Onn 3

ଓଡ଼ିଶାର ପ୍ରଥମ ଫୋଟୋ ସାମ୍ବାଦିକ “ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି”, ୧୦୦ ବର୍ଷରେ ପଦାର୍ପଣ କଲେ

State

ବାରିପଦା : ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ଭାବେ ଖ୍ୟାତି ଲାଭ କରିଥିବା ଜଣେ ବ୍ୟକ୍ତି ଯିଏ ଏକାଧାରାରେ ଜଣେ ସତ୍ୟ ନିଷ୍ଠା ସାମ୍ବାଦିକ, ସୁ ସାହିତ୍ୟକ, ଅଭିନେତା, ରଥ ମିସ୍ତ୍ରୀ ଓ ବାସ୍ତୁବିତ। ସେ ହେଉଛନ୍ତି ବାରିପଦା ଦେଉଳ ସାହି ଅଂଚଳର ବାସିନ୍ଦା ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ଙ୍କୁ ଦେଖିଲେ କେହି ବିଶ୍ୱାସ କରିବେ ନାହିଁ ଯେ ସେ ୧୦୦ ବର୍ଷରେ ଅତିକ୍ରମ କରିସାରିଲେଣି। ପରିବାର, ବନ୍ଧୁ ବାନ୍ଧବ, ସାଙ୍ଗ ସାଥି, ବିଭିନ୍ନ ସଂଗଠନ ର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତ ରେ ପାଳନ କଲେ ୧୦୦ ତମ ଜନ୍ମ ଦିବସ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆଜିବି ସେ ସୁସ୍ଥ ସବଳ ଏବଂ ନିରୋଗ ଅଛନ୍ତି। ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ରାଜ୍ୟର ପ୍ରଥମ ପ୍ରେସ ଫଟୋ ଗ୍ରାଫର ଭାବେ ଖୁବ ପରିଚିତ।ଶତାୟୁ ପୂର୍ଣ୍ଣଚନ୍ଦ୍ର ପ୍ରକୃତ ରେ ସେ ଜଣେ ପୂର୍ଣ୍ଣଚନ୍ଦ୍ର। ମୟୂରଭଞ୍ଜ ର ପ୍ରଜାବତ୍ସଳ ମହାରାଜା ଯଦୁନାଥ ଭଞ୍ଜ ବାବୁଙ୍କ ସମୟରେ ପୁରୀରୁ ବାରିପଦା କୁ ଆସନ୍ତି ପୂର୍ଣ୍ଣଚନ୍ଦ୍ର ଙ୍କ ପରିବାର। ୧୯୨୪ ମସିହାରେ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ଜନ୍ମ ଗ୍ରହଣ କରନ୍ତି । ଚାଟଶାଳୀ ରୁ ବିଦ୍ୟା ଅର୍ଜନ ଆରମ୍ଭ କରି ବାରିପଦାରେ ଗୁରୁ ଟ୍ରେନିଂ ଓ ହାଇସ୍କୁଲ ରେ ପାଠ ପଢ଼ିଛନ୍ତି। ସ୍କୁଲ ବେଳୁ ସେ ଏକ ଭିନ୍ନ ପ୍ରତିଭା ସହ ଫୋଟୋଗ୍ରାଫି ରେ ଅନେକ ଆକୃଷ୍ଟ ଥିଲା। ମୟୂରଭଞ୍ଜ ର ତତ୍କାଳୀନ ପ୍ରଜାବତ୍ସଳ ମହାରାଜା ଙ୍କ ପରିବାର ଫୋଟୋଗ୍ରାଫି ପାଇଁ ଅନେକ ସଉକ ରଖିଥିଲେ। ବିଲାତ କୁ ପଠାଇ ସେ ଫଟୋଗ୍ରାଫିର କାମ ଶିଖାଉ ଥିଲେ। ପୂର୍ଣ୍ଣଚନ୍ଦ୍ର ଛୋଟ ବେଳୁ ଷ୍ଟୁଡିଓ ରେ କାମ ଶିଖିବାର ସୁଯୋଗ ପାଇଥିବା ବେଳେ ଦିନେ ରାଜା ସାହେବ ପ୍ରତାପ ଚନ୍ଦ୍ର ଭଞ୍ଜଙ୍କ ଦୃଷ୍ଟିରେ ପଡ଼ିଥିଲେ ଆଉ ରାଜା ସାହେବ ପୂର୍ଣ୍ଣଚନ୍ଦ୍ର ଙ୍କୁ ଫଟୋ ଗ୍ରାଫି କାର୍ଯ୍ୟରେ ନିୟୋଜିତ କରିଥିଲେ। ଆଉ ସେହି ଦିନଠାରୁ ପୂର୍ଣ୍ଣଚନ୍ଦ୍ର ଜଣେ ଫୋଟୋଗ୍ରାଫର ଭାବେ ବେଶ ପରିଚିତ ହୋଇଥିଲେ।

