Onn 3

ଜମରାରେ ବାଲ୍ୟ ବିବାହ ଘଟଣା ଜନସାଧାରଣଙ୍କ ଅଭିଯୋଗ; ପରିବାର ପକ୍ଷରୁ ଅସ୍ୱୀକାର; ଅଡ଼ୁଆରେ ପ୍ରଶାସନ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଜମରା ଗ୍ରାମର ଜନୈକ ବ୍ୟକ୍ତିଙ୍କ ନାବାଳିକା କନ୍ୟା ବିବାହ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ କର୍ମଚାରୀ ସୁସନ୍ଧ୍ୟା ଶତପଥୀ ଏବଂ ନିଶ୍ଚିନ୍ତକୋଇଲି ସିଡ଼ିପିଓଙ୍କ ତଦନ୍ତରେ ସମ୍ପୃକ୍ତ ନାବାଳିକା ପରିବାର ପକ୍ଷରୁ ଉକ୍ତ ବାଲ୍ୟ ବିବାହକୁ ଅସ୍ୱୀକାର କରାଯାଇଛି । ବ୍ଲକ ଅଞ୍ଚଳରେ ବାଲ୍ୟବିବାହକୁ ନେଇ ଜନସାଧାରଣଙ୍କ ଘନ ଘନ ଅଭିଯୋଗ ଏବଂ ପରିବାରକୁ ଅସ୍ୱୀକାର ଘଟଣାକୁ ନେଇ ପ୍ରଶାସନ ଏବେ ଅଡ଼ୁଆରେ ପଡ଼ିଥିବା ଚର୍ଚ୍ଚା ଯୋର ଧରିଛି । ଏ ସଂକ୍ରାନ୍ତରେ ନାବାଳିକା ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବାବେଳେ ସମ୍ପୃକ୍ତ ନାବାଳିକା ବନ୍ଧୁ ଘରକୁ ଯାଇଥିବା ଏବଂ ସେ ବିବାହ କରିନାହିଁ ବୋଲି ପରିବାର ପକ୍ଷରୁ ଲିଖିତ ପ୍ରମାଣ ପ୍ରଶାସନକୁ ପ୍ରଦାନ କରାଯାଇଥିବା ସିଡ଼ିପିଓ ସତ୍ୟଭାମା ବିଶୋଇ ପ୍ରକାଶ କରିଛନ୍ତି ।

ବୁଧବାର ବିଳମ୍ବିତ ରାତିରେ ଜମରା ଗ୍ରାମରୁ ଜଣେ +୨ କଲେଜ ପଢୁଆ ୧୭ ବର୍ଷ ୬ମାସର ହୋଇଥିବା ନାବାଳିକାକୁ କଟିକଟା ପଞ୍ଚାୟତ ପଶ୍ଚିମଖଣ୍ଡ ଭୋଳ ଗ୍ରାମର ଜଣେ ୧୯ବର୍ଷିଆ ଯୁବକ ନେଇ ଏକ ମନ୍ଦିରରେ ମାଳାଅଦଳ ବଦଳ କରି କେଉଁ ଆଡ଼େ ଫେରାର ହୋଇଯାଇଥିଲେ । ଉକ୍ତ ଘଟଣା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ନିଶ୍ଚିନ୍ତକୋଇଲି ସିଡ଼ିପିଓ ଙ୍କ ମୋବାଇଲ ଯୋଗେ ଅବଗତ କରିଥିଲେ । ଉକ୍ତ ଅଭିଯୋଗ କୁ ଭିତ୍ତି କରି ପ୍ରଥମେ ସିଡ଼ିପିଓ ଏବଂ ଶୁକ୍ରବାର ଦିନ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ ନାବାଳିକା ଙ୍କ ଜମରା ଗ୍ରାମ ବାସଭବନକୁ ଯାଇ ତଦନ୍ତ କରି ରିପୋର୍ଟ ନେଇ ଫେରିଥିବା ଜଣାଯାଇଛି ।