Onn 3

ପାଣ୍ଡିଆନ ପ୍ରୋଜେକ୍ଟ ପାଇଁ ତାମିଲ ମହିଳା କରୁଛନ୍ତି ଜମି ହଡପ : ସାଂସଦ ଅପରାଜିତା ଷଡଙ୍ଗୀ

Politics State

aparajita

ଭୁବନେଶ୍ୱର: ସରକାରୀ ଅନାବାଦୀ ଜମି ଜବରଦଖଲ କରିନେଲେ । ଏଥିସହିତ ଛୋଟ ଜଙ୍ଗଲ ଜମି, ଗରିବ, ଅସହାୟଙ୍କ ଜମିକୁ ବି ଜବରଦଖଲ କରିନେଲେ । ଏହି ଜମିକୁ ନିଜ କବ୍ଜାକୁ ନେଇ ତାରବାଡ ଘେରାଇ ଦେଲେ । ଖାଲି ସେତିକି ନୁହେଁ,  ତାରବାଡ ଘେରାଇ ରାସ୍ତା ଅବରୋଧ କରିଦେଲେ । ଫଳରେ ଘରୋଇ ଜମି ମାଲିକମାନେ ନିଜ ଜମିକୁ ଯିବାର ରାସ୍ତା ଅବରୋଧ ହୋଇଗଲା । ଏପରି ଅବରୋଧ ପଛରେ ଉଦ୍ଦେଶ୍ୟ, ଏହି ଜମିମାଲିକମାନେ ତାଙ୍କ ଜମି ମଧ୍ୟ ବିକିଦେବେ ।  ଏମିତି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା କହିଛନ୍ତି, ବିଭିନ୍ନ  ବ୍ୟକ୍ତିଙ୍କଠାରୁ  ଅଭିଯୋଗ ପାଇବା ପରେ  ଗତ ୪ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ ।   ଚନ୍ଦକା ନିକଟବର୍ତ୍ତୀ ଭଗତୀପୁର ଓ ଗିରିଙ୍ଗ ପୁଟ୍ଟ ଗ୍ରାମ ପରିଦର୍ଶନରେ ଯାଇଥିଲେ । ସେଠାରେ ସ୍ଥାନୀୟ ଅଧିବାସୀମାନେ ମସ୍ତିସ୍କ ଚହଲେଇଦେବା ଭଳି ଅଭିଯୋଗ କରିଥିଲେ  ।  ସାଂସଦ କହିଛନ୍ତି,  ଅର୍ଥ ବଳ ଓ ବାହୁବଳ ପ୍ରୟୋଗ ସହିତ ଉଚ୍ଚ ସରକାରୀ ପ୍ରଭାବ ଦ୍ୱାରା ଏଠାରେ ଜମି ଅକ୍ତିଆର କରି ନିଆଯାଉଛି ।

ସରକାରୀ ଜମି, ଦେବସ୍ଥଳୀ ଓ ବେସରକାରୀ ଜମି ଅକ୍ତିଆର କରି  ପ୍ରାୟ  ୧୫୦ ଏକର ପରିମିତ ଜାଗା ତାରବାଡ ଦ୍ୱାରା ଘେରା ଯାଇଛି  ।  ତାରବାଡ ବୁଲାଇ ରାସ୍ତା ଅବରୋଧ କରିଥିବାରୁ ଘରୋଇ ଜମିର ମାଲିକମାନେ ନିଜ ଜମିକୁ ଯିବା ପାଇଁ ଅସମର୍ଥ ହେଉଛନ୍ତି  । ଏପରିକି   ହାଲ କର୍ମଚାରୀମାନଙ୍କର ହାଉସିଂ ସୋସାଇଟି ଜାଗାକୁ ମଧ୍ୟ ତାରବାଡ ଦ୍ୱାରା ଘେରି ବନ୍ଧା ହୋଇଛି  ।  ଧବଳେଶ୍ୱରଦେବଙ୍କ ଦେବସ୍ଥଳୀ ଏବଂ ଅନ୍ୟାନ୍ୟ ଦେବସ୍ଥଳୀ ମଧ୍ୟ ତାରବାଡ ଦ୍ୱାରା ଆବଦ୍ଧ ହୋଇଯାଇଛି  ।

ତାମିଲନାଡୁର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ତଥା ସରକାରୀ ପୃଷ୍ଠପୋଷକତା ପ୍ରାପ୍ତ ମହିଳା ଏସବୁ ଜାଗା ଅକ୍ତିଆର କରିବା ସହ ଯେଉଁ ଜମି ମାଲକମାନେ ରାସ୍ତା ଅବରୋଧ ଯୋଗୁ ନିଜ ଜମିକୁ ଯାଇ ପାରୁନାହାନ୍ତି ସେମାନଙ୍କ ଜମି ମଧ୍ୟ କିଣିବାକୁ ଚାପ ପକାଉଛନ୍ତି ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଜମିସବୁ କ୍ରୟ କରିଥିବା ମହିଳା ତାମିଲନାଡୁର ଅଧିବାସୀ ଅଟନ୍ତି ।  ସେ  ଓଡିଶା ପ୍ରଦେଶରେ ଏତେ ପ୍ରଭାବ ବିସ୍ତାର କରି ଜମି ଦଖଲ କରୁଛନ୍ତି ତାହା ସନ୍ଦେହଜନକ ତଥା ଅନୁସନ୍ଧାନ ସାପେକ୍ଷ  ବୋଲି ସାସଂଦ କହିଛନ୍ତି । ତୃତୀୟ ମହଲାର ପୃଷ୍ଠପୋଷକତାରେ ଏଭଳି କାର୍ଯ୍ୟ ଚାଲିଥିବା ଜନସାଧାରଣରେ ଆଲୋଚିତ ହେଉଛି   ଏବଂ ଲୋକେ ଏହାକୁ “ପାଣ୍ଡିଆନ ପ୍ରୋଜେକ୍ଟ” ବୋଲି ମଧ୍ୟ କହୁଛନ୍ତି । ଗ୍ରାମବାସୀମାନେ ଏ ନେଇ ଅଭିଯୋଗ କରିବାକୁ ଗଲେ, କୌଣସି ରେଭିନ୍ୟୁ ଅଫିସର କିମ୍ବା ପୋଲିସ ଅଫିସର ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଜଣେ ପ୍ରଭାଶାଳୀ ପ୍ରଶାସକଙ୍କର ନାମ ନେଇ ତାଙ୍କୁ ଚୁପ କରାଇ ଦେଉଛନ୍ତି  ।

