Img 20250318 Wa0136

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଶ୍ରୀ ମହେଶ୍ୱର ସୋରେନଙ୍କୁ ସାନ୍ତାଳୀ ସାଓଁହେଦ ଆଖଡ଼ା ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

State

ବାରିପଦା – ସାନ୍ତାଳୀ ଭାଷାରେ ୨୦୨୪ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିବା ଶ୍ରୀ ମହେଶ୍ୱର ସୋରେନଙ୍କୁ ସାହିତ୍ୟ ଅନୁଷ୍ଠାନ “ସାନ୍ତାଳୀ ସାଓଁହେଦ ଆଖଡ଼ା” ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଭୁବେନେଶ୍ୱରସ୍ଥିତ ନିଳାଦ୍ରୀ ବିହାର ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ପାର୍କ ପରିସରରେ ସଭାପତି ଶ୍ରୀମତୀ ମାଲତୀ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ସଭା ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥିମାନେ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥିଲେ । ବରିଷ୍ଠ ଲେଖକ ଶ୍ରୀ ମାଙ୍ଗାତ ମୁର୍ମୁ ଅତିଥି ମାନଙ୍କର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀ ରାମ୍ବାଇ ହେମ୍ବ୍ରମ ପୁରସ୍କୃତ ହୋଇଥିବା ପୁସ୍ତକ “ସେଚେଦ ସାଓଁତାରେ ଆନ୍ଧା ମାନମୀ” ଉପରେ ଆଲୋକପାତ କରିଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ଇଂ ସୋମନାଥ ହାଁସଦା ଏବଂ ସମ୍ମାନିତ ଅତିଥି ଭାବରେ ଆଖଡ଼ା ଉପଦେଷ୍ଟା ତଥା ଅବସର ପ୍ରାପ୍ତ ଓଏଏସ ଅଧିକାରୀ ଶ୍ରୀ ଵାଜେଲ ମାଝି ଯୋଗଦେଇ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିବା ଶ୍ରୀ ମହେଶ୍ୱର ସୋରେନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଵାସହିତ ସାନ୍ତାଳୀ ଫୁଟା କାଚା ଗାମୁଛା ଏବଂ ମାନପତ୍ର ପ୍ରଦାନ କରିଥିଲେ । ଏହା ସହିତ ସାହିତ୍ୟ ସାଧନାରେ ଅବଦାନ ଥିବା ଶ୍ରୀ ସୋରେନଙ୍କ ଧର୍ମ ପତ୍ନୀ ଶ୍ରୀମତୀ ନିରୁପମା ହାଁସଦାଙ୍କୁ ମଧ୍ୟ ଫୁଟାକାଚା ଝାଲ ଶାଢ଼ୀ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଉପସ୍ଥିତ ସମସ୍ତ ଅତିଥିମାନେ ଶ୍ରୀ ସୋରେନଙ୍କ ଏହି ସାହିତ୍ୟ ସାଧନା କାର୍ଯ୍ୟ ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିବାରୁ ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀ ସୋରେନ ଏହି ସମ୍ବର୍ଦ୍ଧନା କାର୍ଯ୍ୟ ପାଇଁ ତାଙ୍କର ଖୁସି ବ୍ୟକ୍ତ କରିଥିଲେ ଏବଂ ସାହିତ୍ୟ ସାଧନା ପାଇଁ ପ୍ରେରଣା ଯୋଗାଇବ ବୋଲି କହିଥିଲୋ ।

ଏହି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବରେ କିସ୍ ବିଶ୍ଵବିଦ୍ୟାଳୟର ସାନ୍ତାଳୀ ଅଧ୍ୟାପକ ଡଃ ସୁନାରାମ ସୋରେନ, ରାଜଗାଳ ଜାହେର ଆୟ ମହିଳା ସମିତିର ଉପସଭାପତି ଶ୍ରୀମତୀ ଦାନଗୀ ମୁର୍ମୁ, ସଂପାଦିକା ଶ୍ରୀମତୀ ପ୍ରିୟା ମଣି ଟୁଡୁ, ଛୋଟରାୟ ମୁର୍ମୁ, ଵାଢା ମୁର୍ମୁ, ସାଲଖାନ କିସ୍କୁ, ଭୀମଚରଣ ସୋରେନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ପରିଶେଷରେ କିସ୍ ବିଶ୍ଵବିଦ୍ୟାଳୟର ସାନ୍ତାଳୀ ଅଧ୍ୟାପକ ଡଃ ନାରାନ ଟୁଡୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିବା ବେଳେ କୁମାରୀ ସୁରୁକୁନୀ ମୁର୍ମୁ ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ଏଥିରେ ରାଜଧାନୀ ର ଅନେକ ସାନ୍ତାଳୀ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ।