Onn 3

ଏମ୍‌ପିସି ଅଟୋ କଲେଜର ହୀରକ ଜୟନ୍ତୀ ଉତ୍ସବ ପାଇଁ ପୁରାତନ ଛାତ୍ରସଂସଦର ବୈଠକ

State

ବାରିପଦା (୯/୯)  :  ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ଉତ୍ସବ ପାଳନ ନିମନ୍ତେ ମହାବିଦ୍ୟାଳୟର ଅଧ୍ୟକ୍ଷ ମୁକ୍ତିକାନ୍ତ ପଣ୍ଡାଙ୍କ ଆବାହକତ୍ୱରେ ପୁରାତନ ଛାତ୍ର ସଂସଦର ଏକ ବୈଠକ ସଂସଦର ସଭାପତି ଡ. ବିଜୟ କୁମାର ଅଗରୱାଲାଙ୍କ ପୌରୋହିତ୍ୟରେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ହୀରକ ଜୟନ୍ତୀ ଉତ୍ସବର ମହାବିଦ୍ୟାଳୟର ସଂଯୋଜିକା ଅଧ୍ୟାପିକା ରାଇମଣି ମାରାଣ୍ଡି ସ୍ୱାଗତ ଜଣାଇବା ପରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପୁରାତନ ଛାତ୍ର ସଂସଦର ସମ୍ପାଦକ ଇଂ. ବିପ୍ଲବ ଭଞ୍ଜନ ବୁଗୁଡେଇ ବିବରଣୀ ପ୍ରଦାନ ଏବଂ ସଂସଦର ଉପସଭାପତି ପ୍ରିତିଶ କୁମାର ବସା ଉତ୍ସବର ଆୟୋଜନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ପୁରାତନ ଛାତ୍ରମାନଙ୍କ ମଧ୍ୟରେ ଜୀବନ କୁମାର ସାହୁ, ଚିନ୍ମୟ ଦାସ ପଟ୍ଟନାୟକ, କଳିଙ୍ଗ କେଶରୀ ଜେନା, ଡ. ସୁଶାନ୍ତ କୁମାର ପାତ୍ର, ପୂର୍ଣ୍ଣେନ୍ଦୁ ଦାସ, ନରୋତ୍ତମ ପାଣିଗ୍ରାହୀ, ନଚିକେତା ଦାସ, ହରିହର ଦାସ, କୁମାର ରଞ୍ଜନ ପଣ୍ଡା, ଗିରିଶ ଚନ୍ଦ୍ର ଦାସ ପ୍ରମୁଖ ବକ୍ତବ୍ୟ ରଖି ବିଭିନ୍ନ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ । ଆଲୋଚନା ହୋଇଥିବା ଅନୁଯାୟୀ ଆପାତତଃ ଜାନୁଆରୀ ମାସର ୫,୬ ଓ ୭ ତାରିଖ ତିନିଦିନ ଧରି ଏହି ଉତ୍ସବ ପାଳନ କରାଯିବା ସକାଶେ ସ୍ଥିର ହୋଇଥିବା ପ୍ରକାଶ । ଶେଷରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ. ଅନାମ ଚରଣ ରାଉଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ବହୁ ସଂଖ୍ୟରେ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ଉତ୍ସବର ଆୟୋଜନ ପାଇଁ ପରବର୍ତ୍ତୀ ବୈଠକ ଚଳିତ ମାସ ଆଗାମୀ ୧୬ ତାରିଖ ଶନିବାର ପୂର୍ବାହ୍ନ ୧୦ଟା ସମୟରେ ଅନୁଷ୍ଠିତ ହେବାକୁ ଥିବାରୁ ମହାବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସକାଶେ ଅନୁରୋଧ କରାଯାଇଛି ।