Onn 3

କୋଟା ହଷ୍ଟେଲ୍‌ରୁ ମିଳିଲା NEET କୋଚିଂ ଛାତ୍ରୀଙ୍କ ମୃତଦେହ

National & International

ରାଜସ୍ଥାନର କୋଟାରେ କୋଚିଂ ଷ୍ଟୁଡେଣ୍ଟ୍‌ଙ୍କ ଆତ୍ମହତ୍ୟା ମାମଲା ଥମିବାର ନାଁ ଧରୁନାହିଁ। ପୁଣି ଏବେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ନିଟ୍‌ କୋଚିଂ ନେଉଥିବା ଜଣେ ଛାତ୍ରୀଙ୍କ ମୃତଦେହ ସେ ରହୁଥିବା ଛାତ୍ରୀ ନିବାସରୁ ମିଳିଛି। ଛାତ୍ରୀ ଜଣକ ୫ ମାସ ତଳେ ନିଟ୍‌ ପ୍ରସ୍ତୁତି ପାଇଁ ଝାଡ଼ଖଣ୍ଡରୁ ଆସିଥିଲେ।

ଏଠାରେ ବିଜ୍ଞାନ ନଗର ଥାନା ଅଞ୍ଚଳରେ ସେ ରହୁଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି। କହି ରଖୁଛୁ ଯେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୨୪ ଛାତ୍ରଛାତ୍ରୀ କୋଟାରେ ଆତ୍ମହତ୍ୟା କରି ସାରିଲେଣି। କ୍ରମାଗତ ଭାବେ ବଢ଼ି ଚାଲିଥିବା ଆତ୍ମହତ୍ୟା ମାମଲା ବର୍ତ୍ତମାନ ଚିନ୍ତାର ବିଷୟ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏକ ରାଜ୍ୟସ୍ତରୀୟ କମିଟି ଗଠନ ସହିତ ଅନେକ ଗାଇଡ୍‌ଲାଇନ ମଧ୍ୟ ଜାରି କରାଯାଇଛି। ଏହାସତ୍ତ୍ୱେ କୋଟାରେ କୋଚିଂ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ଥମିବାର ନାଁ ଧରୁନାହିଁ। ବିଜ୍ଞାନନଗର ଥାନା ଏଏସ୍‌ଆଇ ଅମର କୁମାର କହିଛନ୍ତି, ମୃତ କୋଚିଂ ଛାତ୍ରୀ ମୂଳତଃ ରାଞ୍ଚିର ବାସିନ୍ଦା। ଗତ ମେ’ରେ ସେ ଏଠାରେ ଏକ ହଷ୍ଟେଲ୍‌ରେ ରହିବା ପାଇଁ ଆସିଥିଲେ।

ମିଳିଥିବା ସୂଚନା ମୁତାବକ, ଯେତେବେଳେ ଛାତ୍ରୀ ଜଣକ ସନ୍ଧ୍ୟା ପର୍ଯ୍ୟନ୍ତ ପଦାକୁ ବାହାରି ନ ଥିଲେ, ତାଙ୍କ କୋଠରୀର କବାଟ ଭଙ୍ଗାଯାଇଥିଲା। ଏହାପରେ ସେ ଆତ୍ମହତ୍ୟା କରିଥିବା ନେଇ ପୋଲିସକୁ ଖବର ଦିଆଯାଇଥିଲା। ଏହାପରେ ଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରିବାର ଲୋକେ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ କହିଛି।