Onn 3

ବିଜେପିକୁ ହରାଇବାକୁ ସଜାଇ ହେଉଛି ମୁମ୍ବାଇ!

National & International

 

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ପାଇଁ ସଜେଇ ହେଉଛି ମୁମ୍ବାଇ। ମୁମ୍ବାଇରେ ରାସ୍ତାଘାଟ ସବୁଆଡେ ଇଣ୍ଡିଆ ଲେଖା ଥିବା ପୋଷ୍ଟର ବ୍ୟାନରରେ ଛାଇ ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରିକି ବୈଠକକୁ ନେଇ ଭିଡିଓ ଟିଜର ମଧ୍ୟ ଜାରି କରାଯାଇଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ବିଭିନ୍ନ ପ୍ରକାର ପୋଷ୍ଟର ଓ ଭିଡ଼ିଓ ଦେଖିବାକୁ ମିଳୁଛି। ବିରୋଧୀ ଦଳ ଇଣ୍ଡିଆର ପ୍ରମୁଖ ନେତାଙ୍କ ଫଟୋ ଥିବା ପୋଷ୍ଟରରେ ବୋଲେ ଇଣ୍ଡିଆ ଦିଲ ମାଂଗେ ଇଣ୍ଡିଆ ଦେଖିବାକୁ ମିଳିଛି।

ସେହିପରି ଜୁଡେଗା ଭାରତ ଜିତେଗା ଇଣ୍ଡିଆ ଲେଖାଥିବା ପୋଷ୍ଟରରେ ଇଣ୍ଡିଆର ୪୯ ପ୍ରତିଶତ ଭୋଟ ସେୟାର ଓ ଏନଡିଏର ୪୧ ପ୍ରତିଶତ ଭୋଟ ସେୟାର ଦର୍ଶାଯାଇଛି। ସେପଟେ ମୁମ୍ବାଇ ବୈଠକରେ ଇଣ୍ଡିଆ ମେଣ୍ଟରେ ବିଜେପିର ପୂର୍ବତନ ମେଣ୍ଟ ସହଯୋଗୀ ଶିରୋମଣି ଅକାଳୀ ଦଳ, ମାୟାବତୀଙ୍କ ବିଏସପି ଓ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ ପ୍ରମୁଖ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି।

ଏ ନେଇ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମାୟାବତୀଙ୍କ ସହ ଆଲୋଚନା କରିଥିବା କୁହାଯାଉଛି। ସେପଟେ ଶିରୋମଣି ଅକାଳୀ ଦଳର ସୁଖବୀର ସିଂ ବାଦଲ ଓ ଆଇଏନଏଲଡିର ଅଭୟ ଚୌତାଲା ପ୍ରମୁଖ ନୀତିଶ କୁମାରଙ୍କ ସହ ଯୋଗାଯୋଗରେ ଥିବା କୁହାଯାଉଛି।

ଇଣ୍ଡିଆ ମେଣ୍ଟରେ ବିଏସପି ସାମିଲ ହେବା ପଶ୍ଚିମ ୟୁପିରେ ବିରୋଧୀଙ୍କ ପାଇଁ ସହାୟକ ହେବ ବୋଲି କୁହାଯାଇଛି। ସେପଟେ ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ ମୁଖ୍ୟ ଅଭୟ ଚଉତାଲା ୩୧ ତାରିଖରେ ମୁମ୍ବାଇ ବୈଠକରେ ସାମିଲ ହେବେ ବୋଲି ଆଲୋଚନା ଜୋର ଧରିଛି।

ହରିୟାଣାରେ ଚୌତାଲାଙ୍କ ଦଳର ଭଲ ପ୍ରଭାବ ରହିଛି। ଆସନ୍ତା ବର୍ଷ ହରିୟାଣାରେ ନିର୍ବାଚନ ମଧ୍ୟ ରହିଛି। ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ତିନୋଟି କୃଷି ଆଇନକୁ ନେଇ ଶିରୋମଣି ଅକାଳୀ ଦଳ ବିଜେପି ସହ ସମ୍ପର୍କ ଛିନ୍ନ କରିଥିବା ବେଳେ ଏବେ ଇଣ୍ଡିଆ ସହ ଯୋଡି ହୋଇପାରନ୍ତି ବୋଲି ଆଲୋଚନା ହେଉଛି।

ଏ ନେଇ ଆଲୋଚନା ଚାଲିଥିବା ପୂର୍ବରୁ ନୀତିଶ କୁମାର କହିଥିଲେ। ସେପଟେ ଇଣ୍ଡିଆର ତୃତୀୟ ବୈଠକକୁ ଚ୍ୟାଲେଞ୍ଜ କରି ମୁମ୍ବାଇରେ ମହାରାଷ୍ଟ୍ର ସରକାରରେ ଥିବା ସିନ୍ଦେ ବିଜେପି ଓ ଅଜିତ ଗୋଷ୍ଠୀ ପକ୍ଷରୁ ୱର୍ଲି ଏକ ବୈଠକ କରିବେ। ଆଗାମୀ ଲୋକସଭା ନିର୍ବାଚନ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ।

ବହୁ ପୂର୍ବରୁ ଏଭଳି ବୈଠକ ନେଇ ସ୍ଥିର ହୋଇଥିବା ଅଜିତ ଗୋଷ୍ଠି ଏନସିପି ନେତା ସୁନୀଲ ତତ୍କାରେ କହିଛନ୍ତି। ତେଣୁ ମୁମ୍ବାଇ ବୈଠକକୁ ସଫଳ କରିବା ପାଇଁ ବିରୋଧୀ ମେଣ୍ଟ ଲାଗିପଡିଥିବାବେଳେ ସେପଟେ ଏନଡିଏ ପକ୍ଷରୁ ମଧ୍ୟ ଏହାକୁ କାଉଣ୍ଟର କରିବାକୁ ଯୋଜନା ହୋଇଥିବା ଦେଖିବାକୁ ମିଳିଛି।