Onn 3

ବିଧାନସଭା ଶୀତ ଅଧିବେଶନ ଲାଗି କଡ଼ା ସୁରକ୍ଷା

State

dgdagdgdga-750x430

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭା ଶୀତ ଅଧିବେଶନ ଡିସେମ୍ବର ୩୦ ତାରିଖ ଯାଏ ଚାଲିବ। ଅଧିବେଶନ ସମୟରେ ବିଭିନ୍ନ ସଂଗଠନ, ରାଜନୈତିକ ଦଳ, ସଂସ୍ଥା ପକ୍ଷରୁ ପ୍ରତିବାଦ ସଭା, ଧାରଣା, ବିକ୍ଷୋଭ ପ୍ରଦର୍ଶନ ହେବାର ଆଶଙ୍କା ରହିଛି। ଅଧିବେଶନ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ପ୍ରକାର ତ୍ରୁଟି ଦେଖାନଯାଏ ଓ ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ କମିସନରେଟ୍‌ ପୁଲିସ ନିଜକୁ ପ୍ରସ୍ତୁତ ରଖିବା ସହ ସଜାଗ ରହିଛି। ବିଧାନସଭାର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ୩ଥାକିଆ ସୁରକ୍ଷାବଳୟ ମଧ୍ୟରେ ରହିବ ବିଧାନସଭା। ବିଧାନସଭା ଓ ଆଖପାଖ ଅଞ୍ଚଳରେ ପୁଲିସ ଛାଉଣି କରାଯାଇଛି। ଏଥିପାଇଁ ୨୮ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବ। ସେହିପରି ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ ଆଦି ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ। କେବଳ ଏତିକି ନୁହେଁ ବିଧାନସଭାଠାରୁ ଆରମ୍ଭ କରି ଲୋୟର ପିଏମ୍‌ଜି, ରବୀନ୍ଦ୍ରମଣ୍ଡପ ଛକ ଏବଂ ସଂଲଗ୍ନ ରାସ୍ତାରେ ସିସିଟିଭି ଖଞ୍ଜା ଯାଇଛି।
ସୁରକ୍ଷାକୁ ଅଧିକ କଡ଼ାକଡ଼ି ପାଇଁ ବିଧାନସଭା ଗେଟ୍‌, ରବୀନ୍ଦ୍ରମଣ୍ଡପ ଗେଟ୍‌, ଲୋୟର ପିଏମ୍‌ଜି ଆଦି ୫ଟି ସ୍ଥାନରେ ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ ରୁମ୍‌ କରାଯାଇଛି।‌ ଡିସିପି ପ୍ରତୀକ ସିଂଙ୍କ ସମେତ ଦୁଇ ଡିସିପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ୮ଜଣ ଅତିରିକ୍ତ ଡିସିପି, ୧୬ଜଣ ଡିଏସ୍‌ପି ପାହ୍ୟାର ଅଧିକାରୀ, ୨୦ଜଣ ଆଇଆଇସିଙ୍କୁ ମିଶାଇ ୧୦୦ରୁ ଅଧିକ ଅଧିକାରୀ ଦାୟିତ୍ବରେ ରହିବେ। ଡିସିପି ଶ୍ରୀ ସିଂ କହିଛନ୍ତି, ଚଳିତଥର ବିଧାନସଭା ଅଧିବେଶନ ପାଇଁ ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଅହୋରାତ୍ର ଜଗି ରହିବେ। ବିଧାନସଭା ଛାତ ଉପରେ ମଧ୍ୟ ପୁଲିସ ରହିବେ। ପ୍ରବେଶ ପଥରେ ଦୁଇଟି ଚେକ୍‌ପୋଷ୍ଟ କରାଯାଇଛି।