Onn 3

ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମରେ ୨୭ ନବଜାତ କନ୍ୟା ସନ୍ତାନଙ୍କୁ ସ୍ୱାଗତ ସହ ଉପହାର ପ୍ରଦାନ

State

ବାରିପଦା: ବେଟି ବଚାଓ ବେଟି ପଢ଼ାଓ ଏକ ଅଭିନଵ ପରିକଳ୍ପନା ର ପ୍ରତିଫଳନ ମୟୂରଭଞ୍ଜ ଜିଲ୍ଲାରେ ସୁରମ୍ୟ ଭାବରେ ଆଗେଇଚାଲିଛି। ଜିଲ୍ଲା ପ୍ରଶାସନ ଏଥିପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଶୁକ୍ରବାର ଦିନ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲ ର ମିଳିତ ଆନୁକୂଲ୍ୟରେ ରେ ଆମ ଝିଅ ଆମ ସ୍ୱାଭିମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଗତ ୨୪ ଘଣ୍ଟା ମଧ୍ୟରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ କନ୍ୟାଙ୍କୁ ସ୍ୱାଗତ କରାଯିବା ସହିତ ସେମାନଙ୍କ ମାଆ ମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଉପହାର ପ୍ରଦାନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ୍ ଭରଦ୍ୱାଜ, ନବଜାତ ଶିଶୁ କନ୍ୟା ମାନଙ୍କ ପରିବାର ସହିତ ସାକ୍ଷାତ କରି ସେମାନଙ୍କୁ ନିଜ ନବଜାତ ଶିଶୁ କନ୍ୟା ମାନଙ୍କର ଉତ୍ତମ ଯତ୍ନ ନେବା ପାଇଁ ପରାମର୍ଶ ଦେବା ସହ ଏହି ଶିଶୁ କନ୍ୟା ମାନଙ୍କ ଉଜ୍ଜଳ ଭବିଷ୍ୟତ ଉଦେଶ୍ୟ ରେ ଶୁଭ ଆଶୀର୍ବାଦ କରିଥିଲେ | ଏହି ଅବସରରେ ଜିଲ୍ଲାପାଳ କହିଥିଲେ କି ଆମ ଜିଲ୍ଲାରେ ୧୦୦୦ ଶିଶୁ ପୁତ୍ରରେ ୮୫୬ କନ୍ୟା ଶିଶୁ ଜନ୍ମଲାଭ କରୁଛନ୍ତି ଯାହାକି ଆମ ପାଇଁ ଏକ ଉଦବେଗ ଜନକ ପରିସ୍ଥିତି ଏବଂ ଏହି ଅନୁପାତକୁ ହ୍ରାସ କରିବାପାଇଁ ଲିଙ୍ଗନିରୂପଣ ତଥା କନ୍ୟାଭୃଣ ହତ୍ୟା ଭଳି ବିକୃତ ମାନସିକତା କୁ ସମାଜ ରୁ ଦୁର କରିବା ପାଇଁ ସଚେତନତା ସୃଷ୍ଟି ସହିତ ଏହାକୁ ମୂଳପୋଛ କରିବା ଦିଗରେ ପ୍ରବର୍ତନ କୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ|

ଏହି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣ ମାନଙ୍କୁ ଆମେ ଅଧିକରୁ ଅଧିକ ସଚେତନ କରାଇ ପlରିବା ଏବଂ ଜନ ସଚେତନତା ମାଧ୍ୟମରେ ହିଁ ଆମେ ପୁଅ-ଝିଅ ମଧ୍ୟରେ ଥିବା ମାନସିକ ଲିଙ୍ଗଗତ ପାର୍ଥକ୍ୟକୁ ରୋକି ପlରିବା । ଯେଉଁ କାମ ପୁଅ ମାନେ କରିପାରିବେ ସେ କାମ ଝିଅ ମାନେ ମଧ୍ୟ କରିପାରିବେ ଏବଂ ସମସ୍ତ ସ୍ତରରେ କରିପାରିବେ ବୋଲି ସେ କହିଥିଲେ । ଏଣୁ ଏହି ବାର୍ତ୍ତାକୁ ଆମେ ସମସ୍ତଙ୍କ ପାଖରେ ପହଞ୍ଚାଇବା ଯାହାଦ୍ୱାରା ଏହି ଲିଙ୍ଗଗତ ଭେଦଭାବ ସମ୍ପୂର୍ଣ୍ଣ ରୂପରେ ମୂଳପୋଛ ହୋଇଯିବ। ନାରୀ ଶିକ୍ଷା ଏବଂ ନାରୀ ସଶକ୍ତିକରଣ ଦ୍ୱାରା ହିଁ ଏହି ପାର୍ଥକ୍ୟ ଦୂରୀଭୁତ ହୋଇପାରିବ । ମୟୂରଭଞ୍ଜର ଉନ୍ନତିରେ ଝିଅ ମାନଙ୍କର ଯୋଗଦାନକୁ ତ୍ୱରାନ୍ୱିତ କରିବାକୁ ପଡିବ,” ବୋଲି ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ କହିଥିଲେ।

ସୂଚନା ଥାଉକି, ଗତ ୨୪ ଘଣ୍ଟା ମଧ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୨୭ ଜଣ କନ୍ୟା ଶିଶୁ ଜନ୍ମଲାଭ କରିଛନ୍ତି ଏବଂ ସେହି ନବଜାତ ମାନଙ୍କ ମାଆ ତଥା ପରିବାରକୁ ମାନପତ୍ର ଏବଂ ଉପହାର ଦେଇ ସମ୍ମାନିତ କରା ଯାଇଥିଲା। କାର୍ଯ୍ୟକ୍ରମ ଶେଷରେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଡ଼. ଜ୍ଞlନେନ୍ଦ୍ର କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଏହି ସମ୍ବର୍ଦ୍ଧନା ଉତ୍ସବକୁ ଆୟୋଜନ କରିଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରୟାସ କୁ ଆହୁରି ସୁଫଳ କରିବାପାଇଁ ଆଶା ପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଡ଼. ଶ୍ରୀରାମ ମହାନ୍ତି , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ଏନ ଆର ଏଚ ଏମ ର ଡି. ପି. ଏମ ଶ୍ରୀ ପ୍ରଭୁ ପ୍ରତ୍ୟାନ୍ତ ପତି ଏବଂ ଜିଲ୍ଲା ସୂଚନା ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।