Onn 3

ପଂଚାୟତ ଗଠନକୁ ୭୦ ବର୍ଷ ପୁରିଲାଣି, ନିର୍ମାଣରେ ଅଟକିଛି ବିକାଶ

State

ମୌଳିକ ସୁବିଧାରୁ ବଂଚିତ କାଦବରାଙ୍ଗ ପଂଚାୟତବାସୀ

ଆଗରପଡ଼ା:ସରକାର ଗ୍ରାମାଚଂଳରେ ବସବାସ କରୁଥିବା ଲୋକଙ୍କୁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଚେଷ୍ଟିତ ହେଉଥିବା ବେଳେ ନିର୍ବାଚିତ ପ୍ରତିନିଧିଙ୍କ ଅନଭିଜ୍ଞତା ଓ ଦୂର ଦୃଷ୍ଟିର ଅଭାବ ଏବଂ ବିଭାଗୀୟ ଅଧିକାରୀଙ୍କ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହୋଇପାରୁନାହିଁ । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତରେ । ଉକ୍ତ ପଂଚାୟତ ଗଠନକୁ ୭୦ ବର୍ଷ ପୁରିବା ସହ ୧୧ଜଣ ସରପଂଚ ଶାସନ ଗାଦି ସମ୍ଭାଳି ଥିଲେ ସୁଦ୍ଧା କେହିବି ଉକ୍ତ ପଂଚାୟତ ସମସ୍ୟାରେ ସୁଧାର ଆଣି ନ ପାରିବା ତାଙ୍କ ପାରିବା ପଣିଆକୁ ଅଙ୍ଗୁଳ ନିର୍ଦେଶ କରିବା ସହ ସରକାରଙ୍କ ପଂଚାୟତ ଗଠନ ଆଭିମୁଖ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସୂଚନା ଅନୁଯାୟୀ;୧୦ଟି ଗାଁର ୧୨ଟି ୱାର୍ଡ଼ ଓ ପାଖାପାଖି ୬୦୦୦ ଜନସଂଖାକୁ ନେଇ ଉକ୍ତ ପଂଚାୟତ ଗଠନ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବହୁ ଗାଁକୁ ସ୍ଥ୍ରାୟୀ ରାସ୍ତା ନିର୍ମାଣ ହୋଇ ପାରି ନାହିଁ । ଯେପରି ଉକ୍ତ ପଞ୍ଚାୟତ ୪ନଂ ୱାର୍ଡ଼ ଅଧିନ ତୁମ୍ଭାପଦୀ ଗାଁ । ଏହି ଗାଁର ଲୋକ ସଂଖ୍ୟା ପାଖାପାଖି ୯୦୦ । ତନ୍ମଧ୍ୟରୁ ଭୋଟର ପାଖାପାଖି ୩୫୦ । ମାତ୍ର ଏଠାକୁ ଭଲ ରାସ୍ତାଟିଏ ନାହିଁ । ବାଙ୍କତିରା ସ୍କୁଲ ଠାରୁ ଏକ କାଦୁଅ ରାସ୍ତା ଏହାକୁ ସଂଯୋଗ କରୁଛି । ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏଁ ପାଣି ଜମା ହୋଇ ଯାଉଛି ଯଦ୍ୱାରା ଗମନା ଗମନରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏହି ରାସ୍ତାଟି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅର୍ନ୍ତଗତ ସରମରା ଗାଁକୁ ମଧ୍ୟ ସଂଯୋଗ କରୁଛି । ରାସ୍ତା ବିପର୍ଯ୍ୟସ୍ତ ଥିବାରୁ ଗ୍ରାମବାସୀମାନେ ପ୍ରତିଦିନ ବ୍ଲକ ଓ ତହସିଲ ଆଦି କାର୍ଯ୍ୟାଳୟକୁ ଅଧିକ ଦୂରବର୍ତ୍ତୀ ରାସ୍ତାଦେଇ ଯାଆଆସ କରୁଛନ୍ତି । ରାସ୍ତା ସମସ୍ୟା ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ବର୍ଷ ୨୦୨୦ ଜୁନ ମାସରେ ବନ୍ତ ବ୍ଲକ ପ୍ରଶାସନ ତରଫରୁ ଉକ୍ତ ରାସ୍ତାର ତଦାରଖ କରାଯିବା ପରେ ସାଂସଦଙ୍କ ପାଣ୍ଠିରୁ ଅନୁମୋଦିତ ଅର୍ଥରେ ବାଙ୍କତିରା ସ୍କୁଲ ଠାରୁ ତୁମ୍ଭାପଦୀ ପର୍ଯ୍ୟନ୍ତ ମୋରମ କାର୍ଯ୍ୟ କରାଯାଇଥିଲେ ସୁଦ୍ଧା ତାହା ତୁମ୍ଭାପଦୀ ଗ୍ରାମ ରାସ୍ତାର ରୂପରେଖକୁ ପରିବର୍ତ୍ତନ କରିପାରି ନଥିଲା । ପୂର୍ବପରି ରାସ୍ତା ସାରା ଖାଲଖମାରରେ ଭର୍ତ୍ତି । ଥିବାରୁ ଗ୍ରାମବାସୀମାନେ ଗମନାଗମନରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । । ୧ନଂ ୱାର୍ଡ଼ ଅନ୍ତର୍ଗତ ଭଗାରାମ ଗ୍ରାମ । ଯାହାର ଲୋକ ସଂଖ୍ୟା ପାଖାପାଖି ୧୦୦୦ କିନ୍ତୁ ସରକାରଙ୍କ ଦୁରଦୃଷ୍ଟିର ଅଭାବଯୋଗୁଁ ଭକ୍ତ ଗ୍ରାମରେ ଜଳନିଷ୍କାସନର ସୁବନ୍ଦୋବସ୍ତ ନଥିବାରୁ ବର୍ଷାଋତୁ ଗ୍ରାମବାସୀଙ୍କ ଚିନ୍ତା ବଢିଇଦେଉଛି । ବର୍ଷା ପାଣି ଚାଷ,ଶିକ୍ଷା ଓ ଗମନାଗମନ ଆଦି ବିଭିନ୍ନ କ୍ଷେତ୍ରରେ ବାଧକ ସାଜୁଛି ।

