Onn 3

ଏମପିସି ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇଁ ଦାବି କଲେ ଅର୍ଜୁନ ମୁର୍ମୁ

State

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଅଗ୍ନିବର୍ଷୀ ଆଦିବାସୀ ଯୁବ ନେତା ତଥା ଏମପିସି କଲେଜର ପୂର୍ବତନ ସମ୍ପାଦକ ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ ୬ ଜଣିଆ ପ୍ରତିନିଧିଦଳ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ଯକ୍ଷ ମୁକ୍ତିକାନ୍ତ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବାରିପଦାରେ ମହାରଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବିକାଶ ନେଇ ଏକ ମାଇଲଖୁଣ୍ଟ ହୋଇଛି । ଏହାଦ୍ଵାରା ମୟୂରଭଞ୍ଜ ଜିଲ୍ଲାର ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ସ୍ୱଳ୍ପ ଖର୍ଚ୍ଚରେ ଅଧ୍ୟୟନ କରିପାରୁଛନ୍ତି । ତେବେ ମୟୂରଭଞ୍ଜ ଆୟତନ ଦୃଷ୍ଟିରୁ ଓଡ଼ିଶା ସର୍ବବୃହତ ଜିଲ୍ଲା । ଲୋକସଂଖ୍ୟା ଦୃଷ୍ଟିରୁ ରାଜ୍ୟର ତୃତୀୟ ବୃହତ୍ତମ ଜିଲ୍ଲା ହୋଇଥିଲେ ହେଁ ଦ୍ୱିତୀୟ ବୃହତ୍ତମ ଜିଲ୍ଲା କଟକଠାରୁ ଏହାର ଲୋକସଂଖ୍ୟା ୨୦୧୧ ରେ ମାତ୍ର ୧୧ ଲକ୍ଷ କମ ଥିଲା । ଫଳରେ ବିଧାୟକ ସଂଖ୍ୟା(୯) ଦୃଷ୍ଟିରୁ କଟକ ସହ ଏହାର ସ୍ଥାନ ଦ୍ଵିତୀୟ । ସବୁଠାରୁ ବେଶୀ ସଂଖ୍ୟକ ସିଟ ପାଇଁ ବହୁ ଗରିବ ମେଧାବୀ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନରୁ ବଞ୍ଚିତ ହେଉଛନ୍ତି । ଆହୁରି ମଧ୍ୟ ମହାରଜାପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟର କିଛି ବିଭାଗକୁ ମହାରଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେଣୁ ଜିଲ୍ଲାର ମେଧାବୀ ପିଲାଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ଦେବାକୁ ଏମପିସି ସ୍ଵୟଂଶାସିତ ମହାବିଦ୍ୟାଳୟକୁ ଉନ୍ନୀତ କରାଯିବା ଆବଶ୍ୟକ ।

ଭବାନୀପାଟଣା ମହାବିଦ୍ୟାଳୟ ୧୯୬୦, ରମାଦେବୀ ମହିଳା ମହାବିଦ୍ୟାଳୟ ୧୯୬୪ ଓ ବଲାଙ୍ଗୀରର ରାଜେନ୍ଦ୍ର ମହାବିଦ୍ୟାଳୟ ୧୯୪୪ରେ ପ୍ରତିଷ୍ଠା ହୋଇଥିଲେ ହେଁ ଏସବୁ ଶିକ୍ଷାନୁଷ୍ଠାନ ବିଶ୍ଵବିଦ୍ୟାଳୟକୁ ଉନ୍ନୀତ ହୋଇଛନ୍ତି । ଏମପିସି କଲେଜ ପ୍ରତିଷ୍ଠା ହୋଇଥିଲା ୧୯୪୭ ମସିହାରେ ଇତିମଧ୍ୟରେ ୭୫ ବର୍ଷ ବିତିଲାଣି । ସେହିପରି ସମ୍ବଲପୁରର ପୂର୍ବରୁ ଏକ ବିଶ୍ଵବିଦ୍ୟାଳୟ ଥିବାବେଳେ ସେଠାରେ ଥିବା ଗଙ୍ଗାଧର ମେହେର ମହାବାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟକୁ ଉନ୍ନୀତ କରାଯାଇଛି ।ବ୍ରହ୍ମପୁରରେ ମଧ୍ୟ ପୂର୍ବରୁ ଏକ ବିଶ୍ଵବିଦ୍ୟାଳୟ ଥିବାବେଳେ ଖଲିକୋଟ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ଦିଆଯାଇଛି । ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ତକତପୁରକୁ ସ୍ଥାନାନ୍ତରିତ ହୋଇଥିବାବେଳେ ସେଠାରେ ଯଥେଷ୍ଟ ଶ୍ରେଣୀଗୃହ ରହିଛି । ତେଣୁ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପାଇଁ ଅର୍ଜୁନ ମୁର୍ମୁ ସମେତ କଲେଜର ଛାତ୍ରଛାତ୍ରୀମାନେ ଦୃଢ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦଳନାତ୍ମକ ପନ୍ଥା ଗ୍ରହଣ କରାଯିବବୋଲି ଅର୍ଜୁନ ମୁର୍ମୁ ପ୍ରେସ ମାଧ୍ଯମରେ ଚେତାବନୀ ଦେଇଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଅର୍ଜୁନ ମୁର୍ମୁ, ଚୈତନ ସୋରେନ, ଧ୍ୟାନଚାନ୍ଦ ସୋରେନ, ବିଦୁ ହାଁସଦାଃ, ରବିନ୍ଦ୍ର ମାର୍ଣ୍ଡି ଏବଂ ସପନ ହେମ୍ବ୍ରମ୍ ଉପସ୍ଥିତ ଥିଲେ ।