ସେତେବେଳର ଡାର୍କ ରୁମରେ କିଭଳି ଫ୍ଲିମକୁ ଡେଭଲପ କରିବା ଆଉ କେଉଁ କେମିକାଲ କୁ ବ୍ୟବହାର କରି କିଭଳି ସୁନ୍ଦର ଫୋଟୋଗ୍ରାଫି କରିବା ରେ ସେ ଥିଲେ ବେଶ ପାରଙ୍ଗମ। ଆଉ ସେଥିପାଇଁ ସେ ରାଜ ପରିବାର ଠୁ ଆରମ୍ଭ କରି ବ୍ରିଟିଶ ଅଫିସର ଓ ଧନୀ ଶ୍ରେଣୀରେ ବ୍ୟକ୍ତି, ସାମାଜିକ କାର୍ଯ୍ୟକ୍ରମ ରେ ସେ ବେଶ ଅଦୃତ ହୋଇପାରିଥିଲେ। ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ଖାଲି ଯେ ମୟୂରଭଞ୍ଜ ରାଜ୍ୟ ତାହାନୁହେଁ ସେ ଭାରତ ଓ ନେପାଳ ଭଳି ଦେଶରୁ ତାଙ୍କୁ ଆସୁଥିଲା ନିମନ୍ତ୍ରଣ। ନେପାଳ ର ରାଜା ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ଫଟଗ୍ରାଫି ରେ ପ୍ରସନ୍ନ ହୋଇ ଏକ ଜର୍ମାନମେଡ କ୍ୟାମେରା ଉପହାର ଦେଇଥିବାର ମଧ୍ୟ ରେକର୍ଡ ରହିଛି। ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ସେ ସମୟରେ ଏକ ମାତ୍ର ପୋଲିସ ଫଟୋଗ୍ରାଫର ହେବାର ଯୋଗ୍ୟତା ଓ ଗୌରବ ହାସଲ କରିଥିଲେ। ଯାହା ଏଚ୍. କେ. ଘୋଷ ଙ୍କ “ପୋଲିସ ୱାଣ୍ଟସ ୟୁଅର ହେଲ୍ପ” ପୁସ୍ତକରେ ଲିଖିତ ରହିଛି। ପୂର୍ଣ୍ଣଚନ୍ଦ୍ର ତାଙ୍କ କ୍ୟାମେରା ରେ ଜଣେ ଆଦିବାସୀ ଝିଅ ମୁଣ୍ଡରେ ଧାନ ବିଡା ବୋହି ଘରକୁ ଫେରୁଥିବା ବେଳେ ଅସ୍ତଗମୀ ସୂର୍ଯ୍ୟ ଝିଅଟିର ମୁହଁରେ ଆଁକୁଥିବା ଛାଇ ଓ ଆଲୁଅ ର ରାସ କୁ କ୍ୟାମେରା ରେ ତୋଳି ପଣ୍ଡିଚେରୀ ରେ ହେଉଥିବା ଆନ୍ତର୍ଜାତିକ ଫୋଟୋ ସେଲନ ରେ ଶିର୍ଷକ ସ୍ଥାନ ପାଇପାରିଥିଲେ।ଫୋଟୋଗ୍ରାଫି ସହିତ ସାମ୍ବାଦିକତା କରିବା ଓ ପ୍ରେସ ଫୋଟୋ ଗ୍ରାଫର ଭାବେ ସାରା ଓଡ଼ିଶାରେ ବେଶ ଚହଳ ସୃଷ୍ଟି କରିଥିଲେ।

