Onn 3

ପତ୍ନୀଙ୍କ ସହ ବିଜେପିରେ ସାମିଲ ହେଲେ ଅର୍କକେଶରୀ ଦେଓ

Politics State

 

join

ଭୁବନେଶ୍ୱର: ପଦ୍ମ ଧରିଲେ ଅର୍କ କେଶରୀ ଦେଓ ।   ବୁଧବାର  ବିଜେପିରେ ସାମିଲ ହୋଇଛନ୍ତି  କଳାହାଣ୍ଡି ପୂର୍ବତନ ବିଜେଡି ସାଂସଦ ଅର୍କ କେଶରୀ  । ପତ୍ନୀ ମାଳବିକା ଦେବୀଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ ବିଜେଡି ସାଂସଦ । ଭୁବନେଶ୍ୱରରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବରିଷ୍ଠ ନେତାଙ୍କ ଗହଣରେ ପତି-ପତ୍ନୀ ଦଳରେ ସାମିଲ ହୋଇଛନ୍ତି ।

ଅର୍କକେଶରୀଙ୍କ ବାପା ବିକ୍ରମ କେଶରୀ ବିଜେପିର ଜଣେ ଟାଣୁଆ ନେତା ଥିଲେ । କଳାହାଣ୍ଡି ଲୋକ ସଭା ଆସନରୁ ସେ ତିନିଥର ୧୯୯୮, ୯୯ ଏବଂ ୨୦୦୪ରେ ବିଜେପି ଟିକେଟରେ ଲଢି ଜିତିଥିଲେ  ।  ୨୦୧୩ରେ ବାପା ବିକ୍ରମ କେଶରୀ ଦେଓଙ୍କ ମୃତ୍ୟୁ ପରେ ବିଜେଡିରେ ସାମିଲ ହୋଇଥିଲେ ଅର୍କ କେଶରୀ । ୨୦୧୪ରେ କଳାହାଣ୍ଡି ଲାେକସଭା ଆସନରୁ ବିଜେଡି ଟିକେଟରେ ଜିତିଥିଲେ । ହେଲେ  ୨୦୧୯ରେ ବିଜେଡିରୁ ଇସ୍ତଫା ଦେଇଥିଲେ । ତାଙ୍କୁ କଳାହାଣ୍ଡି ଲୋକସଭା ସିଟ ପାଇଁ ଟିକେଟ ନ ମିଳିବା ପରେ ସେ ଦଳ ଛାଡିଥିଲେ ।

ଏଥିସହ ମଦନପୁର ଓ ରାମପୁର ରାଜ ପରିବାରର ତନ୍ମୟ ପ୍ରତାପ ସିଂହ ଦେଓ ଏବଂ କୁମାର ସାହେବଙ୍କ ବୋହୂ ତଥା ଅନ୍ତର୍ଜାତୀୟ ସେରାମିକ ଆର୍ଟିଷ୍ଟ ପୃଥ୍ୱୀରାଜ ସିଂହଦେଓଙ୍କ ପତ୍ନୀ ମଧ୍ୟ ସଂଯୁକ୍ତା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ, ଜିଲ୍ଲା ସଭାପତି ଶ୍ରୀ ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।

ଏହି ଅବସରରେ ଶ୍ରୀ ଦେଓ କହିଥିଲେ,ଦେଶ ତଥା ରାଜ୍ୟର ସାମୁହିକ ବିକାଶ ପାଇଁ ପ୍ରକୃତ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାରର ଗତ ୯ ବର୍ଷର ଶାସନ କାଳରେ ବହୁ ଗରୀବକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ହୋଇଛି । ସାଧାରଣ କାର୍ଯ୍ୟକର୍ତା ଭାବେ ପାର୍ଟିର ସଂଗଠନକୁ ସୁଦୃଢ କରିବା ଏବଂ ବିଜେପିର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମୋ ବାପା ସ୍ୱର୍ଗତଃ ବିକ୍ରମ କେଶରୀ ଦେଓଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ହେଉଛି ମୋର ପ୍ରାଥମିକତା । ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମୋଦିଜୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ସହିତ ରାଜ୍ୟରେ ମଧ୍ୟ ବିଜେପିର ଡବଲ୍ ଇଞ୍ଜିନ ସରକାର ନିଶ୍ଚିତ ହେବ ବୋଲି ଶ୍ରୀ ଦେଓ କହିଛନ୍ତି ।

ସୂଚନା ଥାଉ କି,ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଦୁଇ ଥରର ବ୍ଲକ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା  ରେବତୀ ନାୟକ, ବିଶିଷ୍ଟ ଶିକ୍ଷାବିତ୍   ସୁଧାଂଶୁ ଶେଖର ନାୟକ ଆଜି ବିଜେଡି ଦଳ ଛାଡି ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ଏଥିସହ ବନ୍ତ ବ୍ଲକର ପୂର୍ବତନ ବିଜେଡି ସଭାପତି କମଳାକାନ୍ତ ସାହୁ, ପୂର୍ବତନ ସରପଂଚ ରବିନ୍ଦ୍ରନାଥ ପଣ୍ଡା, କୃପାସିନ୍ଧୁ ସେଠୀ, ପୂର୍ବତନ ସମିତି ସଭ୍ୟ ସୁବାଷ ଚନ୍ଦ୍ର ଜେନା, ସୁଜାତା ସେଠୀ, ତିଳୋତମା ଜେନା, ଶୁଭକାନ୍ତ ଜେନା, ବସନ୍ତ କୁମାର ନାୟକ, ପୂର୍ବତନ ସରପଂଚ ସୁବାସ ଚନ୍ଦ୍ର ମଲ୍ଲିକ, ଦିପାଞ୍ଜଳୀ ରାଉତ, ଚିନ୍ତାମଣି ମିଶ୍ର, ସୁଧିର କୁମାର ନାୟକ, କୌଳାଶଚନ୍ଦ୍ର ଧଳ, ବୈକୁଣ୍ଠ ଚରଣ ନାଥ, ଧରଣୀଧର ପଲ୍ଲୀ, ରବିଦ୍ର ସାହୁ, ଜଗନ୍ନାଥ ଜେନା ପ୍ରମୁଖ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ବିଜେପିରେ ଯୋଗଦାନ କରିଛନ୍ତି । ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ।