Onn 3

ବିଜୟନଙ୍କ ସହ କଥା ହେଲେ ଅମିତ ଶାହା, ଇହୁଦୀ ଧର୍ମସ୍ଥଳୀର ସୁରକ୍ଷା ବଢିଲା

National & International

 

ref

ନୂଆଦିଲ୍ଲୀ: କୋଚିର କନଭେନସନ୍ ସେଣ୍ଟରରେ ଚାଲିଥିବା ଏକ ଖ୍ରୀଷ୍ଟିଆନ ସମାବେଶରେ ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ସରକାର ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେବାକୁ ଶାହା ପ୍ରତିଶ୍ରୁତି ଦେଇଛନ୍ତି। କଥାବାର୍ତ୍ତା ବେଳେ ସେ ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାବ୍ୟତୀତ ଅମିତ ଶାହା ଭିଡିଓ କନଫରେନ୍ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି। ବିସ୍ଫୋରଣ ସମୟରେ ସେଠାରେ ପ୍ରାୟ ୨୫୦୦ ଲୋକ ଉପସ୍ଥିତ ଥିଲେ। ଏହି ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ପାଇଁ ଆଇଇଡି ବିସ୍ଫୋରଣ କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି । କୋଚିରେ ବିସ୍ଫୋରଣ ପରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (ଏନଏସଜି) ଏବଂ ଆତଙ୍କବାଦ ନିରୋଧୀ ଏଟିସିର ଟିମ୍ ଘଟଣାସ୍ଥଳରେ ପହଂଚିଛନ୍ତି ।

କୋଚି ପରେ ମୁମ୍ବାଇକୁ ହାଇ ଆଲର୍ଟରେ ରଖାଯାଇଛି । ସେଠାରେ ଥିବା ଇହୁଦୀ ଧର୍ମସ୍ଥଳୀଗୁଡ଼ିକରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ପୁଲିସ ଓ ଗୁଇନ୍ଦା ଟିମ୍ ଏସବୁ ସ୍ଥାନ ଉପରେ ନିରନ୍ତର ନଜର ରଖିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ, ଉତ୍ତରପ୍ରଦେଶର ବାରାଣାସୀ, ପ୍ରୟାଗରାଜ ଆଦି ସ୍ଥାନରେ ମଧ୍ୟ ସୁରକ୍ଷା ବଢାଇଦିଆଯାଇଛି । ଏବେ ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଥିବାବେଳେ ଭାରତରେ ଥିବା ଇହୁଦୀ ଓ ଖ୍ରୀଷ୍ଟିଆନ ଧର୍ମସ୍ଥଳୀଗୁଡ଼ିକ ପ୍ରତି ବିପଦ ଆଶଙ୍କା ବଢିଯାଇଛି ।