Onn 3

ଡିସେମ୍ବର ମାସ ରେ ଆରମ୍ଭ ହେବ ପଦଯାତ୍ରା -ଭଞ୍ଜସେନା

State

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ଏକମାତ୍ର ବିଶ୍ୱରେ କଳା ମୁଗୁନି ପଥରରେ ନିର୍ମିତ ଖିଚିଂ ସ୍ଥିତ ମାଆ କିଚକେଶ୍ବରୀଙ୍କ ମନ୍ଦିର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଆଖିଦୃଶିଆ ଅନୁଦାନ ପ୍ରଦାନ ଦାବୀ ସହିତ ବାରିପଦା ସ୍ଥିତ ଧ୍ବଂସାଭିମୁଖୀ ମୟୁରଭଞ୍ଜର ପୂର୍ବତନ ରାଜପ୍ରସାଦର ପୁନଃରୁଦ୍ଧାର ପାଇଁ ବାରିପଦା ପୂର୍ତ୍ତ ବିଭାଗ ପକ୍ଷରୁ ସର୍ଭେ ହୋଇ ଯୋଉ ଅଟକଳ ରାଶି ସରକାରଙ୍କୁ ପଠାଯାଇଛି, ତୁରନ୍ତ ସେହି ଅର୍ଥରାଶି ପ୍ରଦାନ କରିବାର ଦାବୀ ନେଇ ମୟୁରଭଞ୍ଜ ଜିଲ୍ଲାର ସଂଗ୍ରାମୀ ଯୁବଛାତ୍ର ସଂଗଠନ ଭଞ୍ଜସେନା,ଯୁବଶାଖା ପକ୍ଷରୁ ଚଳିତ ନଭେମ୍ବର ମାସ ୧୫ତାରିଖରୁ ଖିଚିଂ ସ୍ଥିତ ମାଆ କିଚକେଶ୍ବରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରି ସେହିଠାରୁ ଏକ ପଦଯାତ୍ରା ଆରମ୍ଭ ହୋଇ ଯଶିପୁର-ମଣଦା-ବିଶୋଇ-ବାଙ୍ଗିରିପୋଷି-କୁଳିଅଣା ହୋଇ ବାରିପଦାରେ ପହଞ୍ଚି ୨୧ତାରିଖରେ ପାଲବଣୀ ଗୋଲେଇ ଠାରୁ ପଦଯାତ୍ରୀ ଙ୍କୁ ସ୍ୱାଗତ କରି ତାଙ୍କ ସହିତ ଏକ ଶୋଭାଯାତ୍ରା ଷ୍ଟେସନବଜାର -କେସି ସର୍କଲ -ବଡବଜାର -ବାରିପଦା ରାଜପ୍ରସାଦ -ମାର୍କେଟ ଛକ -ମୁଖ୍ୟ ମାର୍କେଟ ରାସ୍ତା -ବିଜୁ ପଟ୍ଟନାୟକ ଗୋଲେଇ -କଚେରୀ ରୋଡ଼ ଅତିକ୍ରମ କରି ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା |

ମାତ୍ର ବର୍ତ୍ତମାନ କାଳୀପୂଜା ପରେ ଚାଲିଥିବା ବାନ୍ଦଣା ପର୍ବ ଏବଂ ମୟୁରଭଞ୍ଜର ସୁକନ୍ୟା ତଥା ବର୍ତମାନର ଭାରତବର୍ଷ ରାଷ୍ଟ୍ରପତି ମହୋଦୟାଙ୍କ ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତ କୁ ଦୃଷ୍ଟିରେ ରଖି ଭଞ୍ଜସେନା ପକ୍ଷରୁ ଏହି ପଦଯାତ୍ରା କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି ବୋଲି ସଂଗଠନ ର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା କହିଛନ୍ତି ଏବଂ ଆଗାମୀ ଡିସେମ୍ବର ମାସ ପ୍ରଥମ ଅଥବା ଦ୍ଵିତୀୟ ସପ୍ତାହରେ ଏହି ପଦଯାତ୍ରା ପୁଣି ଆରମ୍ଭ ହେବ ବୋଲି ଭଞ୍ଜସେନା ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି |