Onn 3

ପ୍ରହସନ ପାଲଟିଛି ଗୋଷ୍ଠୀ ପରିମଳ କେନ୍ଦ୍ର ନିର୍ମାଣ, କାର୍ଯ୍ୟକ୍ଷମ ନହେଉଣୁ ଭାଙ୍ଗି ଗଲାଣି ଫଳକ

State

ଆଗରପଡ଼ା: ଗତ ଜୁଲାଇ ମାସ ୧୧ ତାରିଖ “ପ୍ରହସନ ପାଲଟିଛି ଗୋଷ୍ଠୀ ପରିମଳ କେନ୍ଦ୍ର ନିର୍ମାଣ;କାର୍ଯ୍ୟକ୍ଷମ ନ ହେଉଣୁ ଫଳକ ଗଡ଼ିପଡ଼ିଲାଣି”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବାକୁ ଇତି ମଧ୍ୟରେ ୨ମାସ ବିତିଯାଇଥିଲେ ସୁଦ୍ଧା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ବର୍ତ୍ତମାନ ଉକ୍ତ ଫଳକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଯାହାକି ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଗୋଷ୍ଠୀ ପରିମଳ କେନ୍ଦ୍ର ନିର୍ମାଣକୁ ୩ବର୍ଷ ବିତିଯାଇଥିଲେ ସୁଦ୍ଧା ଏହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନଥିବା ବେଳେ କାର୍ଯ୍ୟସ୍ଥଳୀ ନିକଟରେ ନିର୍ମିତ ଫଳକ ଗଡ଼ିପଡ଼ିବା ପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ପଂଚାୟତର ଅଡ଼ାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନିର୍ମିତ ଗୋଷ୍ଠୀ ପରିମଳ କେନ୍ଦ୍ର ଠାରେ । ୩ଲକ୍ଷ ବ୍ୟୟରେ ନିର୍ମିତ ଗୋଷ୍ଠୀ ପରିମଳ କେନ୍ଦ୍ର କାମରେ ନ ଲାଗିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି ।

୨୦୨୦-୨୧ ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ଗରିବ ରୋଜଗାର ଯୋଜନାରେ ଗୋଷ୍ଠୀ ପରିମଳ କେନ୍ଦ୍ରମାନ ନିର୍ମାଣ କରାଯାଇଥିଲା । ନିର୍ମାଣକୁ ୩ବର୍ଷ ପୂରି ଯାଇଥିଲେ ସୁଦ୍ଧା ୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧିନ କେନ୍ଦ୍ର ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଉକ୍ତ ଯୋଜନାର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ କାର୍ଯ୍ୟସ୍ଥଳୀ ନିକଟରେ ନିର୍ମିତ ଫଳକ ଗଡ଼ିପଡ଼ି ତଳେ ପଡ଼ିବା ପୂର୍ବରୁ ଏକ ଗଛ ଉପରେ ଶୋଇ ରହିଥିଲା । ଯାହାକି ଗୋଷ୍ଠୀ ପରିମଳ କେନ୍ଦ୍ରଟି କାର୍ଯ୍ୟକ୍ଷମ ହେବା ବେଳକୁ ସୂଚନା ଫଳକ ତାର ଅସ୍ତିତ୍ୱ ହରାଇଥିବାର ପରିସ୍ଥିତି ଉପୁଜିବାର ଆଭାସ ମିଳିଥିଲା । ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଯୋଗୁଁ ଏହା ବର୍ତ୍ତମାନ ଭାଙ୍ଗି ପଡ଼ିଛି । ଯାହାକି ପ୍ରକଳ୍ପର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେହିପରି କାଦବରାଙ୍ଗ ପଂଚାୟତର ପଂଚାୟତ କାର୍ଯ୍ୟାଳୟ ନିକଟରେ, ପୁରୁଷଣ୍ଢ ପଂଚାୟତର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ, ଓଡ଼ଙ୍ଗ ପଂଚାୟତର ସତିସାବିତ୍ରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏହିପରି ବିଭିନ୍ନ ସ୍ଥାନରେ ନିର୍ମିତ ଗୋଷ୍ଠୀ ପରିମଳ କେନ୍ଦ୍ରମାନ କାର୍ଯ୍ୟକ୍ଷମ ଅପେକ୍ଷାରେ ଅଛନ୍ତି । ସେହିପରି ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଗରପଡ଼ା ବଜାରରେ ବିଟିପୁର ଓ ବଡ଼ମହିଁଷଗୋଠ ପଂଚାୟତ ପକ୍ଷରୁ ନିର୍ମାଣ ହେଉଥବା ଗୋଷ୍ଠୀ ପରିମଳ କେନ୍ଦ୍ରର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ବନ୍ଦ ହୋଇପଡ଼ିଥିବା କେନ୍ଦ୍ର ଗୁଡ଼ିକ କିପରି ବ୍ୟବହାର ହୋଇପାରିବ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ପଂଚାୟତବାସୀଙ୍କ ପକ୍ଷରୁ ଦାବି ହେଉଛି ।