Onn 3

ପ୍ରହସନ ପାଲଟିଛି ପ୍ରକଳ୍ପ ନିର୍ମାଣ, ଚାଷୀଙ୍କ କାମରେ ଆସୁନି କାଡ଼ାନାଳ

State

ଆଗରପଡ଼ା: ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ଥିବା ଚାଷଜମିରେ ପାଣି ଯୋଗାଇବା ପାଇଁ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ କାଡ଼ା ନାଳମାନ ନିର୍ମାଣ କରାଯାଇଛି । ମାତ୍ର ନିର୍ମାଣ ସମୟରେ ଏହାର ସ୍ଥାୟୀତ୍ୱ କୁ ନେଇ ଚାଷୀମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ପାଣି ପଂଚାୟତ କମିଟି ଅଧିକାଂଶ ସ୍ଥାନରେ ଏହି କାର୍ଯ୍ୟ କରୁ ନଥିବା ବେଳେ ବିଭିନ୍ନ ଏଜେନ୍ସୀର ଠିକାଦାରମାନେ ଏହି କାର୍ଯ୍ୟକରୁଥିବାର ଜଣାପଡ଼ିଥିଲା । ଆଗରପଡ଼ା ଜଳସେଚନ ବିଭାଗ ଅଧିନରେ ପ୍ରାୟ ୧୧୬ଟି ପାଣିପଂଚାୟତ କମିଟି ଗଠନ କରାଯାଇଥିଲା । କାଡାନାଳ ନିର୍ମାଣରେ ଠିକାଦାରମାନେ ଆବଶ୍ୟକୀୟ ସିମେଣ୍ଟ ଓ ଲୁହାଛଡ଼ ବ୍ୟବହାର କରୁ ନାହାଁନ୍ତି ବୋଲି ଅଭିଯୋଗ ହୋଇଥିଲା । ଅତି ନିମ୍ନମାନର କାର୍ଯ୍ୟ ହେଉଥିବାରୁ କାଡ଼ାନାଳ ବନ୍ଧ କିଛିମାସ ପରେ ଭାଙ୍ଗି ପଡ଼ିବାର ସମ୍ଭାବନା ରହିଛି ବୋଲି ଚାଷୀମାନେ ଆଶଙ୍କା କରୁଥିଲେ । କୈାଣସି ସ୍ଥାନରେ କାର୍ଯ୍ୟ ଆରମ୍ଭରୁ ସୂଚନାଫଳକ କରାନଯାଇ କାର୍ଯ୍ୟ ସରିବା ପରେ ଏହି ଫଳକ ଲଗା ଯାଉଥିବା ଅଭିଯୋଗ ହେଉଥିଲା ।

ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଚାଷୀମାନେ ଦୃଷ୍ଟି ଆକର୍ଷଣ କଲାପରେ ମଧ୍ୟ କିଛି ଲାଭ ପାଇପାରିନଥିଲେ । ଯଦ୍ୱାରା ବର୍ତ୍ତମାନ ବହୁ ଜାଗାରେ କାଡ଼ାନାଳରେ କେନାଲ ପାଣି ଯାଇପାରୁନାହିଁ ନଥିବା ବେଳେ କେତେକ ଜାଗାରେ ଏହା ପୋତି ହୋଇଗଲାଣି । କାଦବରାଙ୍ଗ ପଂଚାୟତ ଅର୍ନ୍ତଗତ ଆପ୍ତିରା ଓ ଭଗାରାମ ଗ୍ରାମର ଚାଷୀଙ୍କ ଅଭିଯୋଗ ଅନୁଯାୟୀ ରାସ୍ତା ନିର୍ମାଣ ସମୟରେ ବିଭାଗ ଜଳ ନିଷ୍କାସନର କୌଣସି ସୁବନ୍ଦୋବସ୍ତ କରିନଥିବାରୁ ଏକର ଏକର ଜମିରେ ପାଣି ଜମି ରହୁଥିଲା ଏହାକୁ ଆଖିଆଗରେ ରଖି ଜଳସେଚନ ବିଭାଗପକ୍ଷରୁ କାଡ଼ାନାଳ ନିର୍ମାଣ କରାଯାଇଥିଲା । କିନ୍ତୁ ମାସ କେଇଟା ନ ଯାଉଣୁ ଏହା କେତେକ ସ୍ଥାନରେ ପୋତିହୋଇଯିବା ସହ ବହୁ ସ୍ଥାନରେ ନଷ୍ଟ ହୋଇଗଲାଣି ଯଦ୍ୱାରା ଲକ୍ଷଲକ୍ଷ ଟଙ୍କାରେ ନିର୍ମିିତ ନାଳ ବର୍ତ୍ତମାନ ଚାଷୀଙ୍କ କାମରେ ଲାଗୁନି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି ।