Onn 3

ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ମୟୁରଭଞ୍ଜର ଚାନ୍ଦିନୀଙ୍କୁ ସ୍ବର୍ଣ୍ଣ ପଦକ

sports State

ବାରିପଦା: ସମ୍ବଲପୁରର ଓଡିଶା ମାଷ୍ଟର୍ସ ସୁଇମିଙ୍ଗ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏକାଦଶ ଖଟେଶ୍ୱର ପାଣ୍ଡେ ମେମୋରିଆଲ ରାଜ୍ୟ ସ୍ତରୀୟ ସୁଇମିଙ୍ଗ ପ୍ରତିଯୋଗିତାରେ ବାରିପଦାର ଚାନ୍ଦିନୀ ଖାତୁନ 9 ରୁ 10 ବର୍ଷ ବାଳିକା ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି I ବାରିପଦା ସହରର ଏକ ନମ୍ବର ୱାର୍ଡର ବେଳଗଡ଼ିଆ ଅଂଚଳର ଶେକ ଅବଦୁଲ ଇଉନୁସ ଓ ମାଡିନI ବିବିଙ୍କ ସୁପୁତ୍ରୀ ଚାନ୍ଦିନୀ ବିଜୁ ପଟ୍ଟନାୟକ ସୁଇମିଙ୍ଗ ସେଣ୍ଟରରେ କୋଚ ଅଜୟ କୁମାର ଦାସଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ ବୋଲି ତାଙ୍କ ବାପା ଜଣାଇଛନ୍ତି I ଚାନ୍ଦିନୀ ରଘୁନାଥଗଞ୍ଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ରୀ I

ବାରିପଦା ସହରର ବହୁତ କମ ପିଲା ପହଁରା ଜାଣିଥିବା ବେଳେ ଏହି କୁନି ଝିଅଟିର କୃତିତ୍ୱ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ସହ ନିଜ ବିଦ୍ୟାଳୟ, ପରିବାର ତଥା ଜିଲ୍ଲା ପାଇଁ ଆଣିଥିବା ଗୌରବ ପାଇଁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଛି I ବାପା ବେସରକାରୀ ଭାବେ ଇଲେକ୍ଟ୍ରି ମିସ୍ତ୍ରୀ କାମକରି ପରିବାର ପାଳୁ ଥିବାବେଳେ ନିଜ ଝିଅକୁ ସନ୍ତରଣ ପ୍ରତିଯୋଗିତା ପାଇଁ ପ୍ରତ୍ସାହିତ କରିବା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛି I ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଉଷାରାଣୀ ଦାସ, ୱାର୍ଡ କାଉନସିଲର ସୁକେଶିନୀ ସେଠୀ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସନ୍ତରଣ ସହ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ ସମେତ ସମସ୍ତ କର୍ମକର୍ତ୍ତା, ମିଡ଼ିଆ ସଂଯୋଜକ ସୋମନାଥ ସିଂହ, ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ତଥା ବହୁ କ୍ରୀଡ଼ାପ୍ରେମୀ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି I