Onn 3

ଜାଲ୍ ପ୍ରମାଣପତ୍ରରେ ୧୫ ବର୍ଷ ଚାକିରି, ନିଲମ୍ବନ ପରେ ବହିଷ୍କୃତ ହେଲେ ଶିକ୍ଷକ

Crime State

ଆଗରପଡ଼ା: ନିଲମ୍ବିତ ଶିକ୍ଷକ ବିଭାଗୀୟ ଅଧିକାରୀଙ୍କ ଆଦେଶକୁ ଅବମାନନା କରିବା ଓ ତଦନ୍ତରେ ସହଯୋଗ ନକରିବାରୁ ଶେଷରେ ଚାକିରିରୁ ବହିଷ୍କୃତ ହୋଇଥିବା ଜଣାପଡ଼ିଛି । ପ୍ରକାଶ ଥାଉକି; ବର୍ଷେ କି ଦୁଇ ବର୍ଷ ନୁହେଁ ୧୫ ବର୍ଷର ଚାକିରୀ ପୁଣି ଫେଲ ପ୍ରମାଣ ପତ୍ରରେ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଶିକ୍ଷାବିଭାଗ ଅର୍ନ୍ତଗତ ବିଣାପଦା କ୍ଲଷ୍ଟର ଅଧିନ ନିରାକାର ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ,ବିଣାପଦା ଠାରେ ଏପରି ଘଟଣା ଘଟିଥିଲା । ସାମ୍ବାଦିକ ବିନୋଦ ଧଳ ସାମନ୍ତଙ୍କ ସୂଚନା ଅନୁଯାୟୀ;ବାସୁଦେବପୁର ବ୍ଲକ ଶିକ୍ଷା ବିଭାଗ ଅର୍ନ୍ତଗତ ବିଣାପଦା କ୍ଲଷ୍ଟର ଅଧିନ ନିରାକାର ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ,ବିଣାପଦାରେ ଜନୈକ ସହକାରୀ ଶିକ୍ଷକ(ସୁଦର୍ଶନ ଦାସ) ଜାଲ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଥିବା ସେ ଜାଣିବାକୁ ପାଇଥିଲେ । ଉକ୍ତ ଶିକ୍ଷକ ୨୦୦୮ ମସିହା ଫେବୃଆରୀ ମାସ ୨୮ ତାରିଖରେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ବିଏ,ବିଇଡ଼ିର ପ୍ରମାଣ ପତ୍ର ଦେଇ ଶିକ୍ଷା ସହାୟକ ପଦବୀରେ ନିଯୁକ୍ତି ପାଇଥିଲେ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଏ,ବିଇଡ଼ି କିନ୍ତୁ ସେ ଦେଇଥିବା ବିଇଡ଼ି ପ୍ରମାଣ ପତ୍ରଟି ଭୂଲ ବୋଲି ଶ୍ରୀ ସାମନ୍ତ ଜାଣିବାକୁ ପାଇଥିଲେ ।

ସେ ୨୦୨୨ ମସିହା ଅଗଷ୍ଟ ମାସ ୨୬ ତାରିଖରେ ଏଥିନେଇ ଲିଖିତ ଅଭିଯୋଗ କରି ବାସୁଦେବପୁର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ । ପରେ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ରେ ତାଙ୍କ ପ୍ରମାଣ ପତ୍ର ଯାଂଚ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ,ବାଣୀବିହାର,ଭୁବନେଶ୍ୱରକୁ ପଠାଯାଇଥିଲା କିନ୍ତୁ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଯାଂଚ ପାଇଁ ପ୍ରମାଣପତ୍ର ପଠାଇ ଚୁପ ହୋଇ ବସିପଡ଼ିଥିଲା । ପରେ ସୂଚନା ଅଧିକାର କର୍ମୀ ବିକାଶ ଧଳ ସୂଚନା ଅଧିକାର ଆଇନ ବଳରେ ଯାଂଚ ପ୍ରକ୍ରିୟାର ବିଳମ୍ବକୁ ନେଇ ବିଭାଗକୁ ସୂଚନା ମାଗିଥିଲେ । ଏବଂ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୁନଶ୍ଚ ସ୍ୱାରକ ଚିଠିରେ ତାଙ୍କ ପ୍ରମାଣ ପତ୍ର ଯାଂଚ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପଠାଯାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟ କଣ୍ଟ୍ରୋଲର ଅଫ ଏକ୍ସାମିନରଙ୍କ ପକ୍ଷରୁ ଶ୍ରୀ ଦାସ ଚାକିରି ସମୟରେ ଦେଇଥିବା ବିଇଡ଼ି ପ୍ରମାଣପତ୍ର ଜାଲ ବୋଲି ଚିଠିରେ ସୂଚନା ମିଳିବା ପରେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆଦେଶରେ ଶ୍ରୀ ଦାସଙ୍କୁ ନିଜ କାର୍ଯ୍ୟରୁ ନିଳମ୍ବନ କରିବା ସହ ଜାଲ ପ୍ରମାଣ ପତ୍ରରେ ଚାକିରି କରୁଥିବାରୁ ଥାନାରେ ତାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ ଓ ତାଙ୍କୁ ତଦନ୍ତରେ ସହଯୋଗ କରିବା ସହ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟରେ (ହେଡ଼କ୍ୱାର୍ଟରେ)ଯୋଗ ଦାନ କରିବା ପାଇଁ ଆଦେଶ ଦେଇଥିଲେ । କିନ୍ତୁ ଶ୍ରୀ ଦାସ ଅଧିକାରୀଙ୍କ ଆଦେଶକୁ ଅବମାନନା କରିବା ଓ ତଦନ୍ତରେ ସହଯୋଗ ନକରିବାରୁ ଶେଷରେ ତାଙ୍କୁ ଚାକିରିରୁ ବହିଷ୍କୃତ କରିଥିବା ଜଣାପଡ଼ିଛି । ଏବଂ ଗୋଷ୍ଠୀ ଶିକ୍ଷାଧିକାରୀ ବିଭିନ୍ନ ବିଭାଗକୁ ବହିଷ୍କୃତ ଆଦେଶର ନକଲ ପଠାଇଥିବା ଜଣାପଡ଼ିଛି ।