Onn 3

‘କୁଚକ୍ରୀ ଗୋଷ୍ଠୀ’ଙ୍କ ଉପରେ ବର୍ଷିଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ

Politics State

ଭୁବନେଶ୍ୱର: ଫାଇବ-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ବିରୋଧୀ ଦଳ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। କିଏ ସରକାରଙ୍କୁ ଟାର୍ଟେଗ କରୁଛି ତ କିଏ ପାଣ୍ଡିଆନଙ୍କ ରାଜ୍ୟ ଭ୍ରମଣ ନେଇ ପ୍ରଶ୍ନ ଉଠାଉଛି। ନିକଟରେ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ନାଁ ନେଇ ବିଜେପି ସିଧାସଳଖ ଅଭିଯୋଗ କରିଥିଲା। ପାରିବାରିକ ଆମୋଦ ପ୍ରମୋଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ହେଲିକପ୍ଟରରେ ଯାଉଛନ୍ତି, ସରକାରୀ କାମ ନୁହେଁ ବୋଲି ବିଜେପି ପାଣ୍ଡିଆନଙ୍କ ଉପରେ ବର୍ଷିଥିଲା। ଆଜି ଏହାର ଜବାବ ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ।

ଏହି ସମସ୍ତ କୁଚକ୍ରୀ ଗୋଷ୍ଠୀଙ୍କ ଉପରେ ଟୁକୁନି ସାହୁ ବର୍ଷିଛନ୍ତି ଏବଂ ସେ କହିଛନ୍ତି, ବିଭ୍ରାନ୍ତିକର ତଥ୍ୟ ଦେଇ ଲୋକମାନଙ୍କୁ ଭ୍ରମିତ କରୁଛନ୍ତି କୁଚକ୍ରୀ ଗୋଷ୍ଠୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝୁଛି ଓ ସମାଧାନ କରୁଛି, ସେଥିରେ ବିରୋଧୀ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ଏବଂ ସେମାନଙ୍କର ମୁଣ୍ଡ କାମ କରୁନି। ସେଥିପାଇଁ ବିଭ୍ରାନ୍ତିକର ବୟାନ ଦେଉଛନ୍ତି। ବିରୋଧୀ ଚାହୁଁନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ। ସେଥିପାଇଁ ବିଭ୍ରାନ୍ତିକର ବକ୍ତବ୍ୟ ଦେଉଛନ୍ତି।

କିଏ କହୁଛି ହେଲିକପଟରରେ ଗସ୍ତ ବାବଦକୁ ୩୦୦ କୋଟି ଖର୍ଚ୍ଚ ହୋଇଛି ତ କିଏ କହୁଛି ୫୦୦ କୋଟି। ସେମାନଙ୍କ ନିଜ କଥାରେ ବି ତାଳମେଳ ନାହିଁ। ପ୍ରକୃତରେ ଗତ ୫ ବର୍ଷରେ ହେଲିକପଟରରେ ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଖର୍ଚ୍ଚ ହୋଇଛି। ଅର୍ଥାତ୍ ବର୍ଷକୁ ହାରାହାରି ୧୦ ରୁ ୧୨ କୋଟି ଟଙ୍କା ବ୍ୟୟ ହୋଇଛି।

ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ଏବାବଦରେ ସବୁ ତଥ୍ୟ ରଖିବି। ସେତେବେଳେ ଏମାନଙ୍କର ସବୁ ମିଥ୍ୟା ପ୍ରଚାର ଧରାପଡିଯିବ ଓ ମୁଖା ଖୋଲିଯିବ। ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର। ଏମାନଙ୍କ ପାଖରେ ଯଦି ସାମାନ୍ୟ ଲଜ୍ଜା ଥିବ ତେବେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବାରୁ ଓଡିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନି ସାହୁ।

ସୂଚନାଥାଉକି ନିକଟରେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ କରି କହିଥିଲେ, ୨୦୨୩ ମେ’ ୧୪ ତାରିଖ  ଏବଂ ଜୁନ ୨୮ ତାରିଖ ଦୁଇଦିନ ପାଣ୍ଡିଆନ ଯଥାକ୍ରମେ ଅନୁଗୁଳ ଏବଂ ତାଳଚେର ଗସ୍ତରେ ଯାଇଥିଲେ। ହେଲେ ଏହି ଦୁଇ ଦିନ ଏଠାରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିଲା । ବରଂ ୧୪ ମେ’ରେ ପାଲଲହଡା ବିଧାୟକ ମୁକେଶ ପାଲଙ୍କ ବାହାଘର ଭୋଜି ଖାଇବାକୁ ଯାଇଥିଲେ। ସରକାରୀ ଅର୍ଥ ବ୍ୟୟ କରି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭୋଜି ଖାଇବାକୁ ହେଲିକପ୍ଟରରେ ଯିବା କେତେଦୂର ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନା ଅଧିକାର ନିୟମ ଅନୁସାରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରୁ ପାଇଥିବା ତଥ୍ୟ ଅନୁସାରେ ଜାନୁଆରୀ ୧ରୁ ଜୁନ ମଧ୍ୟଭାଗ ଯାଏ ରାଜ୍ୟ ସରକାରଙ୍କ ସରକାରୀ ଅର୍ଥରେ ୭୫ ଥର ବିମାନ ଉଡିଛି । ଏଥିରେ ଡାଟ୍ସନ, ଫାଲକନ କରି ଲଗଜୁରିୟସ ବିମାନ, ବିଜିନେସ ଜେଟ ରହିଛି । ତେବେ ଏହି ୭୫ ଥର ବିମାନରେ କିଏ ଯାଇଛି ? କାହିଁକି ଯାଇଛି ? କେଉଁଠିକୁ ଯାଇଛି ? ଏସବୁର ଯାଞ୍ଚ କରିବା ଦରକାର ବୋଲି ବିଜେପି ଦାବି କରିଥିଲା।