Onn 3

ସଂସ୍କାର ଶିଶୁ ମହୋତ୍ସବ ‘ ମୟୂରୀ ‘ – ୨୦୨୩ ଉଦଘାଟିତ

State

ବାରିପଦା: ସ୍ଥାନୀୟ ମ୍ୟୁନିସିପାଲିଟି ଗେଷ୍ଟ ହାଉସ ପରିସରରେ ସଂସ୍କାର ଶିଶୁ ମହୋତ୍ସବ କମିଟି ଓ ବାରିପଦା ପୌରପାଳିକାର ମିଳିତ ପ୍ରୟାସରେ ବିଦ୍ୟାଳୟ ସ୍ତରୀୟ ୯ମ ଶିଶୁ ମହୋତ୍ସବ – ‘ମୟୂରୀ’ ୨୦୨୩ ଉଦଘାଟିତ ହୋଇଯାଇଛି I ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ନର୍ସରୀ ଠାରୁ ୧୦ମ ଶ୍ରେଣୀ ମଧ୍ୟରେ ମୋଟ ୩ ଶହ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି I ଉଦଘାଟନୀ ଉତ୍ସବରେ ଆୟୋଜକ କମିଟିର ଅଧ୍ୟକ୍ଷ ତଥା ନଗରପାଳ କୃଷ୍ଣIନନ୍ଦ ମହାନ୍ତି ସ୍ୱାଗତ ଅଭିଭାଷଣରେ ମୟୂରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଆଗାମୀ ବର୍ଷ ମାନଙ୍କରେ ବାରିପଦା ପୌରପାଳିକା ସମ୍ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗଙ୍କ ଯୋଗାଇ ଦେବବୋଲି ପ୍ରତିଶୃତି ଦେଇଥିଲେ I ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟର ମୁଖ୍ୟ ଡଃ ଆଦିତ୍ୟ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ଥିବା ପ୍ରତିଭାର ଅନ୍ୱେଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଥିଲେ I ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ଶିଶୁ ମାନଙ୍କର ପ୍ରତିଭାର ବିକାଶ ପାଇଁ ଅଭିଭାବକ ମାନେ ଯତ୍ନବାନ ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ I

ସମ୍ମାନନୀୟା ଅତିଥି ଭାବେ ଯୋଗ ଦେଇ ଉପ ନଗରପାଳ ସୀମା ଦାସ କୁନିକୁନି ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ ମା’ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପାଧ୍ୟକ୍ଷ ମନୋଜ କୁଁଅର, ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସଂଗ୍ରାମ କେଶରୀ ଭଞ୍ଜଦେଓ, ଉପଦେଷ୍ଟା ସ୍ୱରୂପ ପଟ୍ଟନାୟକ, କ୍ଷେତ୍ର ମୋହନ ପଣ୍ଡାଙ୍କ ସମେତ ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ I ସଦସ୍ୟ ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସଞ୍ଜୟ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ I ମଙ୍ଗଳବାର ଯୋଗ, ଗୀତା ଶ୍ଲୋକ ଆବୃତ୍ତି ପ୍ରତିଯୋଗିତା, କୌତୁକ ବେଶ ପ୍ରତିଯୋଗିତା, ସଂଗୀତ ନୃତ୍ୟ ସହିତ ଅନ୍ୟାନ୍ୟ ପ୍ରତିଯୋଗିତା ସହ ପୁରସ୍କାର ବିତରଣୀ ଉତ୍ସବ ଶିଶୁ ଉଦ୍ୟାନରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ଚୌଧୁରୀଙ୍କ ସୂତ୍ରରୁ ପ୍ରକାଶ I