Onn 3

୨୦ବର୍ଷ ପରେବି ପାଳିତ ହେଉନି ହାଇକୋର୍ଟଙ୍କ ନିର୍ଦ୍ଦେଶ, ତମାଖୁ ଓ ପଲିଥିନ୍ ବିକ୍ରି ନିଷେଧ କାଗଜକଲମରେ ସୀମିତ

State

ଆଗରପଡ଼ା: ଆଧୁନିକତ୍ୱର ପରିଭାଷାରେ ମନୁଷ୍ୟ ଭୂଲିବାକୁ ବସିଲାଣି ପରିବେଶ ର ସୁରକ୍ଷା । ତା ଭିତରେ ମନୁଷ୍ୟ ଭୂଲି ଯାଉଛି ନିଜ ଜୀବନର ସୁରକ୍ଷା । ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ତମାଖୁ ବିକ୍ରି କରିବା ନିଷେଧ କିନ୍ତୁ କାର୍ଯ୍ୟାନୁଷ୍ଠାନ ନ ହୋଇପାରୁଥିବାରୁ ଆଗରପଡ଼ା ଓ ତା ଆଖପାଖ ଅଂଚଳରେ ଏବେବି ଅବାଧରେ ତମାଖୁ ବିକ୍ରି ଚାଲୁଥିବାର ଦେଖିବାକୁ ମିଳୁଛି । ଏହି ଅଂଚଳରେ ତମାଖୁ ସେବନ କରି ମୁଖ ଗହ୍ୱର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବାର ନଜିର ରହିଥିବା ସ୍ଥଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ କୌଣସି କାର୍ଯ୍ୟାନୁଷ୍ଠାନ ନଥିବାରୁ ଏହାର ଅବାଧ ବ୍ୟବହାର ଚାଲିଛି । ସ୍କୁଲ କଲେଜର ସ୍ୱଳ୍ପ ବୟସର ଛାତ୍ରଛାତ୍ରୀମାନେ ଏହାକୁ ସେବନ କରି ବିପଦକୁ ଡ଼ାକି ଆଣିବାର ଦେଖିବାକୁ ମିଳୁଛି । ଏଥିସହ ଉକ୍ତ ଅଂଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ଶିକ୍ଷାନୁଷ୍ଠାନ ତମାଖୁ ମୁକ୍ତ ଅଂଚଳ ହୋଇପାରୁନଥିବା ଅଭିଯୋଗ ହେଉଛି । ୨୦୧୩ ମସିହା ଜାନୁଆରୀ ମାସରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏହି ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ । ଏଥିରେ ଗୁଟ୍‌ଖା ଓ ନିକୋଟିନ ଯୁକ୍ତ ପାନ ମସଲା ପ୍ରସ୍ତୁତ,ବିକ୍ରୟ,ବିତରଣ ଓ ସେବନ ଉପରେ କଟକଣା କରାଯାଇଛି । କିନ୍ତୁ ସଠିକ ରୂପରେ ପାଳନ ହେଉନଥିବାରୁ ଏହା ଅବାଧରେ ବିକ୍ରୀ ଚାଲିଛି । ସେହିପରି ପରିବେଶ ପ୍ରଦୂଷଣ ହେବାର କାରଣ ଅନେକ ଥିବା ବେଳେ ପଲିଥିନ ଏକ ମୁଖ୍ୟ କାରଣ ସାଜିଛି । ସେହିସବୁ କାରଣରୁ ମାନ୍ୟବର ହାଇକୋର୍ଟ ୨୦୦୨ ମସିହା ରେ ପଲିଥିନ ବ୍ୟବହାର କୁ ବିରୋଧ କରି ଏହା ବିରୁଦ୍ଧରେ କଡ଼ା କଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ରାଜ୍ୟ ସରକାର ଜିଲ୍ଳା ପ୍ରଶାସନକୁ ଏହାର ବ୍ୟବହାର ପାଇଁ ନିଷେଧାଜ୍ଞା ଜାରି ମଧ୍ୟ କରିଛନ୍ତି । ତତ୍ ସହିତ ବିଭିନ୍ନ ଗଣମାଧ୍ୟମରେ ଏହାର ବ୍ୟବହାର ନକରିବା ପାଇଁ ବିଜ୍ଞାପନ ମଧ୍ୟ ପ୍ରକାଶ ପାଉଥିଲା । କିନ୍ତୁ ଇତି ମଧ୍ୟରେ ୨୦ ବର୍ଷ ବିତିଗଲା ପରେବି ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳିତ ହୋଇନପାରିବା ବଡ ଦୁଃଖ ଓ ଅନୁତାପର ବିଷୟ ।

