Onn 3

ବିଭାଗୀୟ ଅଧିକାରୀଙ୍କ ଅଣଦେଖାରୁ ସ୍ୱାମୀ ପାଲଟିଲେ ବାପା, ପ୍ରକୃତ ଭତ୍ତାଟଙ୍କା ପାଇବାରୁ ବଂଚିତ ସୁମିତ୍ରା

State

ଆଗରପଡ଼ା: ସରକାର ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନାମାନ ପ୍ରସ୍ତୁତ କରି ଏଥି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଉକ୍ତ ଯୋଜନା ଗୁଡ଼ିକ ସଫଳ ହୋଇପାରୁନଥିବା ଜଣାପଡ଼ୁଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ପଂଚାୟତ ଅର୍ନ୍ତଗତ ଆଡ଼ିଆ ଗ୍ରାମର ସୁମିତ୍ରା ସାହୁଙ୍କ କ୍ଷେତ୍ରରେ । ଜନ୍ମରୁ ଦିବ୍ୟାଙ୍ଗ ହୋଇଥିବା ସୁମିତ୍ରା ବିଭାଗୀୟ ଅଧିକାରୀଙ୍କ ଭୂଲ ବିବରଣୀ ଯୋଗୁଁ ଗତ ପ୍ରାୟ ୭ମାସ ହେବ ପ୍ରକୃତ ଭତ୍ତା ପାଇବାରୁ ବଂଚିତ ହେଉଥିବା ଜଣାପଡ଼ିଛି । ଟ୍ରାଇସାଇକେଲ ସହାୟତାରେ କେକେ ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତ ଆଉ କେତେବେଳେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ତାଙ୍କ ଗୁହାରୀ କେହି ଶୁଣୁ ନଥିବା ଜଣାପଡ଼ିଛି । ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ସୂଚନା ଅନୁଯାୟୀ;୧୯୬୦ ମସିହା ଅପ୍ରେଲ ମାସ ୧୧ ତାରିଖରେ ପିତା କ୍ଷେତ୍ରବାସୀ ସାହୁ ଓ ମାତା ପ୍ରଭାଦେବୀଙ୍କ କୋଳରେ ଜନ୍ମ ଲାଭ କରିଥିଲେ ସୁମିତ୍ରା । କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ସୁମିତ୍ରା ଜଣେ ବିଦ୍ୟାଙ୍ଗ ବୋଲି ଜାଣିବାକୁ ପାଇଥିଲେ ପିତାମାତା । ଆର୍ଥିକ ସମ୍ବଳ ନଥିଲେ ସୁଦ୍ଧା ଧାର ଉଧାର କରି ପିତା ତାଙ୍କ ଅସ୍ତ୍ରୋପଚାର କରାଇଥିଲେ । କିନ୍ତୁ ଅସ୍ତ୍ରୋପଚାର ପରେ ସୁମିତ୍ରାଙ୍କ ଠାରେ ଅଧିକ ଦିବ୍ୟାଙ୍ଗତା ପ୍ରକାଶ ପାଇଥିଲା ।

