Onn 3

ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ : ନୂଆ ରାଜନୈତିକ ସମୀକରଣ ସମ୍ଭାବନା

State

ଆଗରପଡ଼ା (୨୯/୯) :ସାଧାରଣ ନିର୍ବାଚନର ସମୟ ଯେତେ ପାଖେଇ ଆସୁଛି ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ସେତେ ରୋଚକ ଖବର ଶୁଣିବାକୁ ଓ ଦେଖିବାକୁ ମିଳୁଛି । ଏବଂ ଦଳ ଡ଼ିଆଁ ପ୍ରକ୍ରିୟାରେ ଆଗାମୀ ସାଧାରଣ ନିର୍ବାଚନରେ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନୂଆ ସମୀକରଣ ସୃଷ୍ଟି ହେବାର ଅଧିକ ସମ୍ଭାବନା ସୃଷ୍ଟିହେଉଛି । ସୂଚନା ଅନୁଯାୟୀ;ଗତ ବୁଧବାର ବନ୍ତ ଆଂଚଳିକ ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧ୍ୟାପକ ଡ଼ଃ ସୁଧାଂଶୁ ଶେଖର ନାୟକ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବେ ନିଜ ସମର୍ଥକଙ୍କ ସହ ଯୋଗ ଦେଇଥିଲେ । ଡ଼ଃ ନାୟକ ବିଜେପିରେ ଯୋଗ ଦେବା ପୂର୍ବରୁ ବିଜେଡ଼ି ପ୍ରାର୍ଥୀ ଭାବେ ତିନି ତିନି ଧର ବିଧାୟକ ହୋଇଥିବା ପ୍ରଫୁଲ୍ଲ ସାମଲଙ୍କ ବେଶ ଆନୁଗତ ଥିଲେ । ଡ଼ଃ ନାୟକଙ୍କ ଗୋଟି ଚାଳନାରେ ବନ୍ତ ବ୍ଲକରେ ବିଜେଡ଼ି ତାର ଆଧିପତ୍ୟ ବିସ୍ତାର କରିଚାଲିଥିଲା । ବ୍ଳକକୁ ନିଜ ଅକ୍ତିଆରରେ ମଧ୍ୟ ରଖି ପାରିଥିଲା । ତାଙ୍କ ସହଧର୍ମିଣୀ ବ୍ଳକ ଅଧ୍ୟକ୍ଷା ପଦରେ ଅବସ୍ଥାପିତ ମଧ୍ୟ ହୋଇ ପାରିଥିଲେ । ପ୍ରଫୁଲ୍ଲ ବ୍ଲକର ପ୍ରତିଟି ଉନ୍ନତିମୂଳକ କାର୍ଯ୍ୟରେ ଡ଼ଃ ନାୟକଙ୍କ ସହ ବିଚାର ବିମର୍ଶ ମଧ୍ୟ କରୁଥିଲେ ।

ବୟସାଧିକ କାରଣରୁ ବିଧାୟକ ପ୍ରଫୁଲ୍ଲ ସାମଲ ସକ୍ରିୟ ରାଜନୀତିରୁ ସନ୍ୟାସ ନେବାର ସମ୍ଭାବନା ସୃଷ୍ଟି ହେବାରୁ ଗତ ପଂଚାୟତ ନିର୍ବାଚନରେ ତାଙ୍କ ସୁପୁତ୍ର ଇଂ ପ୍ରୟାସ କାନ୍ତି ସାମଲ (ଲୁଲୁ) ବିଜେଡ଼ି ମଙ୍ଗ ଧରିଥିଲେ ଏବଂ ଯୁବ ବର୍ଗଙ୍କୁ ପ୍ରାଧାନ୍ୟ ଦେଇ ବନ୍ତ ବ୍ଲକରେ ନିଜ ଗୋଟି ଚାଳନା କରି ସଫଳତାର ସହ ବ୍ଲକ ଅଧ୍ୟକ୍ଷ ପଦ ଅଳଙ୍କୃତ କରିବା ସହ ଜିଲ୍ଲାପରିଷଦ ସଭାପତି ପଦବୀରେ ମଧ୍ୟ ଉକ୍ତ ବ୍ଲକ ୧୫ନଂ ଜୋନର ଜିଲ୍ଲାପରିଷଦ ସଭ୍ୟଙ୍କୁ ବସାଇ ପାରିଥିଲେ । ଲୁଲୁ ଯୁବ ବର୍ଗଙ୍କ ସହଯୋଗ କାମନା କରୁଥିବାରୁ ପିତାଙ୍କ ଏକାନ୍ତ ଆନୁଗତ ଡ଼ଃ ନାୟକଙ୍କୁ ଅଣଦେଖା କରିବା ସହ ଦଳରୁ କଣଠେସା କରି ଦେଲେ । ଯଦ୍ୱାରା ଡ଼ଃ ନାୟକ ସମିତି ସଭ୍ୟ ଭାବେ ବନ୍ତରୁ ଠିଆ ହୋଇ ମଧ୍ୟ ଶେଷରେ ବହୁ କମ୍ ଭୋଟରେ ପରାଜୟ ବରଣ କରିଥିଲେ । ପରବତ୍ତିୀ ସମୟରେ ବହୁ ବାଦ ବିବାଦ ମଧ୍ୟରେ ଦଳବିରୋଧି କାର୍ଯ୍ୟ ଆଳରେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା । ପୂର୍ବ ନିର୍ବାଚନ ସମୀକରଣ ଅନୁଯାୟୀ ୨୦୧୯ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ୭୦,୧୮୦ଖଣ୍ଡ ଯାହାକି ସମୁଦାୟ ଭୋଟର ୪୦ ଶତକଡ଼ା,କଂଗ୍ରେସ ପ୍ରାର୍ଥୀ ନିରଜଂନ ପଟ୍ଟନାୟକ ୬୧,୩୨୧ଖଣ୍ଡ ଯାହାକି ସମୁଦାୟ ଭୋଟର ୩୫ ଶତକଡ଼ା ଓ ବିଜେପି ପ୍ରାର୍ଥୀ ବଦ୍ରି ନାରାୟଣ ଧଳ ୩୯,୧୪୧ ଖଣ୍ଡ ଯାହାକି ସମୁଦାୟ ଭୋଟର ୨୩ ଶତକଡ଼ା ଭୋଟ ପାଇଥିଲେ । ସେହିପରି ୨୦୧୪ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ୭୦,୧୭୩ ଖଣ୍ଡ ଯାହାକି ସମୁଦାୟ ଭୋଟର ୪୫ ଶତକଡ଼ା,କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଦାସ ୩୬,୦୭୬ଖଣ୍ଡ ଯାହାକି ସମୁଦାୟ ଭୋଟର ୨୩ ଶତକଡ଼ା ଓ ବିଜେପି ପ୍ରାର୍ଥୀ ବଦ୍ରି ନାରାୟଣ ଧଳ ୨୮,୮୦୯ ଖଣ୍ଡ ଯାହାକି ସମୁଦାୟ ଭୋଟର ୧୯ଶତକଡ଼ା ହୋଇଥିଲା । କିନ୍ତୁ ନାରିନେତ୍ରୀ ସୁଜାତା ଜେନା ସ୍ୱାଧିନ ପ୍ରାର୍ଥୀ ଭାବେ ୬,୬୮୨ ଖଣ୍ଡ ଯାହାକି ସମୁଦାୟ ଭୋଟର ୪ ଶତକଡ଼ା ହୋଇଥିବା ବେଳେ ସୁଧାକର ନନ୍ଦ ମଧ୍ୟ ପ୍ରାର୍ଥୀ ଭାବେ ୫,୩୬୫ ଖଣ୍ଡ ଭୋଟ ହାତେଇଥିଲେ । ଉକ୍ତ ୨ ଗୋଟି ସାଧାରଣ ନିର୍ବାଚନ ଫଳାଫଳକୁ ନଜୀରକୁ ନେଲେ ୨୦୧୯ ଫଳାଫଳ ଅନୁଯାୟୀ ବିଜେଡ଼ି ୨୦୧୪ ଅପେକ୍ଷା ୫ ଶତକଡ଼ା କମ୍ ଭୋଟ ପାଇଥିଲା ଏହିପରି ସ୍ଥଳେ କଂଗ୍ରେସ ୧୨ ଶତକଡ଼ା ଓ ବିଜେପି ୪ ଶତକଡ଼ା ଅଧିକ ଭୋଟ ପାଇଥିଲା । ୨୦୧୯ରେ ପ୍ରଫୁଲ୍ଲ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ୨୦୧୪ ତୁଳନାରେ ବହୁ କମ୍ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ତେଣୁ ନିର୍ବାଚନ ଫଳାଫଳକୁ ଆକଳନ କରୁଥିବା ବିସାରଦଙ୍କ କହିବା ଅନୁଯାୟୀ ଯଦି ଆଗାମୀ ନିର୍ବାଚନରେ ନିରଂଜନ ପଟ୍ଟନାୟକ କଂଗ୍ରେସରୁ ପ୍ରାର୍ଥୀ ହୁଅନ୍ତି ତେବେ ଡ଼ଃ ସୁଧାଂଶୁ ଶେଖର ନାୟକଙ୍କ ବିଜେପିରେ ଯୋଗଦାନ କଂଗ୍ରେସ ପାଇଁ ଶୁଭଙ୍କର ହେବ କାରଣ ବିଜେଡ଼ି ଭୋଟ କଟି ବିଜେପିରେ ମିଶିବ ଏବଂ କଂଗ୍ରେସର ଭୋଟ ହାର ମଧ୍ୟ ବଢିବ । ତେଣୁ ଡ଼ଃ ନାୟକ ବିଜେଡ଼ି ଦଳର ବିଜୟ ଓ ପରାଜୟରେ ମୁଖ୍ୟ ଭୂମିକା ନିର୍ବାହ କରିବା ସମ୍ଭାବନା ଅଧିକ ଥିବାରୁ ପ୍ରଫୁଲ୍ଲଙ୍କ ସୁପୁତ୍ର (ଲୁଲୁ)ଙ୍କ ଗୋଟି ଚାଳନା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ନିରଜଂନଙ୍କ ଭଣାରିପୋଖରୀ ନିର୍ବାଚନ ମଣ୍ଡଳୀରେ ସବୁ ସମୟରେ ସକ୍ରିୟ ରହିବା ଉକ୍ତ ନିର୍ବାଚନ ମଣ୍ଡଳୀରେ ଆଗାମୀ ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଏକ ନୂଆ ରାଜନୈତିକ ସମୀକରଣର ସମ୍ଭାବନା ସୃଷ୍ଟି କରିଥିବାର ଆଲୋଚନା ହେଉଛି ।