Onn 3

ନିର୍ମାଣ ହେଲା ବାଙ୍କତିରା-ତୁମ୍ଭାପଦି ରାସ୍ତା

State

ଆଗରପଡ଼ା :ବର୍ତ୍ତମାନ ପଂଚାୟତ ସମିତି ବନ୍ତ ପକ୍ଷରୁ ବିଭିନ୍ନ ଅନୁଦାନ ରାଶିରେ କାଦବରାଙ୍ଗ ପଂଚାୟତ ଅଧିନ ୨ନଂ, ୩ନଂ ଓ ୪ନଂ ୱାର୍ଡ଼ ଅର୍ନ୍ତଗତ ବାଙ୍କତିରା ଓ ତୁମ୍ଭାପଦୀ ଗ୍ରାମର ଅତି ଶୋଚନୀୟ ଅବସ୍ଥାରେ ଥିବା ରାସ୍ତା କୁ ସ୍ଥାୟୀ ପକ୍କା ରାସ୍ତାରେ ପରିଣତ କରାଯାଇଥିବା ବେଳେ ଆଗାମୀ ଦିନରେ ଅନ୍ୟ ସଂଯୋଗୀକରଣ ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ସୂଚନା ବିଭାଗ ତରଫରୁ ମିଳିଛି । ଏଠାରେ ପ୍ରକାଶ ଥାଉକି ଗତ ଜୁଲାଇ ମାସ ୮ତାରିଖରେ “ପଂଚାୟତ ସମିତିର ୮ଗୋଟି ରାସ୍ତା ଗ୍ରାମ୍ୟ ଉନ୍ନୟନକୁ ହସ୍ତାନ୍ତର ପ୍ରସଙ୍ଗ;ବାଙ୍କତିରା-ତୁମ୍ଭାପଦୀ ରାସ୍ତାକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ପଂଚାୟତ ସମିତି ବନ୍ତର ୮ଗୋଟି ବିଭିନ୍ନ ରାସ୍ତା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହେବା ଖବର ପ୍ରକାଶିତ ହେବା ପରେ ବ୍ଲକର ଅନ୍ୟ ପଂଚାୟତରେ ଲାଗିରହିଥିବା ରାସ୍ତା ସମସ୍ୟାକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଥିବା ଜଣାପଡ଼ିଥିଲା । ତନ୍ମଧ୍ୟରୁ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ବାଙ୍କତିରା-ତୁମ୍ଭାପଦି ରାସ୍ତା ଅନ୍ୟତମ ଥିଲା । ଉକ୍ତ ରାସ୍ତା ଗ୍ରମ୍ୟା ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାନଯିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦାନା ବାନ୍ଧୁଥିଲା । ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଅଧିନ ୨ନଂ, ୩ନଂ ଓ ୪ନଂ ୱାର୍ଡ଼ ଅର୍ନ୍ତଗତ ବାଙ୍କତିରା ଓ ତୁମ୍ଭାପଦୀ ଦୁଇଟି ଗାଁ । ଏହି ଦୁଇ ଗ୍ରାମର ଲୋକ ସଂଖ୍ୟା ପାଖାପାଖି ୧୮୦୦ । ମାତ୍ର ଏଠାକୁ ଭଲ ରାସ୍ତାଟିଏ ନଥିଲା । ବାଙ୍କତିରା ସ୍କୁଲ ଠାରୁ ଏକ ମୋରମ ରାସ୍ତା ଏହାକୁ ସଂଯୋଗ କରୁଥିଲା ।

ହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେଉନଥିଲା । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ ଥିଲା । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇଁ ଆଦୈା ସମ୍ଭବ ହେଉନଥିଲା । ଏଠାରୁ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ ବାଙ୍କତିରା ସ୍କୁଲକୁ ,ଆଗରପଡ଼ା କଲେଜକୁ, କୋମଳମତୀ ଶିଶୁ ବାଙ୍କତିରା ଅଙ୍ଗନବାଡ଼ି କେନ୍ଦ୍ର କୁ ଅଧ୍ୟୟନ ପାଇଁ ଆସିଥାନ୍ତି । ବର୍ଷା ଋତୁରେ ସାମାନ୍ୟ ବର୍ଷା ହେବା ମାତ୍ରେ ଏହି ରାସ୍ତାରେ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏ ପାଣି ଜମା ହୋଇ ଯାଉଥିଲା । ଯଦ୍ୱାରା ଗମନା ଗମନରେ ଘୋର ଅସୁବିଧା ସୃଷ୍ଟି ହେଉଥିଲା । ଏହି ରାସ୍ତାଟି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅର୍ନ୍ତଗତ ସରମରା ଗାଁକୁ ମଧ୍ୟ ସଂଯୋଗ କରୁଛି । ରାସ୍ତା ଅବସ୍ଥା ଯୋଗୁଁ ଦମକଳ ଓ ଆମ୍ବୁଲାନ୍ସ ଆସି ପହଂଚୁଥିଲେ ମଧ୍ୟ ଏହାର ସୁବିଧା ଗ୍ରାମବାସୀ ପାଇ ପାରୁନଥିଲେ । ରାସ୍ତା ଅବସ୍ଥା ଯୋଗୁଁ ଗ୍ରାମବାସୀମାନେ ପ୍ରତିଦିନ ବ୍ଲକ ଓ ତହସିଲ ଆଦି କାର୍ଯ୍ୟାଳୟକୁ ଅଧିକ ଦୂରବର୍ତ୍ତୀ ରାସ୍ତାଦେଇ ଯାଆଆସ କରୁଥିଲେ । ଅଡ଼ାଳପଙ୍କ ଓ ବରପଦା ଦେଇ ଗଲେ ଅଧିକ ଖର୍ଚ୍ଚାନ୍ତ ହେବାସହ ଅଯଥାରେ ସମୟ ଅପଚୟ ହେଉଥିଲା ।

ଗତ ୬ବର୍ଷ ମଧ୍ୟରେ ବିଭିନ୍ନ ଅନୁଦାନରେ ଭକ୍ତ ରାସ୍ତା ମରାମତି ହେଇଥିଲେ ସୁଦ୍ଧା ସ୍ଥାୟୀ ରାସ୍ତାଟିଏ ହୋଇପାରୁନାହିଁ । ବିଭିନ୍ନ ସମୟରେ ଗ୍ରାମବାସୀ ମାନେ ରାସ୍ତା ବାବଦରେ ସ୍ୱର ଉତ୍ତୋଳନ କଲେ ମଧ୍ୟ କିଛି ସୁଫଳ ପାଇପାରୁନଥିବା ଅଭିଯୋଗ କରିଆସୁଥିଲେ । ଉକ୍ତ ରାସ୍ତାକୁ ସ୍ଥାୟୀ ରାସ୍ତାରେ ପରିଣତ କରିବା ପାଇଁ ଗ୍ରାମବାସୀ ଦାବି କରିଥିଲେ ସୁଦ୍ଧା ପଂଚାୟତ ସମିତି ବନ୍ତର ୮ଟି ବିଭିନ୍ନ ରାସ୍ତା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହୋଇଥିବା ବେଳେ ଉକ୍ତ ରାସ୍ତାକୁ ତାଲିକା ଭୁକ୍ତ କରାଯାଇନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲେ ସୁଦ୍ଧା ଉକ୍ତ ରାସ୍ତାକୁ ନେଇ ପ୍ରଶାସନର ନୀରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା । ତେଣୁ ଉକ୍ତ ରାସ୍ତାକୁ ସ୍ଥାୟୀ ରାସ୍ତାରେ ପରିଣତ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ କିଛି ଦିନ ତଳେ ପଂଚାୟତ ସମିତି ବନ୍ତ ପକ୍ଷରୁ ଏସଏଫସି ଯୋଜନାରେ ଏକ ଏକ୍ଷ ପଚାଶ ହଜାର ଅଟକଳ ମୂଲ୍ୟରେ କାଦବରାଙ୍ଗ ପଂଚାୟତ ଅର୍ନ୍ତଗତ ୪ ନଂ ୱାର୍ଡ଼ର ତୁମ୍ଭାପଦୀ ଗାଁ ରାସ୍ତା କଂକ୍ରିଟ୍ ରାସ୍ତାରେ ପରିଣତ ହୋଇଥିବା ବେଳେ ଏବେ ଏସଏଫସି ଯୋଜନାରେ ଦୁଇ ଲକ୍ଷ ଅଟକଳ ମୂଲ୍ୟରେ ବାଙ୍କତିରା ଗ୍ରାମର ବିଶ୍ୱମ୍ବର ଯେନା ଘର ଠାରୁ ବାଙ୍କତିରା ହାଇସ୍କୁଲ ଛକ ପର୍ଯ୍ୟନ୍ତ ରାସ୍ତାକୁ କଂକ୍ରିଟ୍ ରାସ୍ତାରେ ପରିଣତ କରାଯାଇଥିବା ଜଣାପଡ଼ିଛି ।