ସେହିପରି ଉକ୍ତ ପଂଚାୟତ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ସଡ଼କ ଅବସ୍ଥା କହିଲେ ନସରେ କାଦବରାଙ୍ଗ ଠାରୁ ଆଡ଼ିଆକୁ ଓ ବାଙ୍କତିରା ଠାରୁ ଆପ୍ତିରାଷଡଙ୍ଗୀ ପର୍ଯ୍ୟନ୍ତ ଲମ୍ବିଥିବା ସଡ଼କ ମରାମତି ଅଭାବରୁ ମରଣଯନ୍ତା ପାଲଟିଛି । ଉକ୍ତ ପଂଚାୟତ ଅନ୍ତର୍ଗତ ବହୁ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ଶିକ୍ଷାଦାନ ଠିକ ଭାବେ ହୋଇ ପାରୁନଥିବା ଜଣା ପଡ଼ିଛି । ବାରଣ୍ଡାରେ ବସି ପିଲାମାନେ ଶିକ୍ଷା ଲାଭ କରୁଛନ୍ତି । ୨୦୨୧-୨୧ ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ଗରିବ ରୋଜଗାର ଯୋଜନାରେ ନିର୍ମିତ ଗୋଷ୍ଠୀ ପରିମଳ କେନ୍ଦ୍ର ବ୍ୟବହାର ଯୋଗ୍ୟ ନହୋଇ ପଡ଼ିରହିଛି । ବର୍ଷାଧିକ କାଳ ଧରି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବନ୍ଦ ରହିବା ପରେ ଏବେ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପର ନିର୍ମାଣ ଚାଲିଛି । କାଦବରାଙ୍ଗ ପଂଚାୟତ ଉପରେ ୫/୬ଗୋଟି ପଂଚାୟତ ବାସୀ ନିର୍ଭର କରୁଥିôବା ବେଳେ ବଜାର ଅଂଚଳରେ ସ୍ଥାୟୀ ବିଶ୍ରାମାଗାରଟିଏ ନିର୍ମାଣ ହୋଇପାରିନାହିଁ । ଉକ୍ତ ପଂଚାୟତର କାଦବରାଙ୍ଗ ଠାରେ ଥିବା ୨ଗୋଟି ଅଙ୍ଗନବାଡ଼ି କେନ୍ଦ୍ରମଧ୍ୟରୁ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ୧୩ ବର୍ଷ ପରେ ମଧ୍ୟ ନିଜସ୍ୱ ଗୃହ ନଥିବାରୁ ମିଶନ ଶକ୍ତି ଗୃହରେ ଚାଲିଛି । ସେହିପରି ଉକ୍ତ ପଂଚାୟତରେ ନିର୍ମିତ କଲ୍ୟାଣମଣ୍ଡପ ଆଜି ପର୍ଯ୍ୟନ୍ତ ଜନକଲ୍ୟାଣରେ ଲାଗି ପାରିନାହିଁ । କାଦବରାଙ୍ଗରେ ପ୍ରତିଷ୍ଠିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଫଳ ହେବା ସହ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦେଖିଲେ କେବଳ କାଗଜକଲମରେ ସ୍ୱାସ୍ଥ୍ୟସେବା ସୀମିତ ଥିବା ଜଣାପଡ଼ୁଛି । ତେଣୁ ରାଜନେତା ଓ ବିଭାଗୀୟ ଅଧିକାରୀଙ୍କ ସମେତ ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ପଂଚାୟତରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଚେଷ୍ଟିତ ହେବାକୁ ଗ୍ରାମବାସୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ବାବି ହୋଇଛି ।