ସାଂସଦ ଆହୁରି କହିଛନ୍ତି,  ଜଳସେଚନ ପାଇଁ ଉଦ୍ଦିଷ୍ଟ ଡେରାସ କେନାଲ ନିର୍ଦ୍ଦିଷ୍ଟ ଜାଗାରେ ପୋତିଦେଇ ବନ୍ଦ କରି ଦିଆଯାଇଛି  । ଡେରାସ ଡ୍ୟାମରୁ ଏହି କେନାଲ ମାଧ୍ୟମରେ ଚାଷୀ ମାନଙ୍କର ଚାଷ ଜମି ଜଳସେଚିତ ହେଉଥିଲା  । କେନାଲକୁ ବନ୍ଦ କରିଦେବା ଦ୍ୱାରା ପ୍ରାୟ ୩୦୦ ଏକର ପରିମିତ ଜମିରେ  ୨ ବର୍ଷ ହେବ ଫସଲ ହେIଇପାରୁନାହିଁ  ।  ଜବରଦଖଲକାରିଣୀ କେନାଲଟିକୁ ଦଖଲ କରି ତାରବାଡ ଆବଦ୍ଧ ଦ୍ୱାରା ଜଳସେଚନ ବ୍ୟବସ୍ଥାକୁ ଅବରୋଧ କରିଦେଇଛନ୍ତି   । ଭୁବନେଶ୍ୱରର ଅତ୍ୟନ୍ତ ନିକଟରେ ବାହୁବଳ ଦ୍ୱାରା ଗରିବ ଜନ ସାଧାରଣଙ୍କୁ କ୍ଷତି ପହଂଚାଇବା ଭଳି କାର୍ଯ୍ୟ ଇତିହାସରେ ବିରଳ ବୋଲି କହିଛନ୍ତି ସାଂସଦ ।  ୨୩ ବର୍ଷ ଶାସନ କରୁଥିବା ସରକାରଙ୍କ ପ୍ରୋତ୍ସାହନରେ ରାଜଧାନୀର ଖୁବ ନିକଟବର୍ତୀ ଅଂଚଳରେ ଏଭଳି ଘଟଣା ଘଟିବା ଏକ ନିନ୍ଦନୀୟ ବିଷୟ ବୋଲି କହିଛନ୍ତି ।

ତାରବାଡ ଦ୍ୱାରା ଆବଦ୍ଧ ଜମି ଉପରେ ଗୋଟିଏ ବିଶାଳ ଫାର୍ମ ହାଉସ ଗଢି ଉଠିଛି  । ଏହି ଆବଦ୍ଧ କ୍ଷେତ୍ର ଭିତରେ ବଡବଡ ଗଛର ଗଣ୍ଡିମାନ କଟାଯାଇ ରଖାଯାଇଅଛି  । ସଂରକ୍ଷିତ ଜଙ୍ଗଲ ନିକଟରେ ଏଭଳି ବଡ଼ବଡ଼ କାଠ ଗଣ୍ଡି ସଂରକ୍ଷିତ ରଖିବା ଅନୁସନ୍ଧାନ ସାପେକ୍ଷ  ।  ବଡ଼ବଡ଼ ଗ୍ରାନାଇଟ ଯାହା ଆନ୍ଧ୍ରପ୍ରଦେଶର ତିରୁପତି ଇଲାକାରେ ମିଳିଥାଏ ତାହାକୁ ଏହି ଫାର୍ମ ହାଉସ ନିର୍ମାଣରେ ବ୍ୟବହାର କରାଯାଇଛି  । ଏହି ନିର୍ମାଣ କାର୍ଯ୍ୟ ଏବଂ ତାରବାଡ ଦ୍ୱାରା ଆବଦ୍ଧ କାର୍ଯ୍ୟ ଗତ ଦୁଇ ବର୍ଷ ଧରି ଚାଲି ଆସିଛି । ଗରିବ ଓ ଅସହାୟ ଜନ ସାଧାରଣଙ୍କର ଅଧିକାର ଉପରେ ଏଭଳି ବ୍ୟୟବହୁଳ ଅଟ୍ଟାଳିକା ନିର୍ମାଣ କରି ବିଳାସବ୍ୟସନ ଭରା ଜୀବନ ଜାପନ କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି ସାସଂଦ । ଏ ନେଇ ସେ ସରକାରଙ୍କୁ ପ୍ରଶ୍ନ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।


Post Views: 6