Onn 3

ବଗପାଟିଆ କଲୋନୀକୁ ଏକ ଆଦର୍ଶ ବସତି ଭାବେ ପରିଣତ କରାଯିବ: ମୁଖ୍ୟ ଶାସନ ସଚିବ

State

 

fe

ଭୁବନେଶ୍ୱର :ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଜୁଆର ଓ ଝଡ଼ ପ୍ରଭାବରେ ସମାୟାନୁକ୍ରମେ ପ୍ରଭାବିତ ବଙ୍ଗୋପସାଗର କୂଳରେ ଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗ୍ରାମର ୫୭୧ ପରିବାରକୁ ବଗପାଟିଆଠାରେ ପୁନର୍ବାସ କଲୋନୀରେ ଥଇଥାନ କରାଯାଇଛି । ବଗପାଟିଆ ପୁନର୍ବାସ ପ୍ରକଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରୟାସ ଜାରି ରହିଛି । ବଗପାଟିଆ କଲୋନୀକୁ ଏକ ଆଦର୍ଶ ବସତି ଭାବେ ପରିଣତ କରାଯିବ । ଏହି ପରିପ୍ରେକ୍ଷୀରେ ନାବାର୍ଡ ପକ୍ଷରୁ ସମ୍ଭାବ୍ୟ ସହଯୋଗ ସମ୍ପର୍କିତ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି ।

ବଗପାଟିଆ ଥଇଥାନ କଲୋନୀରେ ରାଜ୍ୟ ସରକାରଙ୍କ ତରଫରୁ ଆଗକୁ ସଂଲଗ୍ନ ବନ୍ଧର ସୁଦୃଢୀକରଣ, ଖେଳ ପଡିଆ ନିର୍ମାଣ, ପଂଚାୟତ ଗୃହ ନିର୍ମାଣ, ମନ୍ଦିରର ପରିପାଶ୍ୱିକ ବିକାଶ, ବିଦ୍ୟୁତ ଲାଇନର ଉନ୍ନତି କରଣ ଓ ବାସିନ୍ଦା ପରିବାରକୁ ଗୋପାଳନ, ଛେଳିପାଳନ,ମାଛ ଚାଷ ଆଦି ଜିବିକା ନିର୍ବାହରେ ସହାୟତା ପ୍ରୋସାହନ ଦିଆଯିବାର ବ୍ୟବସ୍ଥା କରାଯାଉଛି ।

ଥଇଥାନ ହୋଇଥିବା ପରିବାରଗୁଡିକ ଯେପରି ଅର୍ଥପୂର୍ଣ୍ଣ ଓ ସମ୍ମାନଜନକ ଭାବେ ଜୀବିକା ନିର୍ବାହର ସୁଯୋଗ ପାଇବେ, ସେଥିପାଇଁ ଆନୁଷଙ୍ଗିକ ସୁବିଧା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସେମାନଙ୍କୁ ପଟ୍ଟା ଓ ଚାଷ ଜମି ବଣ୍ଟନ, ସେମାନଙ୍କର ପିଲାମାନଙ୍କୁ ଉତ୍ତମ ଶିକ୍ଷା ସୁବିଧା, ଉତ୍ତମ ସଡ଼କ ଓ ଯୋଗାଯୋଗ,ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମି ଆବଶ୍ୟକତା ପୂରଣ ପାଇଁ ଆଜି ନାବାର୍ଡ ତରଫରୁ ଆଗତ ପ୍ରସ୍ତାବରେ ଉପସ୍ଥାପନ କରାଯାଇଥିଲା ।

ଜୁଆର ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ସମୁଦ୍ରତଟର କ୍ଷୟ ରୋକିବା ଦିଗରେ ବ୍ୟାପକ ହେନ୍ତାଳ ବନ ଓ ଝାଉଁ ବୃକ୍ଷ ରୋପଣ, ଅପ୍ପ ଉଚ୍ଚତା ବିଶିଷ୍ଟ ନଡିଆ ଗଛ, ସପେଟା ଜାତୀୟ ବୃକ୍ଷ ଚାରା ରୋପଣ ଉପରେ ଗୁରୁତ୍ୱ ଦିଆଯାଇଛି । ମାଛ ଜେଟୀ, ଶୀତଳ ଭଣ୍ଡାର ସହ ମାଛ ରଖିବା କେନ୍ଦ୍ର, ଲୋକମାନଙ୍କୁ ମତ୍ସ୍ୟ ଡଙ୍ଗା ମରାମତି, ବଢ଼େଇ କାମ, ପୋଷାକ ମରାମତି, ସେମାନଙ୍କର ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟ ଜଳ ଓ ଜୀବିକାର୍ଜନ ସୁବିଧା ପ୍ରମୁଖ ପ୍ରସଙ୍ଗ ରହିଛି । ସେଠାରେ ଆନ୍ତଃ ରାସ୍ତା ଓ ଡ୍ରେନେଜ ବ୍ୟବସ୍ଥାର ନିର୍ମାଣ ଓ ଅନ୍ୟ ଏକ ବାତ୍ୟାଶ୍ରୟ ସ୍ଥଳ ନିର୍ମାଣ କରାଯିବାର ଆବଶ୍ୟକତା ରହିଛି । ଏ ସଂପର୍କରେ ରାଜ୍ୟ ସରକାରଙ୍କ ସହିତ ନାବାର୍ଡ ସହଯୋଗକରି ନାବାଡର ଗ୍ରାମୀଣ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ସହାୟତାରେ ଉନ୍ନୟନ କାର୍ଯ୍ୟରେ ସହଯୋଗ କରିବ ।

ବଗପାଟିଆ ପୁନର୍ବାସ କଲୋନୀକୁ ଏକ ଆଦର୍ଶ ବସତି ଭାବେ ପରିଣତ କରାଯାଇ ଏହା ଯେପରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଦାହରଣ ସୃଷ୍ଟି କରିବ, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେବା ସହ ନାବାର୍ଡ କର୍ତ୍ତୃପକ୍ଷକୁ ସବିଶେଷ ଡିପିଆର ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି । ଆରସିଡିସି,ଟିପିସିଓଡିଏଲ୍‌, ନାବାର୍ଡ ମିଳିତ ସହଯୋଗରେ ବଗପାଟିଆରେ ବିଦ୍ୟୁତ୍ ଭିତ୍ତିଭୂମିର ସୁଦୃଢୀକରଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

ଏହି ଅବସରରେ ଆୟୋଜିତ ବୈଠକରେ  ଉନ୍ନୟନ କମିଶନର  ଅନୁ ଗର୍ଗ, ରାଜସ୍ୱ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଓସଡମାର ପରିଚାଳନା ନିର୍ଦ୍ଦେଶକ ଜ୍ଞାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।