ସମାଜ ଖବରକାଗଜ କୁ ଫୋଟୋ ପଠାଇବା ଓ ପରେ ପରେ ସେ ଫୋଟୋଗ୍ରାଫି ସହିତ ସାମ୍ବାଦିକତା କରନ୍ତି। ସେ ଧରିତ୍ରୀ ଓ ମାତୃଭୂମି ସମ୍ବାଦ ପତ୍ରରେ ପ୍ରତିନିଧି ନିଯୁକ୍ତି ହୋଇ ସତ୍ୟ ଓ ନିରପେକ୍ଷ ସମ୍ବାଦ ପାଇଁ ସୁନାମ ଅର୍ଜନ କରିଛନ୍ତି। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକ ଫୋଟୋ ଚିତ୍ର ଉତ୍ତଳନ କରି ପ୍ରଶଂସାର ପତ୍ର ହୋଇଥିଲେ। ଏବଂ ଫୋଟୋଟି ପରବର୍ତ୍ତୀ ମୁହୂର୍ତ୍ତରେ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଲିଖିତ ଏକ ପୁସ୍ତକର କଭର ପେଜ ରେ ସ୍ଥାନ ପାଇଥିଲା। ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ଓଡ଼ିଆ ଲିପିର ସଂସ୍କାର ପାଇଁ ଅନେକ ପ୍ରସ୍ତାବ ଦେଇଥିବା ବେଳେ ତାଙ୍କ ଲିପି ସଂସ୍କାର ପ୍ରସ୍ତାବ ଓଡିଶା ସାହିତ୍ୟ ଏକାଡେମୀର ମୁଖପତ୍ର କୋଣାର୍କ ର ସପ୍ତମ ସଂଖ୍ୟାରେ ପ୍ରକାଶିତ ହୋଇ ଭାଷାବିତଙ୍କ ପ୍ରଶଂସିତ ହୋଇଥିଲା। ପୂର୍ଣ୍ଣଚନ୍ଦ୍ର ବିନ୍ଧାଣି ଅଭିମାନ ଫୁଲଚନ୍ଦନ ପରି ଚଳଚିତ୍ରରେ ଅଭିନୟ କରି ବେଶ ପ୍ରସଂସା ର ପାତ୍ର ହୋଇଥିଲେ। ଛଉ କଳାକାର ଭାବେ ବେଶ ପରିଚିତ ମଧ୍ୟ ଥିଲେ। ସେ ନିଜର କୌଳିକ ବୃତ୍ତି ରଥ ମିସ୍ତ୍ରୀ ର କାମକୁ ବି ଛାଡି ନ ଥିଲେ। ରାଞ୍ଚି ରାଇରଙ୍ଗପୁର, ସାରସକଣା, ଝାଡସୁଗୁଡା, ବାଲେଶ୍ଵର ପ୍ରଭୁତି ସ୍ଥାନକୁ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣରେ ସହାୟତା କରିଛନ୍ତି। ଦୀର୍ଘ ୧୦୦ ବର୍ଷରେ ବି ସେ ବେଶ ଚଳ ଚଞ୍ଚଳ ଆଉ କଥାରେ ଯୁବକ ସୁଲଭ ହସ, ଥଟା ଓ ପରିହାସ ଦୀର୍ଘ ନିରାମୟା ଜୀବନର ରହସ୍ୟ ବୋଲି କହିଛନ୍ତି। ଆଜିଯାଏ ସେ ନିରୋଗ ରହିଥିବା ବେଳେ ଆଶ୍ଚର୍ଯ୍ୟ ର ବିଷୟ ସେ କେବେ ହେଲେ କୌଣସି ଔଷଧ ଖାଇ ନାହାନ୍ତି। ଏପରି ଗୁଣବାନ ବ୍ୟକ୍ତିତ୍ୱ ଙ୍କୁ ବହୁ ମାନପତ୍ର ସହ ପୁରସ୍କାର ରେ ସମ୍ମାନିତ କରାଯାଇଛି। ମୟୂରଭଞ୍ଜ ବାସୀଙ୍କ ତରଫରୁ ଶ୍ରୀ ବିନ୍ଧାଣିଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି। ୧୦୦ ତମ ଜନ୍ମ ଦିବସ ଅବସରରେ ଦେଉଳିସାହି କୁମାର ଉତ୍ସବ ସମିତି ଓ ଜଗଦ୍ଧାତ୍ରୀ ପୂଜା କମିଟି, ଅଭିରାମ ଅଭିନୟ ଅନୁଷ୍ଠାନ, ଆମେ ବାରିପଦା ଏସୋସିଏସନ, ମୟୁରଭଞ୍ଜ ସିଟିଜେନ ଫୋରମ, ମୟୁରଭଞ୍ଜ ସାହିତ୍ୟ୍ ପରିଷଦ, ସାରସକଣା ସାଂସ୍କୃତିକ ପରିଷଦ, ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ, ମୟୁରଭଞ୍ଜ ଫଟୋ ଭିଡିଓ ଗ୍ରାଫି ଏସୋସିଏସନ, ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଡ ମୋହିତ ଷଡଙ୍ଗୀ, ଡ କେ. ସି. ମହାନ୍ତି, ଡ. ବିଜୟ ଅଗ୍ରୱାଲ, ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ, ଅଭିନେତା ଅସିତ୍ ବରଣ ପତି, ଜୀବନ କୁମାର ସାହୁ, ପ୍ରାୟ ୨୦ ରୁ ଅଧିକ ସଂଗଠନ ଓ ବ୍ୟକ୍ତିଗତ ଭାବେ, ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଜିର ଯୁବପୀଢ଼ିଙ୍କ ପାଇଁ ସେ ଉଦାହରଣ ସାଜିଛନ୍ତି।