Onn 3

ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣ ଘଟଣାରେ ବଦଳିଲେ ଆଇଆଇସି ଗଲେ କାବୁଲି ବାରିକ

Crime State

 

banki

ବାଙ୍କୀ: କଟକ ଜିଲ୍ଲା ବାଙ୍କୀରେ ପୁଲିସ ଉପରକୁ ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣ ଘଟଣାରେ ଆଇଆଇସି କାବୁଲି ବାରିକଙ୍କୁ ବଦଳି ହୋଇଛି। ଶ୍ରୀ ବାରିକଙ୍କୁ ମାହାଙ୍ଗା ଭଦ୍ରେଶ୍ବର ଥାନାକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ଶିବ ପ୍ରସାଦ ବେହେରାଙ୍କୁ ନିଯୁକ୍ତି ମିଳିଛି।  ବାଙ୍କୀରେ ପୁଲିସ ଉପରକୁ ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣ ଘଟଣାରେ ଆଇଆଇସି ଶ୍ରୀ ବାରିକ ବିବାଦ ଘେରକୁ ଆସିଥିଲେ।

ଘଟଣାରୁ ପ୍ରକାଶ ଯେ, ବାଙ୍କୀ ଥାନା ଅନ୍ତର୍ଗତ ଶିମିଳିପୁର ଗ୍ରାମର ଜନୈକ ଅବସରପ୍ରାପ୍ତ ସେନା କର୍ମଚାରୀ ସରୋଜ ଦାସ ନିଜର ବ୍ୟବସାୟ ଜନିତ କାରଣକୁ ନେଇ ଦୀର୍ଘ ବର୍ଷ ତଳେ ଏକ ଅଭିଯୋଗ ବାଙ୍କୀ ଥାନାରେ କରିଥିଲେ। ମାତ୍ର ନ୍ୟାୟ ପାଇନଥିବା ଶ୍ରୀ ଦାସ ଅଭିଯୋଗ କରି ଗତ ମାସରେ ବାଙ୍କୀ ବଜାରରେ ହାତରେ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରିଥିଲେ। ପୁଲିସ ଧରିବାକୁ ଉଦ୍ୟମ କରି ମଧ୍ୟ ସଫଳ ହୋଇପାରିନଥିଲେ। ପରେ ସେପ୍ଟେମ୍ବର ୩ ତାରିଖରେ ମଧ୍ୟ ତାକୁ ଧରିବାକୁ ଯାଇ ମହିଳା ପୁଲିସ ଏସଆଇ ମଧୁସ୍ମିତା ବେହେରା ଆହତ ହୋଇଥିଲେ। ସେଦିନ ଶ୍ରୀ ଦାସ ବାଙ୍କୀ ବଜାରରେ ବୁଲୁଥିବା ଖବର ପାଇ ପୁଲିସ ଧରିବାକୁ ଉଦ୍ୟମ କରୁଥିବା ବେଳେ ପାଖରେ ରଖିଥିବା ମାରଣାସ୍ତ୍ର ଦ୍ୱାରା ଅତର୍କିତ ଆକ୍ରମଣରେ ଦୁଇ ପୁଲିସ ସମ୍ବିତ ବିଶ୍ୱାଳ ଏବଂ କନେଷ୍ଟବଳ ଉତ୍ତମ କୁମାର କର ଆହତ ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଆହତ ଦ୍ୱୟଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।