ପ୍ରକାଶ ଥାଉକି : ସମଗ୍ର ଦେଶରେ ପରିବେଶର ସୁରକ୍ଷାକୁ ନେଇ ପଲିଥିନ୍ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଥିବାରୁ ବହୁ ରାଜ୍ୟରେ ପଲିଥିନ୍ କାରବାର ବନ୍ଦ ହୋଇଯାଇଥିବା ବେଳେ ଗତ ବର୍ଷ ୨୦୨୧ ଅକ୍ଟୋବର ୨ତାରିଖରୁ ରାଜ୍ୟର ୬ଟି ସହର ଯଥା ଭୁବନେଶ୍ୱର,କଟକ,ପୁରୀ,ରାଉରକେଲା ଓ ବ୍ରହ୍ମପୁରରେ ଏହାର ବ୍ୟବହାର ଉପରେ ରୋକ୍ ଲଗାଯାଇଥିଲା ଓ ବର୍ଷ ୨୦୨୨ ଅକ୍ଟୋବର ୨ତାରିଖରୁ ସାରା ରାଜ୍ୟକୁ ପଲିଥିନ୍ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସରକାର ଘୋଷଣା କରିଥିଲେ ସୁଦ୍ଧା ଏହାର ସଫଳ ରୂପାୟନ ଆଜି ସୁଦ୍ଧା ହୋଇ ପାରି ନାହିଁ । ଏହାର ବ୍ୟବହାର ଉପରେ ଆଜି ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନ ନିଆ ହେବା ଦ୍ୱାରା ଏହାର ବହୁଳ ବ୍ୟବହାର ହେଉଛି । ବନ୍ତ ବ୍ଲକ ସମେତ ବିଭିନ୍ନ ଅଂଚଳରେ ପଲିଥିନ୍‌ର ବହୁଳ ବ୍ୟବହାର ଦେଖାଯାଇଛି । ୫୦ମାଇକ୍ରୋନରୁ କମ୍ ପଲିଥିନ୍ ବ୍ୟବହାର କରିବା ଆଇନ୍ ବିରୁଦ୍ଧ ହୋଇଥିବା ବେଳେ ଏଠାକାର ତେଜରାତି ଦୋକାନରୁ ଆରମ୍ଭ କରି ପନି ପରିବା , ମିଠା ନୋକାନ ସହ ମାଛ-ମାଂସ ଆଦି ବିଭିନ୍ନ ଦ୍ରବ୍ୟକୁ ଗ୍ରାହକମାନେ ପଲିଥିନ୍‌ରେ ନେଉଥିବାର ଦେଖାଯାଉଛି । ପଲିଥିନ୍ କୁ ବ୍ୟବହାର କରି ବିଭିନ୍ନ ସ୍ଥାନରେ ଫିଙ୍ଗାଯିବା ଦ୍ୱାରା ଏହାକୁ ଗାଈ ଗୋରୁ ମାନେ ଖାଇବା ଦ୍ୱାରା ତାଙ୍କର ପାଚନ ଶକ୍ତି ହ୍ରାସ ହେବା ସହ ତାଙ୍କୁ ବିଭିନ୍ନ ରୋଗ ଗ୍ରାସ କରୁଛି । ଏଥି ସହ ମୃତ୍ତିକା ଅବକ୍ଷୟ ମଧ୍ୟ ଘଟୁଛି । ପଲିଥିନ୍ କୁ ପୋଡ଼ିବା ଦ୍ୱାରା ମାଟିର ଉର୍ବରତା କମିବା ସହ ବାୟୁମଣ୍ଡଳ ଦୂଷିତ ହେଉଛି । ଏବେ ବିଭିନ୍ନ ଅଭିନନ୍ଦନର ବାର୍ତ୍ତାକୁ ପଲିଥିନ୍ ରେ ତିଆରି ବ୍ୟାନର ମାଧ୍ୟମରେ ଆଦୃତ କରାଯାଉଥିବାରୁ ଏହି ନିଷେଧାଜ୍ଞାର କାର୍ଯ୍ୟକାରି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିସବୁ କୁ ଆଖିଆଗରେ ରଖି ପଲିଥିନ୍‌ର ବିକଳ୍ପକୁ ବ୍ୟବହାର ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦେବା ସହ ପରିବେଶ ସୁରକ୍ଷା ଓ ଜନମାନସ ର ଜୀବନକୁ ସରସ ସୁନ୍ଦର କରିବାପାଇଁ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।