ଭୁବନେଶ୍ୱର: ନବୀନଙ୍କୁ ଟେକିଲେ । ହେଲେ ତାଙ୍କ ସରକାର ଉପରେ ବର୍ଷିଲେ । ପିଠି ଆଉଁସି କଡା ଭାଷାରେ ନବୀନ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଚାଲିଥିବା ଶାସନ ବ୍ୟବସ୍ଥାକୁ ନେଇ ପୁଣି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅନ୍ୟପଟେ ଅପରାଜିତାଙ୍କୁ ବିରୋଧ ଘଟଣାରେ ପ୍ରଶାସନିକ ଅଧିକାରୀଙ୍କୁ କଡା ସମାଲେଚାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଗତକାଲି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ଯେପରି ଆକ୍ରମଣ କରାଯାଗଲା ଏହା ପ୍ରାୟୋଜିତ ଏବଂ ପ୍ରଶାସନିକ ଅଧିକାରୀ ମାନେ ଏହାର ଷଡ଼ଯନ୍ତ୍ରକାରୀ ବୋଲି ସେ କହିଛନ୍ତି । ବ୍ରିଟିଶ ଶାସନ ସହ ତୁଳନା କରି ଶ୍ରୀ ପ୍ରଧାନ କହିଥିଲେ, ବ୍ରିଟିଶ ରାଜରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଅଧିକାରୀମାନଙ୍କର ଦମ୍ଭ ବି ଏଭଳି ଥିଲା ।
ସେତିକୁ ନୁହେଁ, ଆଜି ପୁଣି କେନ୍ଦ୍ରମନ୍ତ୍ରୀ ଶଶିକଳା ସିଣ୍ଡ୍ରୋମ ଉଠାଇଛନ୍ତି । ଝାରସୁଗୁଡା ଉପ ନିର୍ବାଚନ ବେଳେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ରାଜ୍ୟରେ ଏବେ ଶଶିକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି । ହେଲେ ସମସ୍ତେ ଗଣତନ୍ତ୍ରର ଲକ୍ଷ୍ମଣରେଖା ଭିତରେ ରହିବା ଉଚିତ୍ । ଅନ୍ୟପକ୍ଷେ କେନ୍ଦ୍ରମନ୍ତ୍ରୀଙ୍କ ଉକ୍ତିକୁ ଖଣ୍ଡନ କରିଛି ବିଜେଡି । ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, କେନ୍ଦ୍ରମନ୍ତ୍ରୀ କେଉଁଥିପାଇଁ କହିଲେ ଏକଥା ସେ ହିଁ ଜାଣିଥିବେ । ସେମିତି କିଛି ସ ଅନୁଭବ କରୁନାହାନ୍ତି । ସେହିପରି ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ର ନାହିଁ ବୋଲି ସରକାର କେମିତି କହୁଛନ୍ତି ? ଯଦି ଗଣତନ୍ତ୍ର ନାହିଁ ତେବେ କେନ୍ଦ୍ର ସରକାର କ‘ଣ ଅଗଣତାନ୍ତ୍ରିକ ସରକାର କି ବୋଲି ସେ ପ୍ରଶ୍ନ କରିଛନ୍ତି ।