Onn 3

ଚିଲିକାରେ ପର୍ଯ୍ୟଟକଙ୍କୁ ଡଲଫିନ ଦେଖାଉଥିବା ବେଳେ ଡଙ୍ଗାରୁ ଖସିପଡ଼ି ଚାଳକ ନିଖୋଜ

State

 

chil

ପୁରୀ: ଚିଲିକା ହ୍ରଦରେ ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଇବା ହେଲା କାଳ। ଯାତ୍ରୀବାହୀ ‌ଡଙ୍ଗାରୁ ଖସିପଡ଼ି ନାବିକ ନିଖୋଜ। ନିଖୋଜ ନାବିକ ହେଲେ ବିକ୍ରମ ଜାଲି (୫୫)। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଥାନା ଅଧୀନ ଡ୍ରୋଜର କୁଦାଠାରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାତପଡ଼ାରୁ ମଗରମୁଖ ଯାଉଥିବା ବେଳେ ଏହି ଅଘଟଣ ଘଟିଛି।

ସୂଚନା ଅନୁସାରେ ଆଜି ସାତପଡ଼ା ମଟର ବୋଟ ଆସୋସିଏସନରୁ ଏକ ଡଙ୍ଗା ୫ ଜଣ ପର୍ଯ୍ୟଟକଙ୍କୁ ଚିଲିକାରେ ଡଲଫିନ ଦେଖାଇବାକୁ ନେଇଥିଲା। ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଇବାକୁ ଗଭୀର ଜଳ ଆଡ଼କୁ ପ୍ରବେଶ କରିଥିଲା ପର୍ଯ୍ୟଟକ ଡଙ୍ଗା। ପର୍ଯ୍ୟଟକମାନେ ଡ୍ରୋଜର କୁଦାରେ ପହଞ୍ଚିଲା ପରେ ନାବିକ ବିକ୍ରମ ଜାଲି ଡଙ୍ଗାକୁ ବନ୍ଦ କରିଦେଇଥିଲେ। ଡଲଫିନ୍‌ ଦେଖିସାରିବା ପରେ ପର୍ଯ୍ୟଟକମାନେ ପୁଣି ସ୍ଥଳ ଭାଗକୁ ଫେରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ଫଳରେ ଡଙ୍ଗାକୁ ପୁଣି ଥରେ ଚଳାଇବା ପାଇଁ ଚଳାକ ଉଦ୍ୟମ କରିବା ବେଳେ ଡଙ୍ଗାରେ ଥିବା ମେସିନ ଆରମ୍ଭ କରିବାକୁ ଯାଇ ସେ ଡଙ୍ଗାରୁ ଛିଟିକି ପଡ଼ିଥିଲେ। ଏହା ପରେ ଚାଳକ ପାଣିରେ ନିଖୋଜ ହୋଇଯାଇଥିଲେ।

ଚାଳକ ପଡ଼ିଯିବାରୁ ଚିଲିକାରେ ଅଟକିଲା ପର୍ଯ୍ୟଟକ ଡଙ୍ଗା। ଫସି ରହିଥିବା ପର୍ଯ୍ୟଟକମାନେ ହେଲ୍ପ ଲାଇନକୁ କଲ୍ କରିବା ପରେ ଦମକଳ ବାହିନୀ ପହଞ୍ଚି ଅନ୍ୟ ଡଙ୍ଗା ସହାୟତାରେ ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ପ୍ରାୟ ଏକ ଘଣ୍ଟା ପରେ ଡଙ୍ଗାକୁ ଉଦ୍ଧାର କରାଯାଇଥିଲା। ଏବେ ଯାଏଁ ଚାଳକଙ୍କ ମିଳୁନି ପତ୍ତା। ୬ ଜଣିଆ ଟିମ୍‌ ଡଙ୍ଗା ଚାଳକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଥିବା ନେଇ ସାତପଡ଼ା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପଟେ କିଛି ରିପୋର୍ଟରେ କୁହାଯାଇଛି ଯେ ଘଟଣା ସମୟରେ ଡଙ୍ଗା ଚାଳକ ଅତ୍ୟଧିକ ମଦ୍ୟପାନ କରିଥିଲେ।