ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଢାଞ୍ଚାରେ ପ୍ରତିଷ୍ଠା ହେବ। ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ଦେଶ ବିଦେଶରେ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ଫାଇବ-ଟି ସଚିବ ଭି.କେ. ପାଣ୍ଡିଆନ ଗତ ଅଗଷ୍ଟ ମାସ ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ପାଇକ ସଂଗଠନର ସଦସ୍ୟମାନଙ୍କୁ ଭେଟିଥିଲେ ଏବଂ ପାଇକ ପରମ୍ପରାର ସୁରକ୍ଷା ଓ ପ୍ରସାର ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିଥିଲେ। ଓଡ଼ିଶା ଇତିହାସରେ ପାଇକ ପରମ୍ପରାକୁ ଗୌରବମୟ ଅଧ୍ୟାୟ ଭାବରେ ଶ୍ରୀ ପାଣ୍ଡିଆନ ବର୍ଣ୍ଣନା କରିଥିଲେ ଏବଂ ଏହାର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ପରେ ଏ ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।