ଭୁବନେଶ୍ୱର: ସମଗ୍ର ଓଡିଶାରେ ବର୍ଷାର ପରିମାଣ ହ୍ରାସ ପାଇଥିବା ବେଳେ ଭାରତ ପାଣିପାଗ ବିଭାଗ (ଆଇଏମଡି) ଆସନ୍ତା ୩ ଦିନ ମଧ୍ୟରେ ଅନେକ ଜିଲ୍ଲା ପାଇଁ ବଜ୍ରପାତ ହେବା ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଅଗଷ୍ଟ ୨୮ ତାରିଖ, ସୋମବାର ଅପରାହ୍ନ ସୁଦ୍ଧା ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୨ଟି ଜିଲ୍ଲାରେ କାଳବେଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଛି।
ଆଗାମୀ ଦୁଇ ଦିନ ମଧ୍ୟରେ କେତେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅଗଷ୍ଟ ୩୦ ତାରିଖରେ ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାର ଗୋଟେ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।