Onn 3

ଜି୨୦ ଶିଖର ସମ୍ମିଳନୀରେ ଉତ୍ତମ ଡ୍ୟୁଟି କରିଥିବା ପୋଲିସ କର୍ମୀଙ୍କ ସହିତ ଡିନର କରିବେ ପ୍ରଧାନମନ୍ତ୍ରୀ ମୋଦି

National & International

ରାଜଧାନୀ ଦିଲ୍ଲୀରେ ଚାଲିଥିବା ଜି୨୦ ଶିଖର ସମ୍ମିଳନୀ ଶେଷ ହୋଇଛି । ଜି୨୦ ଶିଖର ସମ୍ମିଳନୀରେ ଦିଲ୍ଲୀରେ ଆଇନ ବ୍ୟବସ୍ଥା ଏବଂ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ପୋଲିସ କର୍ମୀ ଦିନରାତି ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଏବେ ଏହି ପୋଲିସ କର୍ମୀଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିନର କରିବେ ବୋଲି ଖବର ମିଳିଛି । ପାଖାପାଖି ୪୫୦ ଦିଲ୍ଲୀ ପୋଲିସ ଷ୍ଟାଫଙ୍କ ସହିତ ଏହି ସପ୍ତାହରେ ମୋଦି ଡିନର କରିପାରନ୍ତି । ଏହି ଡିନର କାର୍ଯ୍ୟକ୍ରମରେ କନେଷ୍ଟବଳ ଠାରୁ ଆରମ୍ଭ କରି ଇନ୍ସପେକ୍ଟରଙ୍କ ନାମ ମଗାଯାଇଛି ।

ଖବର ମୁତାବକ, ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରା ପ୍ରତ୍ୟେକ ଜିଲ୍ଲାର ପୋଲିସ କର୍ମୀଙ୍କ ନାମ ମାଗିଛନ୍ତି, ଯେଉଁମାନେ ଜି୨୦ ଶିଖର ସମ୍ମିଳନୀରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ତେବେ ଡିନର କେବେ ହେବ ଏନେଇ ତାରିଖ ଠିକ୍‌ ହୋଇନି । କିନ୍ତୁ ଏହି ସପ୍ତାହରେ ଡିନର କାର୍ଯ୍ୟକ୍ରମ ହୋଇପାରେ ବୋଲି ସୂଚନା ମିଳିଛି ।

ନୂଆଦିଲ୍ଲୀରେ ୯ ଏବଂ ୧୦ ସେପ୍ଟେମ୍ବରକୁ ହୋଇଥିବା ଜି୨୦ ସମ୍ମିଳନୀ ସଫଳତାପୂର୍ବକ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି୨୦ ଶିଖର ସମ୍ମିଳନୀର ଅନୁଭବ ବିଷୟରେ ପଚାରି ବୁଝିବା ପାଇଁ ନିଜ କାର୍ଯ୍ୟାଳୟ ଅଧିକାରୀ ଏବଂ କର୍ମଚାରୀଙ୍କ ସହିତ ସାକ୍ଷାତ କରିଥିଲେ । ଏହା ପରେ ବିଦେଶ ମନ୍ତ୍ରଣାଳୟର ଅଧିକାରୀଙ୍କ ସହିତ ସମସ୍ତ ସ୍ତର କର୍ମଚାରୀଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ସୁଷମା ସ୍ୱରାଜ ଭବନ ପହଞ୍ଚିଥିଲେ । ଜି ୨୦ ଶିଖର ସମ୍ମିଳନୀର ସଫଳତାକୁ ନେଇ ମୋଦିଙ୍କ ନେତୃତ୍ୱକୁ ବିଶ୍ୱ ନେତା ପ୍ରଶଂସା କରୁଛନ୍ତି ।