Onn 3

ଡାକ୍ତରଖାନାରେ ଆଖି ବୁଜିଲେ ରେଞ୍ଜ ରୋଭର ଦୁର୍ଘଟଣାରେ ଆହତ ଯୁବତୀ

Crime State

 

ac

ଭୁବନେଶ୍ୱର: ରେଞ୍ଜ ରୋଭର ଦୁର୍ଘଟଣାରେ ଆହତ ଯୁବତୀ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ ତାଙ୍କର ଆଜି ମୃତ୍ୟୁ ଘଟିଛି । ଏହା ପରେ ରେଞ୍ଜ ରୋଭରକୁ ନେଇ ବିବାଦ ଘନେଇବାରେ ଲାଗିଛି । ଗତ ୩୧ ତାରିଖ ଦିନ ଏହି ରେଞ୍ଜ ରୋଭର ଧକ୍କାରେ ୨ ଜଣ ଗୁରୁତର ଆହତ ହୋଇଥିଲେ । ହେଲେ ଏହି ଦାମୀ ଗାଡି କାହାର ଏବଂ ଏଥିରେ କିଏ ଥିଲେ ସେ ନେଇ ଉଠିଥିଲା ପ୍ରଶ୍ନ । କାରଣ ପୋଲିସ ଏହି ଘଟଣାରେ ଯେଉଁ ପ୍ରେସ ରିଲିଜ ଜାରି କରିଥିଲା ଏଥିରେ ଥିବା ଗାଡି ନମ୍ବର ଭିନ୍ନ ଥିଲା ।

ସୂଚନାଥାଉ କି, ରାଜଧାନୀରେ ଥିବା ପାଓ୍ବାର ହାଉସ ଛକରେ ରେଞ୍ଜରୋଭର ଗାଡି ଦୁର୍ଘଟଣା ଘଟଇଥିଲା । ଗାଡିର ଗତି ଏତେ ଅଧିକ ଥିଲା ଯେ ଏକ ବାଇକକୁ ଧକ୍କା ଦେଇଥିଲା ଏବଂ ବାଇକରେ ଥିବା ଦୁଇଜଣ ଗୁରୁତର ହୋଇପଡିଥିଲେ ।   ଆହତ ୨ ଜଣ ହେଲେ ଜଣେ ଅବସରପ୍ରାପ୍ତ ଯବାନ କାହ୍ନୁ ଚରଣ  ନାୟକ ଏବଂ ଲୋପାମୁଦ୍ରା ସାହୁ । କାହ୍ନୁଚରଣଙ୍କର ତିନି ଦିନ ହେଲା ଚେତା ଫେରି ନଥିବା ବେଳେ   ଲୋପାମୁଦ୍ରା ସାହୁଙ୍କ ବ୍ରେନ୍ ଡେଡ୍ ଥିଲା । ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏହି ଗାଡିଟି ଏକ ଘରୋଇ କମ୍ପାନୀ ନାଁରେ ରେଜେଷ୍ଟ୍ରି ହୋଇଛି । ଦୁର୍ଘଟଣା ଘଟାଇଥିବା ବେଳେ କାରର ନମ୍ବର  ଓଡି-୨୩-କେ- ୦୦୦୬ ଥିଲା ।  ହେଲେ ପ୍ରେସ ରିଲିଜ ଜାରି କରିବା ବେଳେ ଗାଡିର ନମ୍ବର ରହିଛି ଓଡି-୩୩-ଏଏଫ-୬୭୨୬ । ଆରଟିଓର ତଥ୍ୟ ଅନୁସାରେ ରେଞ୍ଜରୋଭର ଗାଡି ନଂ- ଓଡି-୨୩-କେ- ୦୦୦୬ର ମାଲିକାନା ଝାରସୁଗୁଡାର ଆର୍ମର-ରେ ଭେଂଚର୍ସ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ରହିଛି। ଯାହାର ମାଲିକ ରହିଛନ୍ତି ଦିବଂଗତ ନେତା ନବ ଦାସଙ୍କ ପୁଅ ବିଶାଲ ଦାସ ରହିଛନ୍ତି। ଯାହାଙ୍କ ଭଉଣୀ ହେଉଛନ୍ତି ବିଧାୟିକା ଦୀପାଳି ଦାସ।

ତେବେ ଦୁର୍ଘଟଣାବେଳେ ଗାଡିରେ କିଏ ଥିଲେ ତାହା ସ୍ପଷ୍ଟ ଜଣାପଡିନି । ତେବେ  ପୁଲିସ୍‌ ଗାଡ଼ି ଡ୍ରାଇଭର ସୌଭାଗ୍ୟ କୁମାର ବାଗଙ୍କୁ ଗିରଫ କରିଛି। ଡ୍ରାଇଭର ବି ନିଜ ଦୋଷ ସ୍ୱୀକାର କରିଥିବା ପୁଲିସ୍‌ କହୁଛି ।  ହେଲେ ଦୁର୍ଘଟଣା ସମୟରେ ରେଞ୍ଜ ରୋଭରର ଆଗ ପଟରେ ଥିବା ଦୁଇଟି ଯାକ ବେଲୁନ ଫାଟି ଯାଇଥିଲା । ଏଥିରୁ ସ୍ପଷ୍ଟ ଯେ, କାରରେ ଦୁଇଜଣ ବ୍ୟକ୍ତି ଥିଲେ । ତେବେ ସେ ଦ୍ୱିତୀୟ ବ୍ୟକ୍ତି କିଏ?  ଏନେଇ କେହି କିଛି ମୁହଁ ଖୋଲୁ ନାହାନ୍ତି। ଅନ୍ୟପକ୍ଷେ ପୋଲିସ ଏହି ମାମଲାରେ ଗାଡି ମାଲିକଙ୍କୁ ଘଣ୍ଟ ଘୋଡାଉଥିବା ସ୍ପଷ୍ଟ ହୋଇଛି ।