Onn 3

ବ୍ଲାକମେଲ୍‌ କରୁଛନ୍ତି ସୌମ୍ୟ ବାବୁ; ଅତନୁ

Politics State

ଭୁବନେଶ୍ୱର: ସୗମ୍ୟଙ୍କ ସମ୍ପାଦକୀୟ ବାଣ ଦଳୀୟ ନେତାଙ୍କ ମନରେ ଏବେ ପଶୁଛି । ତେଣୁ ୨୦ ଦିନ ପରେ ବିଜେଡି ବିଧାୟକ ସୌମ୍ୟଙ୍କୁ ଘେରିଛନ୍ତି  ନେତା, ମନ୍ତ୍ରୀ । ଦଳ ଭିତରୁ  ଆରମ୍ଭ ହୋଇଛି ଘନ ଘନ ଆଟାକ ।    ପ୍ରଥମେ ଅନୁଭବ ପଟ୍ଟନାୟକ, ତା ପରେ ଅରୁଣ ଆଉ ଅତନୁ।

ପ୍ରଥମେ ବିଜେଡି ନେତା ଅନୁଭବ ପଟ୍ଟନାୟକ ସୌମ୍ୟଙ୍କ ନାଁ ନ ନେଇ ଟ୍ୱିଟ୍ କରି ସୌମ୍ୟଙ୍କୁ ସମାଲୋଚନା କରିଥିଲେ । ୨୦୧୯ରେ ସୌମ୍ୟ କିପରି ବିଧାୟକ ଟିକଟ ପାଇଁ ନବୀନ ନିବାସରେ ଅନୁରୋଧ କରିଥିଲେ, ବିଧାୟକ ହେବା ପରେ ତାଙ୍କର ମନ୍ତ୍ରୀ ହେବାର ଇଚ୍ଛା ଅଛି ବୋଲି କିପରି ଅନୁରୋଧ କରୁଥିଲେ ସେ ବିଷୟରେ କହି କଟାକ୍ଷ କରିଥିଲେ ।

ଏହାର ବେଶ କିଛି ଦିନ ପରେ ଅର୍ଥାତ ଗତକାଲି ସମ୍ପଦକୀୟକୁ ନେଇ ମୁହଁ ଖୋଲିଥିଲେ ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ ସୌମ୍ୟଙ୍କ କଡା ସମାଲୋଚନା କରି କହିଥିଲେ, ସୌମ୍ୟରଂଜନ ଆଜିକାଲି ବିଚଳିତ ଅବସ୍ଥାରେ ଅଛନ୍ତି ଏବଂ ଉଦ୍ଭଟ କଥା ସବୁ କହୁଛନ୍ତି। ଏବେ ତାଙ୍କର ଚୈତନ୍ୟ ଉଦୟ ହେଲା ଭଳି ମାଟି, ପାର୍ଟି କଥା କହୁଛନ୍ତି । ମନ୍ତ୍ରୀ ହେବାର ସ୍ୱପ୍ନ ଭାଙ୍ଗିଯିବା ପରେ ହତାଶ ହୋଇ ସୌମ୍ୟ ବ୍ଲାକମେଲିଂ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ଅରୁଣ ସାହୁଙ୍କ ପରେ ଏବେ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସେ ସୌମ୍ୟ ପଟ୍ଟନାୟକଙ୍କ ବୟାନକୁ ଦଳ ବିରୋଧୀ କାମ ବୋଲି କହିବା ସହ  ସୌମ୍ୟ ବାବୁ ଦଳକୁ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ୍ କରି ନିଜ ସଂପାଦକୀୟରେ ବାରମ୍ବାର ଲେଖୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ।
ସେ କହିଛନ୍ତି, ଯଦି ୫ଟି ସଚିବ ସବୁ ଜିଲ୍ଲା ବୁଲି ବୁଲି ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି, ଅଭିଯୋଗର ସମାଧନା କରୁଛନ୍ତି ତେବେ ଏଥିରେ ସମସ୍ୟା କେଉଁଠି ରହିଲା ? ସେ ଯେଉଁ ପ୍ରଶ୍ନ ପଚାରୁଛନ୍ତି ତାହା ଲୋକଙ୍କୁ ପଚାରନ୍ତୁ ବୋଲି କହିଛନ୍ତି ଅତନୁ ।

ଏପଟେ ସୌମ୍ୟଙ୍କୁ ସମର୍ଥନ କରିଛନ୍ତି ଉଭୟେ କଂଗ୍ରେସ  ଓ ବିଜେପି। ସୌମ୍ୟ ପଟ୍ଟନାୟକ ଜଣେ ଜ୍ଞାନୀ ଲୋକ । ସେ ଯାହା କହୁଛନ୍ତି ଠିକ କହୁଛନ୍ତି । ବିଜେଡି ଓ ୫ଟିଙ୍କ କାମ ସମସ୍ତେ ଦେଖୁଛନ୍ତି । ରାଜନୀତିରେ ଏପରି ଆକ୍ରୋଶ ରଖିବା ଠିକ ନୁହେଁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷେ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ କରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି,   ସୌମ୍ୟ ବାବୁ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି ତାହା ଯୁକ୍ତିଯୁକ୍ତ । ଚନ୍ଦ୍ରଯାନ ଠାରୁ ପାଣ୍ଡିଆନଙ୍କ ଗସ୍ତ ଅଧିକ ଟଙ୍କା ଖର୍ଚ୍ଚ କଥା ଉଲ୍ଲେଖ କରିଥିଲେ ସୌମ୍ୟ ପଟ୍ଟନାୟକ, ଯାହାକି ଚିନ୍ତାର ବିଷୟ ।  ଏପରି ଅଭିଯୋଗର ଅନୁସନ୍ଧାନ ହେବା କଥା । ପାଣ୍ଡିଆନଙ୍କ ଉପରେ ବର୍ଷି ଜୟନାରାୟଣ କହିଥିଲେ ତାଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା କଥା । ନିଜକୁ ନିଜେ ସେ  ସୁପର ସିଏମ୍ ବୋଲି ଦର୍ଶାଉଛନ୍ତି । ସେ ଉପରେ ବିଜେଡି କାହିଁକି କିଛି କହୁନି ବୋଲି ସେ ପ୍ରଶ୍ନ କରିଥିଲେ ।