Onn 3

ବିହାର କାଷ୍ଟ ସର୍ଭେରେ ମୁସଲମାନ ଏବଂ ଯାଦବଙ୍କ ସଂଖ୍ୟା ଜାଣିଜାଣି ବୃଦ୍ଧି କରାଯାଇଛି : ଅମିତ ଶାହା

National & International

 

ami

ପାଟନା: ଆଜି ବିହାରର ମୁଜାଫରପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ରାଲିରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ କଡା ଆକ୍ରମଣ କରିଛନ୍ତି | ଅମିତ ଶାହା କହିଛନ୍ତି ଯେ ନୀତୀଶଙ୍କୁ ଇଣ୍ଡିଆ ମେଣ୍ଟର ସଂଯୋଜକ କରାନଯିବାରୁ ଏବେ ସେ ସେଥିରୁ ଓହରିବାକୁ ଚାହୁଁଛନ୍ତି | ଶାହା ଜନତାଙ୍କୁ କହିଛନ୍ତି ଯେ ଆପଣମାନେ ଲାଲୁ ଯାଦବଙ୍କ ଜଙ୍ଗଲ ରାଜରୁ ବର୍ତ୍ତିବାକୁ ବିଜେପିକୁ ଭୋଟ୍ ଦେଇଥିଲେ। କିନ୍ତୁ ପଲ୍ଟୁରାମ(ନୀତୀଶ) ଜନାଦେଶକୁ ଭାଙ୍ଗିଦେଇଥିଲେ। ପ୍ରଧାନମନ୍ତ୍ରୀ ହେବା ପାଇଁ ପଲ୍ଟୁରାମ ବିଶ୍ୱାସଘାତକତା କରିଥିଲେ। ଗୃହମନ୍ତ୍ରୀ କହିଛନ୍ତି ଯେ ୨୦୧୪ରେ ବିହାରର ଲୋକମାନେ ମୋଦୀ ଜୀଙ୍କୁ ୩୧ ଟି ଏବଂ ୨୦୧୯ରେ ୩୯ଟି ସିଟ୍ ଦେଇଥିଲେ ।

୨୦୨୪ରେ ୪୦ରୁ ୪୦ଟି ସିଟ୍ ଦେଇ ବିଜେପିକୁ ଆଶୀର୍ବାଦ କରନ୍ତୁ | ଜାତି ଭିତ୍ତିକ ଜନଗଣନା ରିପୋର୍ଟ ଉପରେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଏହି ସର୍ଭେ ଏକ ପ୍ରତାରଣା। ଯାଦବ ଏବଂ ମୁସଲମାନମାନଙ୍କର ସଂଖ୍ୟା ବୃଦ୍ଧି ପାଇଥିବାର ଦେଖାଯାଇଛି ଏବଂ ପଛୁଆ ସମ୍ପ୍ରଦାୟର ସଂଖ୍ୟା ବହୁତ କମ୍ ବୋଲି ଦର୍ଶାଯାଇଛି। ଲାଲୁ-ନୀତୀଶ ସରକାର ପଛୁଆ ସମ୍ପ୍ରଦାୟର ସମାଜ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ସେ କହିଛନ୍ତି ଯେ ବିଜେପି ଜାତି ଗଣନାକୁ ସମର୍ଥନ କରିଛି କିନ୍ତୁ ଆମେ ଜାଣିନଥିଲୁ ଯେ ଲାଲୁ-ନୀତୀଶ ସରକାର ଅତ୍ୟନ୍ତ ପଛୁଆ ସମାଜ ପ୍ରତି ବିଶ୍ୱାସଘାତକତା କରିବେ। ଇଣ୍ଡିଆ ମେଣ୍ଟକୁ ନେଇ ଅମିତ ଶାହା କହିଛନ୍ତି ଯେ ଜଣେ ପ୍ରଧାନମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଥିବା ବେଳେ ଅନ୍ୟଜଣେ ତାଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ନୀତୀଶ କୁମାର ଓ ଲାଲୁ ଇଣ୍ଡିଆ ମେଣ୍ଟରେ ଫସିଯାଇଛନ୍ତି ଓ ଖସି ଆସିବାକୁ ଚାଁହୁଛନ୍ତି |