Onn 3

ପାଳନ ହେଉନି ଡ୍ରଗ୍ସ ବିକ୍ରି ନିୟମ, ବେଧଡ଼କ ବିକ୍ରି ଚାଲିଛି ବେଆଇନ କଫ୍‌ସିରପ

State

ଆଗରପଡ଼ା: ସହର ସମେତ ଗ୍ର।।ମାଂଚଳରେ ବେଆଇନ କଫ୍‌ସିରପ ବେଧଡ଼କ ଭାବେ ବିକ୍ରି ହେଉଛି । ଯାହା ଏବେ ମଦ ଭଳି ନିଶା ସାମଗ୍ରୀର ବିକଳ୍ପ ସାଜିଛି । ବିଭିନ୍ନ କମ୍ପାନୀର କଫସିରପ ଶସ୍ତାରେ ନିଶା ହେଉଥିବାରୁ ବହୁ ଯୁବପିଢି ଏହାକୁ ବହୁଳ ଭାବେ ସେବନ କରୁଛନ୍ତି । ନିୟମ ନ ଥିଲେ ସୁଦ୍ଧା ଏହି କଫ୍‌ସିରପ ମେଡ଼ିସିନ୍ ଦୋକାନରେ ମଧ୍ୟ ଅତି ସହଜରେ ମିଳିଯାଉଛି । ଡ୍ରଗ୍ସ ବିଭାଗ ପକ୍ଷରୁ ନିୟମିତ ବ୍ୟବଧାନରେ ଚଢଉ ନ ହେବାରୁ ଏହି କାରବାର ବୃଦ୍ଧି ପାଇଥିବା ନେଇ ଅଭିଯୋଗ ଉଠିଛି । ବହୁ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଯୁବକ ଯୁବତୀ ଏବେ ନିଶାକୁ ଆପଣାଉଛନ୍ତି । ନିଶା ମାଫିଆ ଏହାର ସୁଯୋଗ ଉଠାଇ କାରବାର ବଢାଇ ଚାଲିଛନ୍ତି । ସେମାନେ ଶିକ୍ଷାନୁଷ୍ଠାନ ଅଂଚଳକୁ ଟାର୍ଗେଟ କରୁଛନ୍ତି । ପାଉଡ଼ର, ଗଞ୍ଜେଇ ସିଗାରେଟ ସହ ଏବେ କଫ୍‌ସିରପ ବହୁ ପରିମାଣରେ ବିକ୍ରି ହେଉଛି । ନିଶା ହେଉଥିବା ଉକ୍ତ କଫସିରପ ୧୦୦ରୁ ୧୩୦ ଟଙ୍କାରେ ମିଳିଯାଉଛି । ଏହାକୁ ସେବନ କଲେ କୈାଣସି ଦୁର୍ଗନ୍ଧ ନ ହେବାରୁ ପୁଲିସର ବ୍ରେଥ୍ ଆନାଲାଇଜର ଯାଂଚ ବେଳେ ଧରାପଡ଼ୁନାହାନ୍ତି ନିଶା ସେବକ ।

ନିଶା ସାମଗ୍ରୀଭାବେ ଏହି ସିରପର ଚାହିଦା ବଢିବାରେ ଲାଗିଛି । ଗ୍ରାମାଚଂଳରେ ମଧ୍ୟ ଏହି ସିରପ ବେଧଡ଼କ ଭାବେ ବିକ୍ରି କରାଯାଉଛି । କିଛି ନିଶା ବେପାରି ଘରେ ଏହି ସିରପ ରଖି ବିକ୍ରି କରୁଛନ୍ତି । ବନ୍ତ ଓ ତା ଆଖପାଖ ଅଂଚଳରେ ଏହି କାରବାର ବଢୁଥିବା ଅଭିଯୋଗ ପାଇବା ପରେ ପୁଲିସ ଚଢାଉ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ । ଏଥିପ୍ରତି ଡ୍ରଗ୍ସ ବିଭାଗ ଗୁରୁତ୍ୱ ନଦେବାରୁ କଫ୍‌ସିରପ ଏବେ ପ୍ରମୁଖ ନିଶା ସାମଗ୍ରୀରେ ପରିଣତ ହୋଇଛି । ଅନ୍ୟପକ୍ଷେ କାଶ ପାଇଁ ପ୍ରଜୁଯ୍ୟ କୋଡ଼ିନ ଫସ୍‌ଫରସ୍ ଯୁକ୍ତ କଫ୍‌ସିରପ ନିଶା ନିମନ୍ତେ ଯୁବପିଢି ବ୍ୟବହାର କରୁଥିବା ଜଣାପଡ଼ିବା ପରେ ୨୦୧୪ ମସିହା ଅଗଷ୍ଟ ମାସରେ ଓ୍ୟୌଷଧ ନିୟନ୍ତ୍ରଣ ପ୍ରଶାସନ ନିର୍ଦ୍ଦେଶାଳୟ(ଡିଡିସିଏ) ଏହାର ବିକ୍ରି ଉପରେ କଟକଣା ଲାଗାଇଥିଲା । ବିନା ଡ଼ାକ୍ତରୀ ଚିଠାରେ ସର୍ବସାଧାରଣଙ୍କୁ କଫ୍‌ସିରପ ବିକ୍ରି ହେବନାହିଁ । ଓ୍ୟୌଷଧ ଦୋକାନୀମାନେ ମଧ୍ୟ ଆବଶ୍ୟକତାର ଅଧିକ ଷ୍ଟକ ନିଜ ପାଖରେ ରଖିପାରିବେନି ବୋଲି ନିୟକ ହୋଇଥିଲା । ଡ୍ରଗ୍ସ ବିଭାଗର ଅବହେଳା ଯୋଗୁଁ କାରବାର ବଢି ନିଶାଡ଼ିଙ୍କ ଦୈନନ୍ଦିନ ଆବଶ୍ୟକତାର ସାମଗ୍ରୀ ପାଲଟିଛି ଏହି କଫ୍‌ସିରପ । ଡ୍ରଗ୍ସ ଓ ଅବକାରୀ ବିଭାଗ ଏହି ବେଆଇନ କାରବାର ରୋକିବା ନିମନ୍ତେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।