ସେମାନେ ଆହୁରି କହିଥିଲେ ଯେ, ସାଧାରଣତଃ ପାର୍ବଣ ଋତୁରେ ଫ୍ରିଜ, ୱାଶିଂ ମେସିନ, ମୋଟର ସାଇକେଲ ଆଦି ଜିରୋ ଡାଉନପେମେଂଟରେ ସାଧାରଣ ଲୋକଙ୍କୁ ସହଜରେ ମିଳିଯାଉଛି । ତେବେ ରାଜ୍ୟ ସରକାର ଗତକାଲି ଯେଉଁ ୧୫ ହଜାର ବିଏଲଏଫ ଓ ଡିଏଲଏଫକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିଲେ ସେଥିରେ ସରକାରଙ୍କର ବାହାଦୁରୀ କଣ ? ରାଜ୍ୟ ସରକାର ମହିଳାମାନଙ୍କ ବିକାଶ କଥା କହୁଥିବା ବେଳେ ରାଜ୍ୟରେ ମହିଳାମାନଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ । ୭୦ଲକ୍ଷ ସ୍ୱୟଂସହାୟକ ଗୋଷ୍ଠି ମା’ ମାନଙ୍କ ମଧ୍ୟରୁ ମାତ୍ର ୬ଲକ୍ଷ ମହିଳା ସଦସ୍ୟା ଛତୁଆ, ପାମ୍ପଡ଼, ବଡ଼ି, ଆଚାର, ସିଲେଇ, ଗୃହ ଉପକରଣ ଆଦି ବିଭିନ୍ନ ପ୍ରସ୍ତୁତି କାର୍ଯ୍ୟରେ ସହଭାଗୀ ହୋଇଛନ୍ତି । ଆଉ ବାକି ୬୪ଲକ୍ଷ ମା’ ମାନଙ୍କ ସ୍ଥିତି କ’ଣ ଏବଂ କେଉଁ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି ବୋଲି ମହିଳା ସଶକ୍ତିକରଣର ମନ୍ତ୍ରୀ ଏବଂ ମିଶନଶକ୍ତିର ନିର୍ଦ୍ଦେଶିକା ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିକୋଣରୁ ଏହାର ତଥ୍ୟ ଜନସାଧାରଣଙ୍କ ନିକଟରେ ପ୍ରକାଶ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।
ପ୍ରତି ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଦେଖାଯାଏ ଭୁବନେଶ୍ୱର ରାଜରାସ୍ତାରେ ହଜାର ହଜାର ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ପାଚିକା ଏବଂ ବ୍ୟାଙ୍କ ମିତ୍ରମାନେ ଦିନରାତି ଧାରଣା ଦେଉଛନ୍ତି । ସେମାନେ ଏ ରାଜ୍ୟର ମହିଳା ନୁହଁନ୍ତି କି ? ସେମାନଙ୍କର ସମସ୍ୟାକୁ ବର୍ଷ ବର୍ଷ ଧରି କାହିଁକି ଉପେକ୍ଷା କରାଯାଉଛି । କଲେଜ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ୫୦ ଭାଗରୁ ଅଧିକ ଶିକ୍ଷକ ନାହାନ୍ତି । ଆଜିବି ମଧ୍ୟ ମହିଳାଟି ପ୍ରସବ ପାଇଁ ଖଟିଆରେ ବୁହାହୋଇ ଡାକ୍ତରଖାନାକୁ ଆସୁଛି । ପ୍ରତିଦିନ ୭ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି । ନାବାଳିକାଙ୍କ ଚାଲାଣ ସବୁଠାରୁ ଅଧିକ ତଥାପି ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା । କେବଳ ପ୍ରଲୋଭିତ କରି ଭୋଟ ପାଇଁ କେବଳ ସ୍ୱୟଂସହାୟିକ ମହିଳାମାନଙ୍କ ପାଇଁ ମିଛି ଯୋଜନା ସବୁ କରାଯାଉଛି । ଏହା ଦ୍ୱାରା ରାଜ୍ୟରେ ମା’ ମାନଙ୍କର ପ୍ରକୃତ ବିକାଶ ହେବ ନାହିଁ ।
ମା’କୁ ଯଦି ସମ୍ମାନ ଦେବାକୁ ଚାହୁଁଛନ୍ତି, ତାଙ୍କୁ ଆତ୍ମ ନିର୍ଭରଶୀଳ କରାନ୍ତୁ, ଡାକ୍ତରଖାନାରେ ଖାଲିଥିବା ପଦବୀ ପୂରଣ କରନ୍ତୁ, ତାହା ନ କରି ମା ମାନଙ୍କ କାନ୍ଧରେ ବନ୍ଧୁକ ଥୋଇ ରାଜ୍ୟ ସରକାର ଯେଉଁ ଶସ୍ତା ରାଜନୀତି କରୁଛନ୍ତି ତାହା କେବେ ଫଳପ୍ରଦ ହେବ ନାହିଁ ।