କିନ୍ତୁ ସୁମିତ୍ରା ନିଜ ଦୃଢ ଇଚ୍ଛା ଶକ୍ତି ବଳରେ ଦିବ୍ୟାଙ୍ଗ ହୋଇମଧ୍ୟ ଆଗରପଡ଼ା ବାଳିକା ହାଇସ୍କୁଲରୁ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ କରିଥିଲେ । କିନ୍ତୁ ବାପା ଜଣେ ସାଧାରଣ ଚାଷୀ ହୋଇଥିବାରୁ ୪ଭଉଣୀ ଓ ୨ ଭାଇଙ୍କୁ ପରିବାର ପ୍ରତିପୋଷଶରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବାରୁ ସେ ଆଉ ବେଶୀ ପଢାପଢି କରିପାରିନଥିଲେ । ତାଙ୍କୁ ୧୯ ବର୍ଷ ବୟସ ହୋଇଥିବା ବେଳେ ବାପା ହାଟଡ଼ିହି ବ୍ଲକ ଅନ୍ତର୍ଗତ ବଡ଼ ରମ୍ପାସ ଗ୍ରାମର ଭକ୍ତଶେଖର ସାହୁଙ୍କ ସହିତ ତାଙ୍କର ବିବାହ କରାଇଥିଲେ । ପରେ ଭକ୍ତ ଶେଖର ଆସି ସୁମିତ୍ରାଙ୍କ ଘରେ ରହିବାପରେ ବିବାହର ବର୍ଷେ ପରେ ତାଙ୍କୁ ଛାଡ଼ି କେଉଁ ଆଜେ ପଳାଇଯାଇଥିଲେ । ବାପାମା’ଙ୍କ ମୃତ୍ୟୁୁପରେ ଭାଇ ଭାଉଜଙ୍କ ଉପରେ ବୋଝ ନହୋଇ ସୁମିତ୍ରା ଏକାକି ନିଜ ଜୀବନ ନୌକାକୁ ବାହି ଚାଲିଛନ୍ତି । ସରକାରଙ୍କ ତରଫରୁ ଏକ ଇନ୍ଦିରା ଆବାସ,ଟ୍ରାଇସାଇକେଲ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଉଛନ୍ତି । ସରକାରଙ୍କ ପ୍ରଦତ୍ତ ପ୍ରମାଣପତ୍ର ଅନୁସାରେ ସୁମିତ୍ରା ୭୦୦ଟଙ୍କା ଦିବ୍ୟାଙ୍ଗ ଭତ୍ତା ମଧ୍ୟ ପାଇ ଆସୁଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ ସରକାରଙ୍କ ନୂତନ ନିୟମ ଅନୁସାରେ ଅନଲାଇନରେ ନାମ ପଂଜିକରଣ ବାଧ୍ୟତାମୂଳକ ହେବାରୁ ସେ ଏହାକୁ ଆବେଦନ କରିଥିଲେ ଏବଂ ବିଭାଗ ତରଫରୁ ତାଙ୍କୁ ଏକ ପ୍ରମାଣପତ୍ର ମଧ୍ୟ(୦୪.୦୨.୨୦୨୩)ରେ ପ୍ରଦାନ କରାଯାଇଛି । କିନ୍ତୁ ଉକ୍ତ ପ୍ରମାଣ ପତ୍ରରେ ଉକ୍ତ ଶେଖର ସାହୁ ତାଙ୍କ ସ୍ୱାମୀ ହୋଇଥିବା ସ୍ଥଳେ ତାଙ୍କୁ ପିତା ଭାବେ ଉପସ୍ଥାପିତ କରାଯାଇଥିବା ବେଳେ ଶ୍ରୀମତି ସୁମିତ୍ରାଙ୍କ ପରିବର୍ତ୍ତେ କୁମାରୀ ସୁମିତ୍ରା ଉଲ୍ଲେଖ ଅଛି । ଏବଂ ଗତ ୬୩ ବର୍ଷ ହେବ ସେ ଶତକଡ଼ା ୭୦ ଭାଗ ଭିନ୍ନକ୍ଷମ ଥିବା ବେଳେ ତାଙ୍କୁ ଶତକଡ଼ା ୫୦ ଭାଗ ଭିନ୍ନକ୍ଷମ ହୋଇଥିବାର ଦର୍ଶାଯାଇଛି ।

ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ବିଭାଗୀୟ ଅଧିକାରୀଙ୍କ ଏହିପରି ଦୋଷ ତୃଟିଯୋଗୁଁ ପ୍ରକୃତ ହିତାଧିକାରୀ ସରକାରଙ୍କ ସୁବିଧା ସୁଯୋଗ ପାଇବାରୁ ପଂଚିତ ହେଇଛନ୍ତି । ଯେପରିକି ଉକ୍ତ ପ୍ରମାଣ ପତ୍ର ଅନୁସାରେ ସୁମିତ୍ରା ବର୍ତ୍ତମାନ ୭୦୦ଟଙ୍କା ପାଇବା ପରିବର୍ତ୍ତେ ୫୦୦ ଟଙ୍କା ପାଉଛନ୍ତି । ଉକ୍ତ ଭୂଲ କୁ ସଂଶୋଧନ କରିବା ପାଇଁ ସୁମିତ୍ରା ବାରମ୍ବାର ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ କିଛି ସୁଫଳ ପାଇ ପାରୁନାହାନ୍ତି । ତେଣୁ ପ୍ରଶାସନିକ ସ୍ତରରେ ଏହାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବା ସହ ତାଙ୍କୁ ତାଙ୍କ ପ୍ରକୃତ ସୁବିଧାକୁ ତୁରନ୍ତ ଯୋଗାଇ ଦେବା ସହ ନିର୍ଭୂଲ ପ୍ରମାଣ ପତ୍ର ପ୍ରଦାନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।