Onn 3

ଦ୍ୱିପାଞ୍ଚଳବାସୀଙ୍କ ବିକାଶରେ ଫର୍ଦ୍ଦ ଯୋଡ଼ିବ ଚିତ୍ରୋତ୍ପଳାରେ ଦ୍ୱିତୀୟ ସେତୁ

State

ନିଶ୍ଚିନ୍ତକୋଇଲି  : ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ଚିତ୍ରୋତ୍ପଳା ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଛି । ରାଜ୍ୟ ସରକାରଙ୍କ ବିଜୁ ସେତୁ ଯୋଜନାରେ ୭୧କୋଟି ଆର୍ଥିକ ଅନୁଦାନ ରେ ଏହି ସେତୁ ନିର୍ମାଣ କରାଯିବ ବୋଲି ଜଣାଯାଇଛି । ଏଥ୍‌ôପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ଖସଡ଼ା ପ୍ରସ୍ତୁତି କରାଯାଇ ସେତୁ ନିର୍ମାଣ ନିମନ୍ତେ ଟେଣ୍ଡର ପାଇଁ ଆହ୍ୱାନ କରାଯାଇଛି । ଏହି ବ୍ଲକ ଅଞ୍ଚଳରେ ପୂର୍ବରୁ ଚିତ୍ରୋତ୍ପଳା ନଦୀ ଉପରେ ନେମାଳ-ସାନ୍ତପୁର କୁ ସଂଯୋଗ କରୁଥିବା ଏକ ସେତୁକୁ ତତ୍‌କାଳୀନ ମନ୍ତ୍ରୀ ସ୍ୱର୍ଗତ କାଳିନ୍ଦୀ ବେହେରାଙ୍କ ଉଦ୍ୟମରେ କରାଯାଇଥିଲା । ଯାହାଦ୍ୱାରା ହଜାର ହଜାର ଲୋକ ଉପକୃତ ହେଉଥିବା ବେଳେ ଲୁଣା ଚିତ୍ରୋତ୍ପଳା ଦ୍ୱିପାଞ୍ଚଳର ବହୁ ବିକାଶ ସାଧନ ହୋଇପାରିଛି । ଉକ୍ତ ଦ୍ୱିପାଞ୍ଚଳର ଅନେକ ପଞ୍ଚାୟତର ବିକାଶ ନିମନ୍ତେ ଚିତ୍ରୋତ୍ପଳା ନଦୀ ଉପରେ ଜନାର୍ଦ୍ଦନପୁର ଶନିମନ୍ଦିର ନିକଟରୁ କୁଳିଆ କୋଲଣପୁର କେନ୍ଦ୍ରାପଡ଼ା କେନାଲରୁ ନଦୀକୁ ସଂଯୋଗ କରୁଥିବା ସୁଇସଗେଟ୍ ପର୍ଯ୍ୟନ୍ତ ୯୧ମିଟର ଦୈର୍ଘ୍ୟ ବିଶିଷ୍ଟ ଅନ୍ୟ ଏକ ସେତୁ ନିର୍ମାଣ ପାଇଁ କଟକ ସଦର ବିଧାୟକ ତଥା କାଳିନ୍ଦୀ ବାବୁଙ୍କ ସୁପୁତ୍ର ଚନ୍ଦ୍ରସାରଥୀ ବେହେରା ଉଦ୍ୟମ ଜାରି ରଖିଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସେତୁ ଯୋଜନାରେ ଉକ୍ତ ପୋଲ ନିର୍ମାଣ କରାଯିବା ପାଇଁ ମଂଜୁର କରାଯାଇଛି । ଖୁବ୍ ଶୀଘ୍ର ଉକ୍ତ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣାଯାଇଛି । ଏହି ପୋଲ ନିର୍ମାଣ କରାଗଲେ ଧୋଇଆ ଅଞ୍ଚଳ ତଥା କଟକ ସଦର , ସାଲେପୁର , ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବହୁ ପଞ୍ଚାୟତ ର ଲୋକମାନଙ୍କର ବିକାଶ ହୋଇପାରିବ । ଏହି ସେତୁ ଦ୍ୱାରା ସାଲେପୁର, ନିଶ୍ଚିନ୍ତକୋଇଲି ଓ ଅନ୍ୟାନ୍ୟ ଅଞ୍ଚଳକୁ ଯାତାୟତ ପାଇଁ ବହୁ ରାସ୍ତା କମିଯିବା ସହିତ ଲୋକମାନଙ୍କର ଆର୍ଥିକ,ବାଣିଜ୍ୟକ ଓ ଭୌଗଳିକ କ୍ଷେତ୍ରରେ ବିକାଶଶୀଳ ହେବା ପାଇଁ ଏକ ନୂତନ ଫର୍ଦ୍ଦ ଯୋଡ଼ିପାରିବ ବୋଲି ବିଧାୟକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଏହି ସେତୁ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୋ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିଧାୟକ ଶ୍ରୀ ବେହେରାଙ୍କୁ ଡ଼େଲଟା ଅଞ୍ଚଳର ଜନସାଧାରଣ କୃତଜ୍ଞତା ଜ୍ଞାପନ କରିଛନ୍ତି ।