Onn 3

ଆରମ୍ଭ ହେଲା କଲ୍ୟାଣମଣ୍ଡପ ନିର୍ମାଣ

State

ଆଗରପଡ଼ା :ଶେଷରେ ଅପେକ୍ଷାର ଅନ୍ତ ଘଟିଛି । ୪ବର୍ଷ ପୂରିବାକୁ ବସିଥିବା ଅଧପନ୍ତରିଆ କଲ୍ୟାଣମଣ୍ଡପ ନିର୍ମାଣ କାର୍ଯ୍ୟ ଇତି ମଧ୍ୟରେ ଆରମ୍ଭ ହୋଇଥିବା ଜଣାପଡ଼ିଛି । କଲ୍ୟାଣମଣ୍ଡପ ସମସ୍ୟାକୁ ନେଇ ଗତ ୫ତାରିଖ “ବିତିଲା ୫ବର୍ଷ;ଅନିଶ୍ଚିତତାରେ ପ୍ରକଳ୍ପ, ନିର୍ମାଣ ହୋଇପାରିନି କଲ୍ୟାଣମଣ୍ଡପ”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ୨୦୨୦-୨୧ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ଓଡ଼ଙ୍ଗ ପଂଚାୟତର ତୋଟାସାହି ଠାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଉକ୍ତ ପ୍ରକଳ୍ପ ନିର୍ମାଣକୁ ୪ବର୍ଷର୍ ପୁରିବାକୁ ବସିଥିଲେ ସୁଦ୍ଧା ପ୍ରକଳ୍ପଟି ଗ୍ରେଡ଼ମବିମରେ ଅଟକିରହିଥିଲା । ତୋଟାସାହି ଉକ୍ତ ଅଂଚଳର ଏକ ପବିତ୍ର ସ୍ଥାନ ହୋଇଥିବା ବେଳେ ଜିଲ୍ଲାରେ ସାବିତ୍ରୀ ଆଡ଼ି ନାମରେ ପରିଚିତ ଥିବାରୁ ଏଠାରେ ଜଲ୍ୟାଣ ମଣ୍ଡପ ନିର୍ମାଣର ଗୁରୁତ୍ୱ ଥିବା ସ୍ଥଳେ ଏହା ଅଧପନ୍ତରିଆ ଅବସ୍ଥାରେ ରହିଥିବା ଖବର ପ୍ରକାଶ ପାଇବା ପରେ ବିଭାଗ ତରଫରୁ ଏହାର ନିର୍ମାଣ କାର୍ଯ୍ୟ ଇତି ମଧ୍ୟରେ ଆରମ୍ଭ ହୋଇଛି ।

୨୦୧୮-୧୯ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ ପୁରୁଷଣ୍ଢ ପଂଚାୟତରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଇତି ମଧ୍ୟରେ ଉକ୍ତ ପ୍ରକଳ୍ପକୁ ୫ବର୍ଷ ପୁରିଯାଇଥିଲେ ସୁଦ୍ଧା ପ୍ରକଳ୍ପଟି ଅଧାପନ୍ତରିଆ ଅବସ୍ଥାରେ ରହିଛି । ସ୍ଥାପିତ ଫଳକରେ କାର୍ଯ୍ୟାରମ୍ଭର ସୂଚନା ମଧ୍ୟ ଆଜି ସୁଦ୍ଧା ସ୍ଥାଣିତ ହୋଇପାରି ନଥିବା ବେଳେ କାମ ନ ସରୁଣୁ ବାରମ୍ବାର କାନ୍ଥ ଫାଟୁଥିବାରୁ ସାଧାରଣରେ ଉକ୍ତ ପ୍ରକଳ୍ପର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ବିଭିନ୍ନ ସମୟରେ ଉକ୍ତ କଲ୍ୟାଣମଣ୍ଡପ ସମସ୍ୟାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଗତ ଜୁଲାଇ ମାସ ୧୪ ତାରିଖରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ସୂଚନା ଅନୁଯାୟୀ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ସମୂର୍ଣ୍ଣ ନହେବାରୁ ଉକ୍ତ କଲ୍ୟାଣମଣ୍ଡପ ନିର୍ମାଣ ନିମନ୍ତେ ମଂଜୁର ଅର୍ଥ ଫେରସ୍ତ ହୋଇଯାଇଥିବାରୁ ଏହା ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଥିବାର ସୂଚନା ମିଳିଥିବା ବେଳେ । ୨୦୧୬-୧୭ ଆର୍ଥିକ ବର୍ଷରେ ପଂଚାୟତ ସମିତି ବନ୍ତ ପକ୍ଷରୁ କାଦବରାଙ୍ଗ ପଂଚାୟତରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଂଜୁର କରାଯାଇଥିଲା । ଇତି ମଧ୍ୟରେ ଉକ୍ତ ପ୍ରକଳ୍ପକୁ ୬ ବର୍ଷ ପୁରିଯିବା ସହ ୨ଜଣ ସରପଂଚଙ୍କ କାର୍ଯ୍ୟକାଳ ସରିସାରିଥିଲେ ସୁଦ୍ଧା ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇପାରିନାହିଁ । ବିଭିନ୍ନ ପଂଚାୟତରେ ନିର୍ମିତ ଅଧପନ୍ତରିଆ କଲ୍ୟାଣ ମଣ୍ଡପ କେବେ ଜନକଲ୍ୟାଣରେ ଲାଗିବ ସେଥିନେଇ ପଂଚାୟତବାସୀ ଚିନ୍ତା ପ୍ରକଟ କରିଛନ୍ତି । ଉକ୍ତ ପ୍ରକଳ୍ପର ନିର୍ମାଣ ଶୀଘ୍ର ସମ୍ପୂର୍ଣ୍ଣ କିପରି ହେବ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ପଂଚାୟତବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହେଉଥିବା ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା ।