Onn 3

ରାସ୍ତା ମଝିରେ ଗର୍ତ୍ତକୁ ନେଇ ଚିନ୍ତାରେ ଗ୍ରାମବାସୀ

State

ଆଗରପଡ଼ା:ରାସ୍ତା ମଝିରେ ସୃଷ୍ଟି ହୋଇଥିବା ଗର୍ତ୍ତର କୌଣସି ସ୍ଥାୟୀ ସମାଧାନ କରାଯାଉନଥିବାରୁ ଗମନାଗମନକୁ ନେଇ ଗ୍ରାମବାସୀ ଚିନ୍ତାରେ ରହିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ବନ୍ତ ବ୍ଳକ ଓଡ଼ଙ୍ଗ ପଂଚାୟତ ତୋଟାସାହୀ ଅନ୍ତର୍ଗତ ଠାକୁରଗଡ଼ିଆ ଗ୍ରାମର ପ୍ରବେଶ ପଥର ମଧ୍ୟ ଭାଗରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଥିବା ବେଳେ ଏହାର କୌଣସି ମରାମତି କରାଯାଉନଥିବାରୁ ଉକ୍ତ ଗ୍ରାମର ପାଖାପାଖି ୧୫୦ ରୁ ଉର୍ଦ୍ଧ ବାସିନ୍ଦା ଗମନାଗମନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବହୁ ଦିନ ପୂର୍ବରୁ ଗ୍ରାମକୁ ନିର୍ମିତ କଂକ୍ରିଟ ରାସ୍ତା ମରାମତି ଅଭାବରୁ ନଷ୍ଟ ହୋଇଯାଇଥିବା ବେଳେ ରାସ୍ତା ମଝିରେ ସୃଷ୍ଟି ହୋଇଥିବା ଗର୍ତ୍ତ ଆଉ ଏକ ସମସ୍ୟା ସୃଷ୍ଟି କରିଛି ।

ଉକ୍ତ ରାସ୍ତା ଦେଇ ପ୍ରତିଦିନ କୁନିକୁନି ପିଲା ଅଙ୍ଗନବାଡ଼ି ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଏବଂ କଲେଜକୁ ଅଧ୍ୟୟନ ପାଇଁ ଯାଆଆସ କରିଥିବା ବେଳେ ଗ୍ରାମବାସୀ ବିଭିନ୍ନ ସ୍ଥାନକୁ ଯିବା ଆସିବା କରିଥାନ୍ତି । ରାତ୍ରୀ ସମୟରେ ଏହା ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ତେଣୁ ଏହାର ସ୍ଥାୟୀ ମରାମତି ପାଇଁ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କ ଠାରେ ଦାବି କରିଛନ୍ତି ।