ଅକ୍ଟୋବର ରବିବାର “ନକ୍ସାରେ ସୀମିତ ଶ୍ରେଣୀ ଗୃହ;ବଦଳିପାରୁନି ୧୧୨ବର୍ଷ ବିଦ୍ୟାଳୟର ରୂପରେଖ”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ‘ଆମ ଓଡ଼ିଣା ନବୀନ ଓଡ଼ିଣା’ ଯୋଜନାରେ ନାନା ସମସ୍ୟା ମଧ୍ୟରେ ଗତି କରୁଥିବା ଅଭିଯୋଗ ହୋଇ ଆସୁଥିବା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଡ଼ାଳପଙ୍କସ୍ଥ ଯୋଗୀନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ରୂପାନ୍ତକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବା ଜଣାପଡ଼ିଛି । ଶିକ୍ଷକ ଅଛନ୍ତି, ପିଲାବି ଅଛନ୍ତି କିନ୍ତୁ ଶ୍ରେଣୀ ଗୃହ ଅଭାବରୁ ଏଠାରେ ଶିକ୍ଷା ଦାନରେ ଘୋର ସମସ୍ୟା ଉପୁଜୁଥିଲା । ସ୍ଥାନୀୟ ସରପଂଚଙ୍କ ସହାୟତାରେ ବିଦ୍ୟାଳୟ ଶ୍ରେଣୀ ଗୃହ ପାଇଁ ନକ୍ସା ପ୍ରସ୍ତୁତକୁ ବର୍ଷାଧିକ କାଳ ବିତି ଯାଇଥିଲେ ସୁଦ୍ଧା ଏଥିରେ କୌଣସି ଅଗ୍ରଗତି ହୋଇପାରିନଥିବା ଜଣାପଡ଼ିଥିଲା କିନ୍ତୁ ‘ଆମ ଓଡ଼ିଣା ନବୀନ ଓଡ଼ିଣା’ ଯୋଜନାରେ ଉକ୍ତ ସମସ୍ୟାର ସମାଧାନ ହେବାକୁ ଯାଇଥିବା ସୂଚନା ମିଳିଛି । ୧୯୧୧ ମସିହାରେ ସ୍ଥାପିତ ଏହି ପ୍ରାଥମିକ ବିଦ୍ୟାଳୟରେ ପାଂଚଟି ଶ୍ରେଣୀ ପାଇଁ ଦୁଇଟି ଗୃହ ଉର୍ଦ୍ଦିଷ୍ଟ ଥିବା ବେଳେ ୫ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି ।

ଏହା ମଧ୍ୟରେ ୧୧୨ ବର୍ଷ ଅତିକ୍ରମ କରି ସାରିଥିଲେ ସୁଦ୍ଧା ବିଦ୍ୟାଳୟଟିର ଶୈକ୍ଷିକ ପରିବେଶରେ ଉନ୍ନତି ହୋଇପାରିନଥିଲା । ଦୁଇଟି ଗୃହରେ ପାଂଚଟି ଶ୍ରେଣୀର ପାଠପଢା ଓ ଅଧ୍ୟାପନା କାର୍ଯ୍ୟ ସଂପାଦନକୁ ନେଇ ଅଭିଭାବକଙ୍କ ଚିନ୍ତା ବଢିଯାଇଥିଲା । ଦୁଇଟି ଗୃହ ଥିଲେ ସୁଦ୍ଧା ତାହାର ଅବସ୍ଥା କହିଲେ ନ ସରେ । ବିଦ୍ୟାଳୟ ପରିସରରେ ଥିବା ଏକ ପୋଖରୀ ମଧ୍ୟ କୋମଳମତି ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି । ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟାଳୟ କାର୍ଯ୍ୟାଳୟଟିର ମରାମତି କରାଯାଇଥିଲେ ସୁଦ୍ଧା ଶ୍ରେଣୀ ଗୃହ ଅଭାବରୁ ସାଂସଦଙ୍କ ପାଣ୍ଠିରୁ ଅନୁମୋଦିତ କମ୍ପ୍ୟୁଟର ଅଫିସ ଗୃହରେ ବ୍ୟବହାର ଯୋଗ୍ୟ ହୋଇ ନପାରି ଖତ ଖାଉଥିବା ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଉକ୍ତ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ହୋଇଥିବା ଜଣାପଡ଼ିଛି । ସର୍ବ ଶିକ୍ଷା ଅଭିଯାନ ମାଧ୍ୟମରେ ମିଳିଥିବା ରୋଷେଇ ଗୃହ ଅବସ୍ଥା ମଧ୍ୟ ଶୋଚନୀୟ ହୋଇଥିବାରୁ ବର୍ଷାହେଲେ ବାହାରେ ରୋଷେଇ କାର୍ଯ୍ୟ ସଂପାଦନା ହୋଇଥାଏ । ଶିକ୍ଷା ବ୍ୟବସ୍ଥାରେ ଏହିପରି ପ୍ରହସନ ଆଉ କେତେ ଦିନ ବୋଲି ସାଧାରଣ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିବା ଏବଂ ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।